ପୁରୀ: ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିବ । ଏହା ପୂର୍ବରୁ ଅର୍ଥ ସବ କମିଟି ବୈଠକରେ ଚଳିତ ବର୍ଷ ଶ୍ରୀମନ୍ଦିର ପାଇଁ ପ୍ରସ୍ତୁତ ହୋଇଥିବା 386 କୋଟି ଟଙ୍କାର ବଜେଟ ଚୂଡ଼ାନ୍ତ ହୋଇଛି । ଆଜି ପରିଚାଳନା କମିଟିରେ ଏହାକୁ ଉପସ୍ଥାପନ କରାଯାଇ ଅନୁମୋଦନ ମିଳିବ। ବୈଠକରେ ମହାପ୍ରଭୁଙ୍କ ପାଇଁ ନୂଆ ଅଳଙ୍କାର ସେଟ୍ ତିଆରି ଉପରେ ଆଲୋଚନା ହେବା ସହ ମହାପ୍ରଭୁ ବଳଭଦ୍ରଙ୍କୁ ଆଡ଼ପ ମଣ୍ଡପ ବିଜେ ସମୟରେ ଘଟିଥିବା ଅଘଟଣର ତଦନ୍ତ କରୁଥିବା ତିନି ଜଣିଆ କମିଟିର ରିପୋର୍ଟ ଉପସ୍ଥାପନ ହେବ।
ଚଳିତ ବର୍ଷ ପାଇଁ ଶ୍ରୀମନ୍ଦିର ବଜେଟ 386 କୋଟି: ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର କହିଛନ୍ତି, "ରଥଯାତ୍ରା ଓ 2024 ନିର୍ବାଚନ ହେତୁ ଶ୍ରୀମନ୍ଦିରର ବଜେଟ ହୋଇପାରିନଥିଲା। ଏଣୁ ଏହି ପରିପ୍ରେକ୍ଷୀରେ ଅର୍ଥ ସବ କମିଟି ବୈଠକ ଅନୁଷ୍ଠିତ ହେଇଥିଲା। ଚଳିତ ବର୍ଷ ପାଇଁ 386 କୋଟି ଟଙ୍କାର ବଜେଟ୍ ହୋଇଛି। ବୈଠକରେ ବହୁ ପ୍ରସଙ୍ଗ ଉପରେ ଆଲୋଚନା ହେଲା। ଶ୍ରୀମନ୍ଦିର ପାଇଁ ରାଜ୍ୟ ସରକାର ଯେଉଁ 5 ଶହ କୋଟି ଟଙ୍କା ସ୍ଵତନ୍ତ୍ର ଅନୁଦାନ ଘୋଷଣା କରିଛନ୍ତି ଏହା ଦ୍ଵାରା ଶ୍ରୀଜଗନ୍ନାଥ ମନ୍ଦିରର ଆର୍ଥିକ ସ୍ଥିତି ବେଶ୍ ସୁଦୃଢ଼ ହେବ। ବିଶେଷ କରି ସେବାୟତଙ୍କ ବାସଗୃହ, ସେବାୟତ ପିଲାଙ୍କ ପାଠପଢ଼ା ଉପରେ ସ୍ଵତନ୍ତ୍ର ଭାବେ କିଭଳି ଦୃଷ୍ଟି ଦେଇ ହେବ ସେ ନେଇ ଆଲୋଚୋନା ହେଲା। ସେବାୟତ ପିଲାଙ୍କ ଭଲ ଶିକ୍ଷା ଦାନ ପାଇଁ ବ୍ୟବସ୍ଥା ସହ ଆର୍ଥିକ ସାହାଯ୍ୟ ଉପରେ ଆଲୋଚନା ହୋଇଥିଲା। କାରଣ ଉପଯୁକ୍ତ ଶିକ୍ଷା ହିଁ ଭଲ ସେବାୟତ ସୃଷ୍ଟି କରିପାରିବ ।''