ଭୁବନେଶ୍ୱର:ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ଟୁକୁନି ସାହୁଙ୍କ ସଭାପତିତ୍ୱରେ ରାଜ୍ୟ ସଡକ ସୁରକ୍ଷା କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ବୃଦ୍ଧି ପାଉଛି । ୨୦୨୩ ମସିହାରେ ସଡକ ଦୁର୍ଘଟଣାରେ ପ୍ରାୟ ୫,୬୦୦ ଜଣ ପ୍ରାଣ ହରାଇଛନ୍ତି । ଏଥିରୁ ୭୦% ହେଉଛନ୍ତି ଯୁବ ବର୍ଗ । ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ବିଭିନ୍ନ ପଞ୍ଚାୟତିରାଜ ପ୍ରତିଷ୍ଠାନର ସଦସ୍ୟ ଯଥା ସରପଞ୍ଚଙ୍କୁ ସଂଶ୍ଲିଷ୍ଟ କରି ଗ୍ରାମ୍ୟ ସ୍ତରରେ ସଚେତନତା କାର୍ଯ୍ୟକ୍ରମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲମେଟ ଆଇନକୁ କଡାକଡି ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ସଡକ ଦୁର୍ଘଟଣା ଯୋଗୁଁ ଅନେକ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିବା ଯୋଗୁଁ ପୋଲିସ ବହୁ ସମୟରେ ଅସୁବିଧାରେ ପଡୁଛି । ତେଣୁ ପୋଲିସ ମହାନିର୍ଦେଶକ ଅରୁଣ ଷଡଙ୍ଗୀ ସମସ୍ତ ଥାନାକୁ ଏହି ବାବଦରେ ନିର୍ଦ୍ଦେଶ ଦେବା ପାଇଁ ପ୍ରସ୍ତାବ ଦେଇଛନ୍ତି । ମୁଖ୍ୟତଃ ଜାତୀୟ ରାଜପଥ ୧୬ ଓ ଜାତୀୟ ରାଜପଥ ୩୧୬କୁ ଆଦର୍ଶ ରାସ୍ତା ଭାବେ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି । NHAI ଅଧିକାରୀ ଜୁନ ମାସ ଶେଷ ସୁଦ୍ଧା ଏହି ରାସ୍ତାର ଅଡିଟ କରି ଉପଯୁକ୍ତ ସୂଚନା ଫଳକ ଲଗାଇବେ । ରାସ୍ତାରେ ଦୁର୍ଘଟଣା ସଂଖ୍ୟା ଯେପରି ହ୍ରାସ ପାଇବା ସେଥିପ୍ରତି ପଦକ୍ଷେପ ନେବେ ।
ଉନ୍ନୟନ କମିସନର ଅନୁ ଗର୍ଗ ପ୍ରତିଦିନ ରାଜ୍ୟରେ ପ୍ରାୟ ୧୫ଟି ଦୁର୍ଘଟଣା ଜନିତ ମୃତ୍ୟୁ ଘଟୁଥିବାରୁ ଚିନ୍ତାବ୍ୟକ୍ତ କରିଛନ୍ତି । ଆଗାମୀ ୩ ମାସ ମଧ୍ୟରେ ସମସ୍ତ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ସୁରକ୍ଷା ଅଡିଟ ଶେଷ କରାଯିବ । ଅଡିଟ ରିପୋର୍ଟ ଅନୁଯାୟୀ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ । ଉନ୍ନୟନ କମିଶନର ଏନେଇ ନିର୍ମାଣ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାର ଏକ ସମୀକ୍ଷା ବୈଠକ ଉନ୍ନୟନ କମିସନରଙ୍କ ଦ୍ୱାରା ୩ ମାସ ପରେ କରାଯିବ । ରାଜପଥ ପାଟ୍ରୋଲର ଅଧିକାରୀଙ୍କୁ ଧାରା ୧୮୫ ଅନୁଯାୟୀ ମଦ୍ୟପ ଗାଡି ଚାଳକଙ୍କୁ ଧରିବା ପାଇଁ କ୍ଷମତା ମିଳିବ । କୋରାପୁଟ ଜିଲ୍ଲା, ବିଜୁ ଏକ୍ସପ୍ରେସ ରାସ୍ତା ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ରାଜପଥ ପେଟ୍ରୋଲ ଯାନ ମୁତୟନ କରାଯିବ ।