କଟକ: ଆଜି ହେଉଛି ପବିତ୍ର ରାମ ନବମୀ । ପରମ୍ପରା ଅନୁସାରେ ଆଜି ଦିନରେ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ଚିରଟ କାମର ଅନୁକୂଳ ହୋଇଥାଏ । ପ୍ରଥମେ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ପହଞ୍ଚିଥାନ୍ତି । ପରେ ଯଥାବିଧି ଅନୁସାରେ ପୂଜାର୍ଚ୍ଚନା କରାଯାଇ ଆରମ୍ଭ ହୋଇଥାଏ କାଠ ଚିରଟ କାମ । ସେହି ପରିପ୍ରେକ୍ଷୀରେ ଆଜି କଟକ ଖପୁରିଆ ଠାରେ ଥିବା ବନ ବିଭାଗର ସରକାରୀ କରତ କଳରେ ରଥ ନିର୍ମାଣ ପାଇଁ କାଠ ଚିରା କାମ ଆରମ୍ଭ ହୋଇଛି ।
ଆଜି ଦିନ ପ୍ରାୟ ୩ଟା ବେଳେ ପୁରୀ ଶ୍ରୀମନ୍ଦିରରୁ ଆଜ୍ଞାମାଳ ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଏବଂ ମହାରଣା ଖପୁରିଆ କରତ କଳରେ ପହଞ୍ଚିଥିଲେ । ଆଜ୍ଞାମାଳ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ସଂକୀର୍ତ୍ତନ । ଝାଞ୍ଜ, ମୃଦଙ୍ଗର ତାଳେ ତାଳେ ଶ୍ରୀମନ୍ଦିରର ଦୁଇ ମୁଖ୍ୟ ମହାରଣା ଆଜ୍ଞାମାଳ ନେଇ କାଠ ଚିରଟ ସ୍ଥାନରେ ପହଞ୍ଚିବା ପରେ ଯଥାବିଧି ଅନୁସାରେ କରାଯାଇଥିଲା ପୂଜାର୍ଚ୍ଚନା । ଆଉ ତାପରେ ଆରମ୍ଭ ହୋଇଥିଲା କାଠ ଚିରଟ କାମ । ରଥର ଚକ, ଅଖ, ପହି, ଅର ଆଦି ନିର୍ମାଣ ପାଇଁ ଏହି କାଠ ସବୁ ଲାଗିବ । ତେବେ ସେ ସବୁକୁ ପର୍ଯ୍ୟାୟକ୍ରମେ ଠିକ୍ ସମୟରେ ଗାଡିରେ ବୋହି ନେଇ ଆବଶ୍ୟକତା ଅନୁସାରେ ପୁରୀକୁ ପଠାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ।