ପୁରୀ: ରଥଟଣା ବେଳେ ବଡ଼ ଅଘଟଣ । ଠେଲାପେଲାରେ ଅନେକ ଆହତ ହୋଇଥିବାବେଳେ ଅଣନିଶ୍ବାସୀ ହୋଇ ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥଟଣାବେଳେ ହଠାତ ଠେଲାପେଲା ହୋଇଥିଲା । ଫଳରେ ଅନେକ ଲୋକ ତଳେ ପଡିଯାଇଥିଲେ । ତେବେ ଜଣେ ବ୍ୟକ୍ତି ଅଣ ନିଶ୍ୱାସୀ ହୋଇପଡ଼ିଥିଲେ । ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ମୃତ ବ୍ୟକ୍ତି ଜଣଙ୍କ ବଲାଙ୍ଗୀର ସଇଁତଳାର ଲଳିତ ବଗର୍ତ୍ତି ବୋଲି ଜଣାପଡିଛି । ଶ୍ରଦ୍ଧାଳୁଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଆହତମାନଙ୍କୁ ବିନା ମୂଲ୍ୟରେ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଏଭଳି ଅଘଟଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି, "ଆସନ୍ତାକାଲି ରଥଟଣାରେ ଅଧିକ ସୁରକ୍ଷା ବ୍ୟବସ୍ଥା ହେବ ।" ଜଣେ ଭକ୍ତ ଅଣନିଃଶ୍ବାସୀ ହୋଇ ମୃତ୍ୟୁ ବରଣ କରିଥିବା ନେଇ ଖବର ପାଇବା ପରେ ସ୍ବାସ୍ଥ୍ୟମନ୍ତ୍ରୀ ନିଜେ ପୁରୀ ମେଡ଼ିକାଲ ଆସିଛନ୍ତି । ସେଠାରେ ସେ ଆହତଙ୍କୁ ଭେଟିଛନ୍ତି। ଚିକିତ୍ସା ସେବାରେ ଯେଭଳି ଅବହେଳା ନହୁଏ ସେନେଇ ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, "ପ୍ରବଳ ଗୁଳୁଗୁଳି ଯୋଗୁ ଅନେକ ଭକ୍ତ ବେହୋସ ହୋଇଯାଇଥିଲେ । ତେବେ ସେମାନଙ୍କୁ ଉଦ୍ଧାର କରାଯାଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରଯାଇଥିଲା । ହେଲେ ଦୁର୍ଭାଗ୍ୟର ବିଷୟ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଆସନ୍ତାକାଲି ରଥଟଣାବେଳେ ଭକ୍ତଙ୍କ ସୁରକ୍ଷା ପାଇଁ ଆହୁରି ଅଧିକ ପଦକ୍ଷେପ ନିଆଯିବ।" ଏନେଇ ସେ ପୋଲିସ ବିଭାଗର ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରିଥିବା କହିଛନ୍ତି । ତେବେ ପୁରୀ ମେଡିକାଲରେ ଚିକିତ୍ସା ସେବା ବଢ଼ାଇବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।