ରାଉରକେଲା: '30 ଲକ୍ଷ ଲୋକେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । 30 ଜଣ କୋଟିପତି ରାଜ୍ୟକୁ ଲୁଟୁଛନ୍ତି । ଓଡ଼ିଶାରେ ଭାରତ ଯୋଡ ନ୍ୟାୟ ଯାତ୍ରାରେ ଏଭଳି କଟାକ୍ଷ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । 'ରାଉରକେଲାଠାରେ ଏକ ବିଶାଳ ରୋଡ ଶୋ କରିବା ସହ ଜନସାଧାରଣଙ୍କୁ ଉଦବୋଧନ ଦେଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଏହି ସମୟରେ କେନ୍ଦ୍ର ଓ ରାଜ୍ୟ ଉଭୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ । ରାଜ୍ୟରେ ଅଣ ଓଡ଼ିଆମାନେ ରାଜନୀତିରେ ସକ୍ରିୟ ଥିବା ବେଳେ ନାଁ ନନେଇ ସେମାନଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ।
ଆଜି(ବୁଧବାର) ଓଡ଼ିଶାରେ କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରାର ଦ୍ୱିତୀୟ ଦିନ। ସୁନ୍ଦରଗଡ଼ରେ ଚାଲିଛି ଭାରତ ଯୋଡ଼ ନ୍ୟାୟ ଯାତ୍ରା । କଂଗ୍ରେସ ପତାକା ଓ ରାହୁଲ ଗାନ୍ଧୀଙ୍କ ପୋଷ୍ଟରରେ ଛାଇ ଯାଇଛି ରାସ୍ତା ଘାଟ । ରାଉରକେଲାରେ ଏକ ବିଶାଳ ରୋଡ ଶୋ କରିବା ସହ ଜନସାଧାରଣଙ୍କୁ ଉଦବୋଧନ ଦେଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ।
ସେ ରାଜ୍ୟରେ ବେକାରୀ ସମସ୍ୟା, ଦାଦନ ଭଳି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ କଡ଼ା ଟାର୍ଗେଟ କରିଛନ୍ତି । " ଓଡ଼ିଶାରୁ 30 ଲକ୍ଷ ଲୋକେ ରାଜ୍ୟ ବାହାରକୁ କାମ କରିବାକୁ ଯାଉଛନ୍ତି । ଆଉ ରାଜ୍ୟରେ 30 ଜଣ କୋଟିପତି ରାଜ୍ୟକୁ ଆସି ଲୁଟିବାରେ ଲାଗିଛନ୍ତି ।" ରାହୁଲ ଗାନ୍ଧୀ ଶାଣିତ ସ୍ୱରରେ ରାଜ୍ୟ ରାଜନୀତିରେ ସକ୍ରିୟ ଥିବା ଅଣଓଡ଼ିଆମାନଙ୍କୁ ଟାର୍ଗେଟ କରିଛନ୍ତି । ଏଠାରେ ବିଜେପି ଓ ବିଜେଡିର ପାର୍ଟନରସିପ ଚାଲିଛି ବୋଲି କହିଛନ୍ତି କଂଗ୍ରେସ ସାଂସଦ । ଓଡ଼ିଶାରେ ଆଦିବାସୀ, ପଛୁଆ ବର୍ଗ ଓ ଦଳିତମାନଙ୍କ ଉପରେ ଅତ୍ୟାଚାର କରାଯାଉଛି ବୋଲି କହିଛନ୍ତି ରାହୁଲ ।