ଭୁବନେଶ୍ବର: ପୁରୀରୁ କୋଣାର୍କ ଚାଲିବ ଟ୍ରେନ । ଶ୍ରୀକ୍ଷେତ୍ର ପୁରୀରୁ କୋଣାର୍କ ଯାଏଁ 32 କିମି ରେଳ ଲାଇନ ତିଆରି ହେବ । ପୁରୀ - କୋଣାର୍କ ରେଳ ଲାଇନ୍ ପାଇଁ 492 କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ରୁଟ୍ ପାଇଁ ଭିଷ୍ଟାଡୋମ୍ ଟ୍ରେନ ଚାଲିବ । ଯାହାଫଳରେ ଯାତ୍ରୀମାନେ ଯାତ୍ରା ସମୟରେ ଚାରିପାଖରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ । ଏନେଇ ଖୋଦ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ଘୋଷଣା କରିଛନ୍ତି । ଜମି ଅଧିଗ୍ରହଣ ପାଇଁ ସେ ରାଜ୍ୟ ସରକାରଙ୍କ ସହଯୋଗ ମଧ୍ୟ ଲୋଡ଼ିଛନ୍ତି ।
ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, "ଦାର୍ଘ ଦିନରୁ ପୁରୀ-କୋଣାର୍କ ଟ୍ରେନ ପାଇଁ ଦାବି ହୋଇଆସୁଥିଲା । ଆଜି ଖୁସିର ସହିତ ଏହା ଘୋଷଣା କରୁଛି । ପୁରୀ-କୋଣାର୍କ ଟ୍ରେନ୍ ସେବାକୁ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି । 32 କିମି ଟ୍ରେନ୍ ଲାଇନ୍ ପାଇଁ ପ୍ରାୟ 492 କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ରୁଟ୍ରେ ଭିଷ୍ଟାଡୋମ ଟ୍ରେନ ଚାଲିବ । ଟ୍ରେନ ଭିତରେ ଜଗନ୍ନାଥଙ୍କ ସଂସ୍କୃତି ସ୍ଥାନ ପାଇବ । ଟ୍ରେନ ଭିତରେ AR-VR ଟେକ୍ନୋଲୋଜିରେ ଜଗନ୍ନାଥ ସଂସ୍କୃତି ଦର୍ଶନର ବ୍ୟବସ୍ଥା ରହିବ । ଜଗନ୍ନାଥ ସଂସ୍କୃତି ବିଷୟରେ ଲୋକ ଜାଣିବା ସହ ଆଧ୍ୟାତ୍ମିକ ଏବଂ ଐତିହାସିକ ପର୍ଯ୍ୟଟନରେ ଅଧିକ ବିକାଶ ହୋଇପାରିବ ।" ରେଳ ଲାଇନ ପାଇଁ ଜମି ଯୋଗାଇଦେବାକୁ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଲେ ରେଳମନ୍ତ୍ରୀ । ଏଥିପାଇଁ 215 ହେକ୍ଟର ଜମି ଆବଶ୍ୟକ । ଡିଜାଇନ୍ ପାଖାପାଖି ସଂପୂର୍ଣ୍ଣ ହୋଇଛି । 32 କିମି ମଧ୍ୟରେ 4ରୁ 5ଟି ଜାଗାରେ ସ୍ପେଶାଲ ଟୁରିଷ୍ଟ ହବ୍ ସ୍ଥାପନ ହେବ । ସେଥିପାଇଁ ମଧ୍ୟ ରାଜ୍ୟ ସରକାରଙ୍କ ଠାରୁ ଜମି ଦରକାର ।