ଓଡିଶା

odisha

ETV Bharat / state

ରାସ୍ତା ପାର୍ ବେଳେ ମାଡ଼ିଗଲା ଟ୍ରକ, ମାଆ ଆଗରେ ଚାଲିଗଲା ଝିଅର ଜୀବନ

Bhubaneswar Accident: ରାସ୍ତା ପାର୍ ହେଉଥିବା ବେଳେ ମାଆ ଆଗରେ ଚାଲିଗଲା ଝିଅର ଜୀବନ । ଭୁବନେଶ୍ୱର ଖଣ୍ଡଗିରି ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଅଧିକ ପଢନ୍ତୁ

Bhubaneswar Accident
କାଳ ହେଲା ରାସ୍ତା ପାର୍

By ETV Bharat Odisha Team

Published : Feb 13, 2024, 8:42 AM IST

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି ବରମୁଣ୍ଡା ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମାଆ ଆଖି ଆଗରେ ଝିଅ ଉପରେ ମାଡିଗଲା ଟ୍ରକ । ମାଆ ଓ ଝିଅ ରାସ୍ତା ପାର୍ ହେଉଥିବା ବେଳେ ଝିଅଟିକୁ ଏକ ଟ୍ରକ ଧକ୍କା ଦେଇଥିଲା । ଦୁର୍ଘଟଣାରେ ମାଆ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଘଟଣାସ୍ଥଳରେ ଝିଅର ମୃତ୍ୟୁ ହୋଇଛି । ଖବର ପାଇ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଗତକାଲି (ସୋମବାର) ଅପରାହ୍ନ ପ୍ରାୟ ୪ଟା ସମୟରେ ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି-ବରମୁଣ୍ଡା ରାସ୍ତା ତପୋବନ ପେଟ୍ରୋଲ ପମ୍ପ ନିକଟରେ ମାଆ-ଝିଅ ରାସ୍ତା ପାର୍ ହେଉଥିଲେ । ଏହି ସମୟରେ ଖଣ୍ଡଗିରି ଓଭରବ୍ରିଜ ଆଡୁ ଆସୁଥିବା ଏକ ଟ୍ରକ ତାଙ୍କ ଉପରେ ଚଢ଼ି ଯାଇଥିଲା । ମୁଣ୍ଡରେ ଆଘାତ ଯୋଗୁଁ ପ୍ରବଳ ରକ୍ତସ୍ରାବ ହେବା ସହ ଘଟଣାସ୍ଥଳରେ ଝିଅଟିର ମୃତ୍ୟୁ ହୋଇଥିଲା । ମୃତକ ଜଣକ ପୁରୀ ଜିଲ୍ଲା କଣାସ ଅଞ୍ଚଳର ମନ୍ଦାରବସ୍ତ ଅଞ୍ଚଳର 16 ବର୍ଷୀୟା ସସ୍ମିତା ପ୍ରଧାନ । ସେ ଅରବିନ୍ଦ କଲେଜରେ ଯୁକ୍ତ ଦୁଇରେ ପାଠ ପଢୁଥିଲେ । ସସ୍ମିତା ହଷ୍ଟେଲରେ ରହୁଥିବା ବେଳେ ତାଙ୍କୁ ଘରକୁ ନେବା ପାଇଁ ତାଙ୍କର ମାଆ ଭୁବନେଶ୍ୱର ଆସିଥିବା ବେଳେ ଏହି ଅଘଟଣ ଘଟିଛି ।

ଏହାମଧ୍ୟ ପଢନ୍ତୁ...ଦୁର୍ଘଟଣା ପରେ ବାଇକ ଚାଳକଙ୍କୁ ପିଟି ପିଟି ହତ୍ୟା ! ତହସିଲଦାରଙ୍କ ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ

ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ଏଥିସହ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଦୁର୍ଘଟଣା ପରେ ଦୀର୍ଘ ସମୟ ଧରି ରାସ୍ତା ଜାମ ଦେଖିବାକୁ ମିଳିଥିଲା । ଏଭଳି ମାଆ ଆଖି ଆଗରେ ଝିଅର ଜୀବନ ଚାଲିଯିବା ଘଟଣାକୁ ନେଇ ଶୋକର ଛାୟା ଖେଳିଯାଇଛି ।

ଏନଏଚ ଉପରେ ଏଭଳି ଦୁର୍ଘଟଣା ଘଟିବା ନୂଆ ନୁହେଁ । ରାସ୍ତା ପାର୍ ସମୟରେ ଅନେକ ଦୁର୍ଘଟଣାର ନଜିର ରହିଛି । ଏହି ଦୁର୍ଘଟଣାର ମୁକାବିଲା କରିବା ଏବେ ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ପାଲଟିଛି । ତେବେ ବିନା ଫୁଟ୍ ଓଭରବ୍ରିଜ ଯୋଗୁଁ ଖଣ୍ଡଗିରି ପାଖ ତପୋବନ ଆଡୁ ଆସୁଥିବା ଅଧିକାଂଶ ଲୋକେ ବିପଦସଂକୁଳ ଅବସ୍ଥାରେ ଯିବାଆସିବା କରୁଛନ୍ତି । ଫଳରେ ଦୁର୍ଘଟଣା ଦେଖିବାକୁ ମିଳୁଛି । । ତୁରନ୍ତ ଏନେଇ ପ୍ରଶାସନ ପଦକ୍ଷେବା ନେବା ସହ ରାସ୍ତା ଅତିକ୍ରାନ୍ତ ଲୋକଙ୍କ ପାଇ କଡା ଚେତାବନୀ ବା ବିପଦ ଫଳକ ଲଗାଇବା ନେଇ ଦାବି ଉଠିଛି ।


ଇଟିିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details