ରାୟଗଡା:ଆଗକୁ ଆସୁଛି ସାଧାରଣ ନିର୍ବାଚନ । ଏଥି ପାଇଁ ଜାତୀୟ ନିର୍ବାଚନ କମିଶନ କୌଣସି ବିଜ୍ଞପ୍ତି ଦେଇ ନ ଥିଲେ ସୁଦ୍ଧା ପରୋକ୍ଷରେ ପ୍ରାକ ପ୍ରସ୍ତୁତି କରିବା ପାଇଁ ଇଙ୍ଗିତ ଦେଇ ସାରିଛି । ଏହି କ୍ରମରେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ସଜବାଜ ଆରମ୍ଭ କରିଛି ରାୟଗଡା ଜିଲ୍ଲା ପ୍ରଶାସନ । ଆଜି ରାୟଗଡା ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଏବଂ ଉପଜିଲ୍ଲାପାଳ ସୁଶ୍ରୀ କିରଣଦୀପ କୌର ଗୁଣୁପୁର ନିର୍ବାଚନ ମଣ୍ଡଳୀରେ ସାଧାରଣ ନିର୍ବାଚନର ପୂର୍ବ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏହି ଗସ୍ତ ସମୟରେ ସହକାରୀ ଜିଲ୍ଲାପାଳ ସତ୍ୟଜିତ ନାୟକ, ଗୁଣୁପୁର ପ୍ରକଳ୍ପ ପ୍ରଶାସିକା ଶାନ୍ତିପ୍ରଭା ପ୍ରଧାନ, ଗୁଣୁପୁର ତହସିଲଦାର ଲୀଳାବତୀ ଆଚାର୍ଜୀ, ବିଡ଼ିଓ ଶ୍ରଦ୍ଧାଞ୍ଜଳି ପ୍ରଧାନ, ପୂର୍ତ୍ତ ବିଭାଗ ଯନ୍ତ୍ରୀ ରବିଶଙ୍କର ଶର୍ମା, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସୁରଜ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଗୁଣୁପୁରରେ ନିର୍ବାଚନ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଷ୍ଟ୍ରଙ୍ଗ ରୁମ ଏବଂ ଗାଡି ପାର୍କିଂ ପାଇଁ ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ପଡିଆର ବ୍ୟବସ୍ଥା ଉପରେ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ଚଳିତ ସାଧାରଣ ନିର୍ବାଚନ କିପରି ଶାନ୍ତି ଶୃଙ୍ଖଳା ର ସହିତ ନିର୍ବାଚନ ସମ୍ପର୍ଣ୍ଣ ହେବ ତା ଉପରେ ମଧ୍ୟ ଆଲୋଚନା କରିଥିଲେ । ଏହି ଗସ୍ତ ସମୟରେ ରାୟଗଡା ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ ଗୁଣୁପୁର କଲେଜରେ 5Tର କାମ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅନୁଦାନରେ ଚାଲିଥିବା ଶେଫାଳି ପାହାଡ଼ରେ ଥିବା ଶୈବ ମନ୍ଦିର ର ଉନ୍ନତୀକରଣ କାମକୁ ତଦାରଖ କରିଥିଲେ । ଏହି ଗସ୍ତ ବେଳେ ଗୁଣୁପୁର କଲେଜର ଅଧ୍ୟକ୍ଷ ଶଶୀ ମହାନ୍ତି ଏବଂ ମନ୍ଦିର କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ ।