ରାଉରକେଲା: ମାର୍ଚ୍ଚ 23 ଏହି ଦିନଟି ହେଉଛି ରାଉରକେଲାର ପ୍ରତିଷ୍ଠା ଦିବସ । ଏଠାରେ ଆଜିବି ଦେଖାଦିଏ ଭାଇଚାରାର ଅସଲି ଚିତ୍ର । ସାରା ବିଶ୍ୱର ମିନି ଇଣ୍ଡିଆ ଭାବରେ ପରିଚିତ ଇସ୍ପାତ ନଗରୀ ରାଉରକେଲା । ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ରାଉରକେଲା ସହର । ତେବେ ରୁରକେଲାରୁ ଇସ୍ପାତ ସହର ରାଉରକେଲା ପର୍ଯ୍ୟନ୍ତ ରହିଛି ରାଉରକେଲାର ଇତିହାସ । ଲୋକେ ଆଜି ଯେଉଁ ରାଉରକେଲାକୁ ନିଜ ଆଖିରେ ଦେଖୁଛନ୍ତି ସେ ରାଉରକେଲା ନିର୍ମାଣ ପଛରେ ରହିଛି ଏକ ନିଆରା କାହାଣୀ ।
ରୁରକେଲା-ରାଉରକେଲା: 'ରୁରକେଲା' ଦିନେ ଥିଲା ଏହି ରାଉରକେଲା ସହରର ନାମ । ରାଉରକେଲା ଶବ୍ଦଟି ଏକ ନାଗପୁର ଅଞ୍ଚଳର ଆଦିବାସୀ ଭାଷାରୁ ଆସିଛି । ଯାହାର ପୂର୍ବରୁ ନାମ ଥିଲା 'ରୁରକେଲା' ଏହାର ମାନେ ହେଉଛି ଆମ ଗାଁ (ରୁର -ଆମ , କେଲା-ଗାଁ) ତେବେ ଏହି ରୁରକେଲା ନାମରୁ ଧୀରେ ଧୀରେ ନାମ ପରିବର୍ତ୍ତନ ହୋଇ ଏହାର ନାମ ହୋଇଛି ରାଉରକେଲା । ଅନ୍ୟ ପକ୍ଷରେ ଆଉ ଏକ କଥା ରହିଛି ଯେ ଯେତେବେଳେ ବ୍ରିଟିଶ ସରକାର ଏହି ଅଞ୍ଚଳକୁ ଆସିଥିଲେ ଏବଂ ଏଠାକାର ଆଦିବାସୀ ଲୋକଙ୍କୁ ଏହି ସ୍ଥାନର ନାଁ ପଚାରିଥିଲେ ଏବଂ ଆଦିବାସୀ ଲୋକେ ରୁରକେଲା କହିଥିବା ବେଳେ ଇଂରେଜ ଲୋକେ ଏହାକୁ ରାଉରକେଲା ବୋଲି ଉଚ୍ଚାରଣ କରିଥିଲେ । ଧୀରେ ଧୀରେ ରାଉରକେଲା ନାମରେ ଏହା ପରିଚିତ ହୋଇଥିଲା ।
ଇସ୍ପାତ କାରଖାନା:ଭାରତ ସ୍ୱାଧୀନ ହେବାର ମାତ୍ର ପାଞ୍ଚ ବର୍ଷ ବିତିଥିଲା । ଏହି ସମୟରେ କେନ୍ଦ୍ର ସରକାର ବା ତତ୍କାଳୀନ ଭାରତର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଏବଂ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଏବଂ ଦେଶର ନାମୀ ବ୍ୟକ୍ତିବିଶେଷମାନଙ୍କ ସହ ଆଲୋଚନା ପରେ ଦ୍ୱିତୀୟ ପଞ୍ଚ ବାର୍ଷିକ ଯୋଜନାକୁ ଆଖି ଆଗରେ ରଖି ଭାରତର ଶିଳ୍ପ ଜଗତରେ ଏକ ରିଭଲ୍ୟୁସନ ଆଣିବା ପାଇଁ ନିଶ୍ଚିତ କରାଗଲା । ଯେଉଁଥିପାଇଁ ଦେଶରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଅଣ୍ଟା ଭିଡ଼ିଲେ ସରକାର । ସାରା ଦେଶରେ ବିଭିନ୍ନ ସ୍ଥାନରେ ସର୍ଭେ ହେବା ପରେ ସେହି ସମୟର ଓଡିଶା ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ଛୋଟା ନାଗପୁର ଡିଭିଜନରେ ଅବସ୍ଥିତ 'ରୁରକେଲା' ଗ୍ରାମକୁ ଦେଶର ପ୍ରଥମ ପବ୍ଲିକ ସେକ୍ଟର କାରଖାନା ସ୍ଥପନ କରିବା ପାଇଁ ନିରୂପଣ କରାଗଲା ।
ସ୍ଥାନ ନିରୂପଣ ହେବା ପରେ ଠିକ ୧୯୫୨ ମସିହାରେ ଦେଶର ପ୍ରଥମ ପବ୍ଲିକ ସେକ୍ଟର ନିର୍ମାଣ ପାଇଁ ଜର୍ମାନୀର ଏକ କମ୍ପାନୀ ସରକାରଙ୍କ ସହ ବାନ୍ଧିତ ହୋଇ ଦେଶର ପ୍ରଥମ ପବ୍ଲିକ ସେକ୍ଟରର ନିର୍ମାଣ ଆରମ୍ଭ କଲେ । 1954 ମସିହା ମାର୍ଚ୍ଚ ୨୩ ତାରିଖରେ ଲୋକଙ୍କ ରହିବା ପାଇଁ ନିର୍ମାଣ ହେଲା ଏକ କଲୋନୀ । ଜର୍ମାନ ଟେକ୍ନୋଲୋଜିରେ ଏବଂ ମେସିନରେ ଏଠାରେ ରାଉରକେଲା ଇସ୍ପାତ କାରଖାନା ନିର୍ମାଣ କରାଗଲା । 'ରୁରକେଲା' ଗ୍ରାମ ପାଲଟିଲା ଦେଶର ପ୍ରଥମ ପବ୍ଲିକ ସେକ୍ଟର । ନିର୍ମାଣ ଶେଷ ହେବା ପରେ ଠିକ ୧୯୫୯ ଫେବୃଆରୀ ୩ ତାରିଖରେ ଜର୍ମାନ ଟେକ୍ନୋଲୋଜି ବିଶିଷ୍ଟ ଏହି ଇସ୍ପାତ କାରଖାନାକୁ ଉଦଘାଟନ କରିଥିଲେ ଦେଶର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଏବଂ ପ୍ରଥମ ପ୍ରଧାନମନ୍ତ୍ରୀ ଜବହାର ଲାଲ ନେହେରୁ ।
ସେତବେଳେ ଏହି ପ୍ଲାଣ୍ଟ ହିନ୍ଦୁସ୍ତାନ ଷ୍ଟିଲ ଲିମିଟେଡ଼ ଦ୍ୱାରା ପରିଚାଳିତ ହେଉଥିଲା । ଧୀରେ ଧୀରେ ଜର୍ମାନମାନଙ୍କ ଦ୍ୱାରା ଏହି ଷ୍ଟିଲ ପ୍ଲାଣ୍ଟର ନାମ ଦିଆଗଲା ରାଉରକେଲା ଷ୍ଟିଲ ପ୍ଲାଣ୍ଟ । ଏହାର କାଳକ୍ରମେ 1973 ଜାନୁଆରୀ 24ରେ ସ୍ଥାପନ ହୋଇଥିଲା SAIL( ଷ୍ଟିଲ ଅଥୋରିଟି ଅଫ ଇଣ୍ଡିଆ ଲିମିଟେଡ଼) ଯାହା ହିନ୍ଦୁସ୍ତାନ ଷ୍ଟିଲ ଲିମିଟେଡ଼କୁ ଟେକ ଓଭର କରିଥିଲା।
ରାଉରକେଲା ସହର: ନଦୀ କୂଳରେ ଅବସ୍ଥିତ ଥିବା ଏହି ରାଉରକେଲା ସହର ଧୀରେ ଧୀରେ ଉନ୍ନତି ଦିଗରେ ଆଗେଇଲା । ଜନ ବସତି ମଧ୍ୟ ବଢ଼ିବାରେ ଲାଗିଲା । ତ୍ରିବେଣୀ ସଙ୍ଗମ କୁହାଯାଉଥିବା ବ୍ରାହ୍ମଣୀ ନଦୀ ପାର୍ଶ୍ଵ ଏବଂ କୋଏଲ ନଦୀ ଚାରି ପାଖରେ ଗଢି ଉଠିଥିଲା ଏକ ସ୍ୱପ୍ନର ସହର ରାଉରକେଲା ସହର । ଏଠାରେ ରହିଛି ଇସ୍ପାତ କାରଖାନା, ହନୁମାନ ବାଟିକା, ମହାଭାରତ ରଚନା ସ୍ଥଳ ବେଦବ୍ୟାସ ପୀଠ, ବୈଷ୍ଣ ଦେବୀ ମନ୍ଦିର, ହିଲ ଟପ, ଭଳି ଅନେକ ସ୍ଥାନ ଯାହା ଏହି ରାଉରକେଲା ସହରର ସୁନ୍ଦରତା ଆହୁରି ବଢ଼ାଉଛି ।