ଭୁବନେଶ୍ବର: ପ୍ରଚଣ୍ଡ ତାତିରେ ବିରାମ ଲଗାଇଛି କାଳବୈଶାଖୀ । ରାଜ୍ୟରେ ଜାରି ରହିଛି କାଳବୈଶାଖୀ ଜନିତ ବର୍ଷା ସହ ବିଜୁଳି ଘଡ଼ଘଡି । ଏଭଳି ସ୍ଥିତି ଆଗାମୀ 5 ଦିନ ପର୍ଯ୍ୟନ୍ତ ଲାଗି ରହିବ । ଫଳରେ ଅନେକ ସ୍ଥାନରେ ବର୍ଷା ବିଜୁଳି ସହ ଝଟକା ପବନ ବହିବାର ସମ୍ଭାବନା ରହିଛି । ସେହିପରି ଆସନ୍ତା 5 ଦିନ ପରେ ଅର୍ଥାତ 17 ତାରିଖ ବେଳକୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ।
ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗି ରହିଥିବା ବେଳେ ଆହୁରି ୫ ଦିନ ଏଭଳି ପାଗ ଜାରି ରହିବ । ଉପକୂଳ ଓଡ଼ିଶାରେ ବିଶେଷ ଭାବେ ବର୍ଷାର ପ୍ରଭାବ ଅଧିକ ରହିଛି । ତେବେ ଉତ୍ତର ବିହାରରୁ ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ଏକ ନିମ୍ନଚାପ ରେଖା ଗତି କରୁଛି । ନିମ୍ନଚାପ ରେଖା ଘୁର୍ଣ୍ଣିବଳୟର ରୂପ ନେଇଛି । ଏହା ପ୍ରଭାବରେ ବଙ୍ଗୋପସାଗରରୁ ରାଜ୍ୟ ମଧ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହିତ ହେଉଛି । ଫଳରେ ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିଛି । ରାଜ୍ୟରେ ଆଗାମୀ 5 ଦିନ ପର୍ଯ୍ୟନ୍ତ ପାଗରେ ବିଶେଷ ପରିବର୍ତ୍ତନ ହେବାକୁ ନଥିବା ବେଳେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ପବନ ଲାଗିରହିବ ।
ଆସନ୍ତାକାଲି ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଯାହାକୁ ନେଇ ଜିଲ୍ଲାଗୁଡ଼ିକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହାସହ ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୋଳ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କଟକ ଜିଲ୍ଲାରେ 40ରୁ 50 କିମି ବେଗରେ ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିପରି 13 ତାରିଖରେ ଉପକୂଳ ଅଞ୍ଚଳ ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।