ପୁରୀ:ପାଖେଇ ଆସୁଛି ମହାପ୍ରଭୁଙ୍କ ରଥ ଯାତ୍ରା । ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡ଼ । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି ଅନୁଷ୍ଠିତ ହେଉଛି । ମହାପ୍ରଭୁଙ୍କ ସଂଧ୍ୟାଧୂପ ନୀତି ସରିବା ପରେ ଆଜ୍ଞାମାଳ ପାଇ ପ୍ରଭୁ ମଦନମୋହନ ଖଟ ଉପରକୁ ବିଜେ କରିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଜଗମୋହନ ଭିତର ଅନ୍ଧାର କରାଯାଇଥାଏ । ମହାପ୍ରଭୁଙ୍କ ଆଲଟ ଲାଗି ନୀତି ସରିବା ପରେ ଡ଼ଗର ଆସି ମଦନମୋହନଙ୍କ ନିକଟରେ ରୁକ୍ମିଣୀ ବିବାହ ପ୍ରସ୍ତାବ ଜଣାଇବେ । ତାପରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି ସାରି ସୁସଜ୍ଜିତ ରଥରେ ମଦନମୋହନ ଘଣ୍ଟ, ଛତା, କାହାଳି ଓ ପଟୁଆର ମଧ୍ୟରେ ଶ୍ରୀମନ୍ଦିର ବେଢା ପରିକ୍ରମା କରିବେ ।
ଆସନ୍ତାକାଲି ଏକାଦଶୀ ତିଥିରେ ମହାପ୍ରଭୁଙ୍କ ରୁକ୍ମିଣୀ ବିବାହ ଉତ୍ସବ ବିଧି ଅନୁସାରେ ପାଳନ କରାଯିବ । ତେବେ ପବିତ୍ର ତିଥିକୁ ନେଇ ଶ୍ରୀମନ୍ଦିର ଚଳଚଞ୍ଚଳ । ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ବେଶ ଭିଡ଼ ଦେଖିବାକୁ ମିଳିଛି ଶ୍ରୀମନ୍ଦିରରେ । ସେପଟେ ରଥଖଳାରେ ମହାପ୍ରଭୁଙ୍କ ରଥ ନିର୍ମାଣ ଚାଲିଥିବା ବେଳେ ଏହାକୁ ଦେଖିବାକୁ ରଥ ଖଳା ନିକଟରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁଛି ।
ଦେବସ୍ନାନ ପୂର୍ଣ୍ଣିମା ନଆସୁଣୁ ତିନି ରଥର ଅର୍ଦ୍ଧାଧିକ କାମ ସରିବାକୁ ବସିଲାଣି । ଟାର୍ଗେଟ ଥାଏ ଦେବସ୍ନାନ ପୂର୍ଣ୍ଣିମା ଦିନ ତିନି ରଥର ଚାରିନାହାକା ଉଠିବ । କିନ୍ତୁ ଭୋଇ ସେବକମାନେ ମହାରଣାଙ୍କ ନିର୍ଦ୍ଦେଶରେ ତିନି ରଥର ଚାରି ନାହାକା ଉଠାଇବା ସହ ତୃତୀୟ ହରିବୋଲ ପକାଇଛନ୍ତି । ଶୀତଳଷଷ୍ଠୀ ପୂର୍ବଦିନ ତିନିରଥର ସମସ୍ତ ୪୨ ଚକ ସହ ୨୧ ଅଖ ସଂଯୋଗ ହୋଇ ଡେରା ଯାଇଥିଲା ।