କେନ୍ଦୁଝର: ନାବାଳିକା ଦୁଷ୍କର୍ମ ମାମଲା ଆସିଛି ରାୟ । ପାଠ ପଢାଇବାକୁ ଆଣି ଘୃଣ୍ୟ କାମ କରିଥିଲା ଅଭିଯୁକ୍ତ। ଦୁଷ୍କର୍ମ କରି ଅନ୍ତଃସତ୍ତ୍ବା କରିବା ଘଟଣାରେ ଅଭିଯୁକ୍ତ ଅଂଶୁମାନ ମହାପାତ୍ର (୩୧)କୁ ଫାଷ୍ଟଟ୍ରାକ୍ କୋର୍ଟ କେନ୍ଦୁଝରର ବିଚାରପତି ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ।
ସୂଚନାଯୋଗ୍ୟ ଯେ କେନ୍ଦୁଝର ଟାଉନ ଥାନା ଅଧୀନ ସରାସ ଗ୍ରାମର ଅଂଶୁମାନ ମହାପାତ୍ରଙ୍କ ସ୍ତ୍ରୀ ନିକଟସ୍ଥ ଏକ ଗ୍ରାମର ୧୨ବର୍ଷର ଆଦିବାସୀ ନାବାଳିକାର ମା’ ମୃତ୍ୟୁ ପରେ ପାଠ ପଢ଼ାଇବା କହି ନିଜ ଘରକୁ ଆଣିଥିଲେ । ନାବାଳିକାଙ୍କ ନିକଟସ୍ଥ ବିଦ୍ୟାଳୟରେ ନାମ ମଧ୍ୟ ଲେଖାଇଥିଲେ । ଏକ ଦେୱାନୀ ମାମଲାରେ ଟାଉନ ଥାନା ପୋଲିସ ଅଂଶୁମାନଙ୍କ ଘରେ ଚଢ଼ଉ ସମୟରେ ତାଙ୍କ ଘରେ କାମ କରୁଥିବା ଏକ ନାବାଳିକାକୁ ଉଦ୍ଧାର କରି ବଣିଆପାଟ ସ୍ଥିତ ଓପନସେଲଟର ହୋମରେ ଛାଡିଥିଲା ।
କିଛିଦିନ ପରେ ସମ୍ପୃକ୍ତ ନାବାଳିକା ଜଣକ ଗର୍ଭବତୀ ଥିବା ଅନୁମାନ କରି ସଖୀ ୱାନ ଷ୍ଟଫ ସହାୟତାରେ ନାବାଳିକା ଜଣକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରିବାରୁ ୬ ମାସର ଗର୍ଭବତୀ ଥିବା ଜଣାପଡିଥିଲା । ଏ ସମ୍ପର୍କରେ ନାବାଳିକା ଜଣକୁ ପଚରାଯିବାରୁ ଘରେ ସ୍ତ୍ରୀ ଅନୁପସ୍ଥିତ ଥିବା ସମୟରେ ଅଂଶୁମାନ ତାକୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିବା ପ୍ରକାଶ କରିଥିଲେ । ଏ ସମ୍ପର୍କରେ ଓପନ ସେଲଟର ହୋମର ସମାଜସେବୀ ମୋନିକା ସାହୁ ୨୩ ଜୁନ ୨୦୨୧ରେ ଟାଉନ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇ ଅଭିଯୁକ୍ତ ଅଂଶୁମାନକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ।