ରାଉରକେଲା: ମିଳିତ ଟ୍ରେଡ଼ ୟୁନିଅନ ପକ୍ଷରୁ ବିକ୍ଷୋଭ । ଆଜି ରାଉରକେଲା ଇସ୍ପାତ କାରଖାନା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କର୍ମଚାରୀ । ରାଉରକେଲା ଇସ୍ପାତ କାରଖାନାର ମନମାନିକୁ ବିରୋଧ କରି ଠିକା ଶ୍ରମିକ ଏବଂ ସ୍ଥାୟୀ ଶ୍ରମିକଙ୍କ ପାଇଁ ରାଜରାସ୍ତାକୁ ଓହ୍ଲାଇଛି ମିଳିତ ସଂଘ । ଏକାଠି ହୋଇ ରାଉରକେଲା ଇସ୍ପାତ କାରଖାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସଂଘର ସଦସ୍ୟ । ଆରଏସ୍ପିର ଶ୍ରମିକ ମାନଙ୍କୁ ୩୯ ମାସର ଏରିଅର ପ୍ରଦାନ, ନାଇଟ ସିଫ୍ଟ ଆଲାଉନ୍ସ ବୃଦ୍ଧି, ଏସ୍- ୧୨ ଓ ଏସ୍- ୧୩ ଗ୍ରେଡ୍ ପ୍ରଚଳନ କରିବା, ୧୦ମ ବେତନ ଚୁକ୍ତିନାମାକୁ ଏନ୍ଜେସିଏସ୍ର ପୂର୍ଣାଙ୍ଗ ବୈଠକ କରି ସମସ୍ତ ଦାବିକୁ ଲାଗୁ କରାଯିବାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶ୍ରମିକ ସଂଘ ।
ରାଉରକେଲା ବିଶ୍ରା ଛକରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଉରକେଲା ଇସ୍ପାତ କାରଖାନା ବାରମ୍ବାର ଶ୍ରମିକ ମାନଙ୍କ କଥାକୁ ଅଣଦେଖା କରିବା ସହିତ ନିଜର ମନ ଇଚ୍ଛା ଶାସନ ଚଳାଉଥିବା ଅଭିଯୋଗ କରିଛନ୍ତି କର୍ମଚାରୀ ମାନେ । ଯାହାକୁ ନେଇ ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ବିରୋଧରେ ସିଟୁ ସହ ରାଉରକେଲା ଶ୍ରମିକ ସଂଘ, ଗାଙ୍ଗପୁର ମଜଦୂର ମଞ୍ଚ, INTUC, HMS, AICCU, AITUC, INTUC ସମସ୍ତ ଶ୍ରମିକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଦାବି ଗୁଡିକ ହେଉଛି ସମସ୍ତ ଠିକା ଶ୍ରମିକଙ୍କ ପାଇଁ ନୂତନ ବେତନ ଚୁକ୍ତିନାମା, ଏନଜେସିଏସ ମାଧ୍ୟମରେ ସମସ୍ତ ଶ୍ରମିକଙ୍କ ବକେୟା ଦାବି ଗୁଡିକ ପୂରଣ କରିବା । ଠିକା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀକୁ କେନ୍ଦ୍ର ସରକାରଙ୍କ ସର୍ବନିମ୍ନ ମଜୁରୀ ସହ ସମାନ କରାଯାଉ । ଏହା ସହିତ ଠିକା କର୍ମଚାରୀଙ୍କୁ ଠିକା ସଂସ୍ଥା ଦ୍ୱାରା ଶୋଷଣ ବନ୍ଦ କରାଯାଉ ଏବଂ ସମସ୍ତ ଠିକା କର୍ମଚାରୀ ମାନଙ୍କୁ ୧୦ ଲକ୍ଷ ଟଙ୍କାର ଇନ୍ସ୍ୟୁରାନ୍ସ ପ୍ରଦାନ କରିବା ଏବଂ ସମସ୍ତ ଠିକା କର୍ମଚାରୀ ମାନଙ୍କ ସମାନ ଦରମା କରାଯାଉ ବୋଲି ଦାବି ହୋଇଛି । ରାଉରକେଲା ଇସ୍ପାତ କାରଖାନାରେ ଠିକା ସଂସ୍ଥା କର୍ମଚାରୀ ମାନଙ୍କ ଦରମା ଭିନ୍ନ ରହିଛି ଯାହା ସମସ୍ତଙ୍କର ସମାନ କରାଯାଉ ଓ ଦରମା ମଧ୍ୟ ବୃଦ୍ଧି କରାଯିବା ଆଦି ଦାବିକୁ ନେଇ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।