ଭୁବନେଶ୍ବର:ଆସନ୍ତା ଏପ୍ରିଲ ୧୬ ତାରିଖ ମଙ୍ଗଳବାର ଦିନ ଅନୁଷ୍ଠିତ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ପବିତ୍ର ଅଶୋକାଷ୍ଟମୀ ରଥଯାତ୍ରା ବା ରୁକୁଣା ରଥଯାତ୍ରା । ଏହି ପବିତ୍ର ରଥଯାତ୍ରାର ପରିଚାଳନା ଓ ଶାନ୍ତି ଶୃଙ୍ଖଳାର ସହ ଯାତ୍ରାର ସମ୍ପାଦନାକୁ ନେଇ ସମନ୍ବୟ ବୈଠକ ଆୟୋଜନ କରାଯାଇଥିଲା । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସର୍କିଟ ହାଉସରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ବର୍ଷ ପରି ଚଳିତ ବର୍ଷର ରଥଯାତ୍ରା ଓ ବାହୁଡା ଯାତ୍ରା ପାରମ୍ପରିକ ଭାବେ ଶାନ୍ତିଶୃଙ୍ଖଳା ଓ ଆନନ୍ଦ ଉଲ୍ଲାସର ସହିତ କିଭଳି ପାଳନ କରାଯିବ ସେ ନେଇ ଏହି ବୈଠକରେ ଆଲୋଚନା କରାଯାଇଥିବା ଆଲୋଚନା କରାଯାଇଛି ।
ସମନ୍ବୟ ବୈଠକ ପୂର୍ବରୁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଧ୍ୟକ୍ଷତାରେ ରଥ ଅନୁକୂଳ ଓ ନିର୍ମାଣ ନିମନ୍ତେ ପାଳିଆ ମହାରଣାମାନଙ୍କ ସହିତ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକର ନିଷ୍ପତ୍ତି କ୍ରମେ ଗତ ୨୨ ତାରିଖରେ ବଲ୍ଲଭ ଧୂପ ପରେ ରଥ ଅନୁକୂଳ କରାଯାଇଛି । ରଥ ନିର୍ମାଣ କାର୍ଯ୍ୟ ଆସନ୍ତା ଏପ୍ରିଲ ୧୪ ତାରିଖ ଦିନ ସଂପୂର୍ଣ୍ଣ କରାଯାଇ ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବା ନିମନ୍ତେ ମହାରଣା ସେବାୟତମାନେ ସମ୍ମତି ପ୍ରଦାନ କରିଛନ୍ତି । ୧୫ ତାରିଖ ଦିନ ରଥ ପ୍ରତିଷ୍ଠା ନିର୍ଦ୍ଧାରିତ ସମୟରେ ଶେଷ ହେବା ସହ ୧୬ ତାରିଖ ଦିନ ସେବା ନୀତି ଯଥାଶୀଘ୍ର ଶେଷ କରାଯାଇ ରଥ ଉପରେ ଆବଶ୍ୟକୀୟ ପୂଜା କରି ନିର୍ଦ୍ଧାରିତ ସମୟରେ ରଥ ଟଣାଯିବା ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଛି ।
ନୀତି ନିର୍ଘଣ୍ଟ ଅନୁସାରେ ଭିଡକୁ ଦୃଷ୍ଟିରେ ରଖି ଅଶୋକାଷ୍ଟମୀ ଦିନ ଭୋର ୫ ଟାରୁ ମଙ୍ଗଳ ଆଳତୀ ଓ ଅବକାଶ ପରେ ସାହାଣମେଲା ଦର୍ଶନ ବ୍ୟବସ୍ଥା କରାଯିବ । ପରେ ଅନ୍ୟାନ୍ୟ ନୀତିକାନ୍ତି ସହ ୧୨ ଟାରେ ଯାତ୍ରା ପୂଜା ନୀତି କରାଯାଇ ୧୨ ଟା ୩୦ରୁ ଶ୍ରୀଜିଉ ପହଣ୍ଡି ଓ ରଥାରୁଢ଼ ନୀତି ଆରମ୍ଭ ହେବ । ସମସ୍ତ ପୂଜା ବିଧି ପରେ ଶ୍ରୀଜିଉଙ୍କର ରଥ ପୂଜା ୧ ଟା ୩୦ରେ ରଥ ପୂଜା ସହ ୩ ଟା ୩୦ରେ ରଥଟଣା ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି ।