ରାଉରକେଲା:ବିଭିନ୍ନ ପ୍ରକାର ମଞ୍ଜିରେ ତିନି ଠାକୁରଙ୍କ ଚିତ୍ର ଆଙ୍କି ଇଣ୍ଡିଆ ବୁକ ଅଫ ରେକର୍ଡ ସ୍ଥାନ ପାଇଛନ୍ତି ରାଉରକେଲା ଝିଅ। ପାଖେଇ ଆସୁଛି ମହାପ୍ରଭୁଙ୍କ ରଥଯାତ୍ରା। ଯାହା ପାଇଁ ସମସ୍ତେ ନିଜ ନିଜ ଢଙ୍ଗରେ ମହାପ୍ରଭୁଙ୍କ ପ୍ରତି ଭଲ ପାଇବାକୁ ପ୍ରଦର୍ଶନ କରୁଛନ୍ତି। ତେବେ ରାଉରକେଲାର ଝିଅ ମହାପ୍ରଭୁଙ୍କ ଚିତ୍ର ଆଙ୍କି ନିଜର ଭକ୍ତି ପ୍ରଦର୍ଶନ ସହ ନିଜର ଚିତ୍ରକଳାକୁ ପ୍ରଦର୍ଶନ କରିଛନ୍ତି। ତିନି ଠାକୁରଙ୍କ ଚିତ୍ରକୁ ମଞ୍ଜିରେ ଆଙ୍କିଛନ୍ତି ରାଉରକେଲାର ଝିଅ ସ୍ମୃତି ରେଖା ନାୟକ। ମୋଟ ୨୧ ପ୍ରକାର ମଞ୍ଜିରେ ଚିତ୍ର ଆଙ୍କି ଇଣ୍ଡିଆ ବୁକ ଅଫ ରେକର୍ଡ ସ୍ଥାନ ପାଇବା ପରେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ସ୍ମୃତି ରେଖା ।
ସ୍ମୃତି ରେଖା କଖାରୁ, କଲରା, ଲେମ୍ବୁ, ତରଭୁଜ, ଲାଉ, ମୁଗ ଡାଲି, ବିରି ଡାଲି ଆଦି ବିଭିନ୍ନ ମଞ୍ଜିରେ ତିନି ଠାକୁରଙ୍କ ଚିତ୍ର ଆଙ୍କିଛନ୍ତି। ଦୀର୍ଘ 16 ଘଣ୍ଟାର ପରିଶ୍ରମ ପରେ ୨୧ଟି କୁନିକୁନି ମଞ୍ଜିରେ ତିନି ଠାକୁରଙ୍କ ଚିତ୍ରକୁ ଆଙ୍କିଥିଲେ ସ୍ମୃତି ରେଖା। ତେବେ ରାଉରକେଲା ଛେଣ୍ଡ କଲୋନୀ ନିବାସୀ ଶିବ ପ୍ରସାଦ ନାୟକ ଏବଂ ସ୍ଵର୍ଣପ୍ରଭା ନାୟକଙ୍କ ଏକମାତ୍ର ଝିଅ ହେଉଛନ୍ତି ସ୍ମୃତି ରେଖା ନାୟକ। ରାଉରକେଲା ଛେଣ୍ଡ ଚିନ୍ମୟ ବିଦ୍ୟାଳୟରେ ବର୍ତ୍ତମାନ ଦଶମ ଶ୍ରେଣୀରେ ପାଠ ପଢ଼ୁଛନ୍ତି ସ୍ମୃତି ରେଖା।
ତେବେ ସେ ଲକ ଡାଉନ ସମୟରୁ ଏହି ଚିତ୍ର ଅଙ୍କିବା ଆରମ୍ଭ କରିଥିଲେ। ବିଭିନ୍ନ ସାମଗ୍ରୀରେ ଚିତ୍ର ଆଙ୍କି ଧୀରେ ଧୀରେ ମହାପ୍ରଭୁଙ୍କ ଚିତ୍ର ଅଙ୍କିବାରେ ମାହିର ହୋଇଯାଇଥିଲେ ସ୍ମୃତି ରେଖା। ପରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସେ ଆବେଦନ କରିଥିଲେ। ଆଉ ତାଙ୍କ କଠିନ ପରିଶ୍ରମର ଫଳ ସେ ଆଜି ସେ ପାଇଛନ୍ତି। ତେବେ ଏହି ସଫଳତାର ଶ୍ରେୟ ସେ ତାଙ୍କ ପରିବାର ଲୋକଙ୍କୁ ଦେଇଛନ୍ତି।