ଓଡିଶା

odisha

ETV Bharat / state

କେଉଁ ସମୟରେ ହେବ ରତ୍ନଭଣ୍ଡାର ମରାମତି ? କାଲି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି - RATNA BHANDAR REPAIR

16ରୁ ହେବ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ । କେଉଁ ସମୟରେ ହେବ ମରାମତି କାର୍ଯ୍ୟ ଆସନ୍ତାକାଲି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ନିଆଯିବ ନିଷ୍ପତ୍ତି ।

PURI SRIMANDIR
PURI SRIMANDIR (ETV Bharat Odisha)

By ETV Bharat Odisha Team

Published : Dec 9, 2024, 7:44 PM IST

ପୁରୀ:ସମସ୍ତ କଳ୍ପନାଜଳ୍ପନାର‌ ଅନ୍ତ ହେବାକୁ ଯାଉଛି ।‌ ଜାନୁଆରୀ ୩୧ରେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ । ଏହା ପୂର୍ବରୁ ଡିସେମ୍ବର 16ରେ ହେବ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଏଏସଆଇ ଦ୍ବାରା କରାଯିବ ।‌ ମହାପ୍ରଭୁଙ୍କ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବେଳେ ଯେଭଳି ଠାକୁରଙ୍କ ସେବାପୂଜାରେ ବାଧା ସୃଷ୍ଟି ନହେବ ଏବଂ ଭକ୍ତଙ୍କ ଦର୍ଶନରେ ଅସୁବିଧା ସୃଷ୍ଟି ନହେବ ସେଥିପାଇଁ ଏଏସଆଇକୁ ଏକ ନିର୍ଦ୍ଦିଷ୍ଟ ସମୟ ପ୍ରଦାନ କରାଯିବ । ଆସନ୍ତାକାଲି(ମଙ୍ଗଳବାର) ଅନୁଷ୍ଠିତ ହେବାକୁ ଥିବା ଶ୍ରୀ ଛତିଶା ନିଯୋଗ ବୈଠକରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ କିଭଳି ସୂଚାରୁରୂପେ କରାଯାଇପାରିବ ସେନେଇ ନିଷ୍ପତ୍ତି ନିଆଯିବ ।

କାଲି ବସିବ ଛତିଶା ନିଯୋଗ ବୈଠକ:

PURI SRIMANDIR (ETV Bharat Odisha)

ଡିସେମ୍ବର ୧୦ (ମଙ୍ଗଳବାର) ଦିନ ଅନୁଷ୍ଠିତ ହେବାକୁ ଥିବା ଛତିଶା ନିଯୋଗ ବୈଠକ । ଏଥିରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ କିଭଳି ଏବଂ କେଉଁ ସମୟରେ କରାଯିବ ସେ ନେଇ ଚୁଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।


ସରିଛି ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ:

ବିଜେପି ଓଡ଼ିଶାରେ ସରକାର ଗଠନ କରିବା ପରେ ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଅନୁଯାୟୀ ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ଗତ ଜୁଲାଇ ୧୪ ଏବଂ ୧୮ ତାରିଖରେ ଉଭୟ ବାହାର ଏବଂ ଭିତର ରତ୍ନଭଣ୍ଡାର ଖୋଲାଯାଇ ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ କରାଯାଇଥିଲା । ପରେ ରତ୍ନ ଅଳଙ୍କାର ଗୁଡ଼ିକୁ ମଧ୍ୟ ଶ୍ରୀମନ୍ଦିର ଭିତରେ ଥିବା ଖଟଶେଜ ଓ ଚାଙ୍ଗଡ଼ା ଗୃହରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ କରାଯାଇ ରଖାଯାଇଛି । ପରବର୍ତ୍ତୀ ସମୟରେ ଏଏସଆଇ ପକ୍ଷରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ ସହିତ ଜିପିଆର ସର୍ଭେ କରାଯାଇଥିଲା ।

PURI SRIMANDIR (ETV Bharat Odisha)

ଜାନୁଆରୀ 31ରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି:

ତେବେ ରତ୍ନଭଣ୍ଡାରର କାନ୍ଥ ଏବଂ ଚଟାଣରେ କିଛି ଫାଟ ଥିବା ଜଣାପଡିଥିବା ବେଳେ ରତ୍ନଭଣ୍ଡାରରେ କୌଣସି ସୁଡ଼ଙ୍ଗ ଅବା ଗୁପ୍ତ କୋଠରୀ ନଥିବା ଜଣାପଡିଥିଲା । କାର୍ତ୍ତିକ ମାସରେ ପ୍ରବଳ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖାଯାଇ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ହୋଇପାରିନଥିଲା। ଏବେ କାର୍ତ୍ତିକ ମାସ ଶେଷ ହୋଇସାରିଥିବା ବେଳେ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ପାଇଁ ଏବେ ସରକାର ଏଏସଆଇକୁ ଅନୁରୋଧ କରିଛନ୍ତି। ରତ୍ନଭଣ୍ଡାର ର ମରାମତି କାର୍ଯ୍ୟ ପରେ ଆସନ୍ତା ଜାନୁଆରୀ ୩୧ ତାରିଖରେ ରତ୍ନଭଣ୍ଡାରରେ ଥିବା ସମସ୍ତ ରତ୍ନ ଅଳଙ୍କାର ଗୁଡ଼ିକର ଗଣତି ମଣତି କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଥିଲେ ।

ରତ୍ନଭଣ୍ଡାରରେ କେତେ ଅଛି ଅଳଙ୍କାର ଜାଣିବାକୁ ଲୋକଙ୍କ ଉତ୍କଣ୍ଠା:

PURI SRIMANDIR (ETV Bharat Odisha)

ରତ୍ନଭଣ୍ଡାର ଖୋଲିବାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମହଲରେ ବେଶ୍ ଉତ୍କଣ୍ଠା ଥିଲା । ତେବେ ରତ୍ନଭଣ୍ଡାର ଖୋଲାଯାଇ ସାରିଥିବା ବେଳେ କେବେ ରତ୍ନଭଣ୍ଡାରର ମରାମତି ହୋଇ ରତ୍ନ ଅଳଙ୍କାର ଗୁଡ଼ିକର ଗଣତି ମଣତି କରାଯିବ ଏବଂ ଏହା ସୁରକ୍ଷିତ ଅଛି କି ନାହିଁ ତାହାକୁ ନେଇ ଏବେ ଭକ୍ତ ଏବଂ ଜଗନ୍ନାଥ ପ୍ରେମୀଙ୍କ ଅପେକ୍ଷା ରହିଛି ।


16ରୁ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ଆରମ୍ଭ..

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ମାଧବ ପୂଜାପଣ୍ଡା କହିଛନ୍ତି, ‘ଆସନ୍ତା 16 ତାରିଖରୁ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ଏଏସଆଇ ସମ୍ମତି ଦେଇଛି । କିନ୍ତୁ ଆସନ୍ତା 16 ତାରିଖରୁ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ଆରମ୍ଭ ହେବ । ସେହିପରି ମହାପ୍ରଭୁଙ୍କ ଘୋଡ଼ ଲାଗି ବେଶ୍ ମଧ୍ୟ ଆରମ୍ଭ ହୋଇସାରିଛି । ତେବେ ମଙ୍ଗଳବାର ଛତିଶା ନିଯୋଗ ବୈଠକ ରହିଛି । ବୈଠକରେ ରତ୍ନ ଭଣ୍ଡାର ମରାମତି ପ୍ରସଙ୍ଗ, ପହିଲି ଭୋଗ ନୀତି ନିର୍ଘଣ୍ଟ, ମକର ସଂକ୍ରାନ୍ତି ନୀତି ନିର୍ଘଣ୍ଟ ଉପରେ ଆଲୋଚନା ନୀତି ନିର୍ଘଣ୍ଟ ସ୍ଥିର ହେବ । କେତେବେଳେ ଏଏସଆଇ ରତ୍ନ ଭଣ୍ଡାର କାର୍ଯ୍ୟ କରିବ ସେ ନେଇ ସମୟ ମଧ୍ୟ ନିର୍ଦ୍ଧାରିତ ହେବ ।

ଏହା ମଧ୍ୟ ପଢନ୍ତୁ:

ଜାନୁଆରୀ ୩୧ ସୁଦ୍ଧା ସରିବ ରତ୍ନଭଣ୍ଡାର ମରାମତି ଏବଂ ଗଣତି ମଣତି

ଶ୍ରୀମନ୍ଦିର ପ୍ରଶାସନକୁ ରତ୍ନଭଣ୍ଡାର GPR-GPS ସର୍ଭେ ରିପୋର୍ଟ ପ୍ରଦାନ କଲା ASI

'ରତ୍ନଭଣ୍ଡାର ଭିତରେ ହେବ ଗଣତି ମଣତି, ଜାନୁଆରୀରେ ଆସିବ ରତ୍ନର ପୂରା ହିସାବ'

ରତ୍ନଭଣ୍ଡାରରେ ନାହିଁ ଗୁପ୍ତ ସୁଡ଼ଙ୍ଗ, ନୂଆବର୍ଷରୁ ଗଣତି ମଣତି

‘ASI ପ୍ରସ୍ତାବ ମାନିବାକୁ ପଡିବ’

ସେ ଆହୁରି କହିଛନ୍ତି, ‘ଏଏସଆଇ କେତେ ସମୟ ନେଲେ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ଶୀଘ୍ର ଶେଷ ହୋଇ ପାରିବ ତାହା ଏଏସଆଇ ଠାରୁ ମତାମତ ନିଆଯିବ । ତେବେ ମହାପ୍ରଭୁଙ୍କ ଘୋଡ ଲାଗି ବେଶ ନୀତି, ପହିଲି ଭୋଗ ନୀତିକୁ ଦେଖି ସମୟ ନିର୍ଦ୍ଧାରଣ ହେବ । ଛତିଶା ନିଯୋଗ ସଦସ୍ୟଙ୍କ ମତାମତ ନିଆଯାଇ ସର୍ବସମ୍ମତ ନିଷ୍ପତ୍ତି ନିଆଯିବ । ତେବେ ଶ୍ରୀମନ୍ଦିରର ସୁରକ୍ଷା ଓ ସ୍ଥାୟିତ୍ବକୁ ଦୃଷ୍ଟିରେ ରଖି ଏଏସଆଇ ଯେଉଁ ପ୍ରସ୍ତାବ ଦେବ ତାହା ମାନିବାକୁ ପଡ଼ିବ ।’

Puri Srimandir (ETV Bharat Odisha)

ମରାମତି ସମୟରେ ବାହାର କାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ:

ସେ ଆହୁରି କହିଛନ୍ତି, ‘2018 ମସିହାରୁ ରତ୍ନ ଭଣ୍ଡାର ମରାମତି ନେଇ ପ୍ରସ୍ତାବ ଆସିଥିଲା । ତେବେ ବିଭିନ୍ନ କାରଣରୁ ଏହା ହୋଇ ପାରୁନଥିବା ବେଳେ ମହାପ୍ରଭୁଙ୍କ ନିର୍ଦ୍ଦେଶରେ ହିଁ ଏହି କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ତେବେ ମୋ ମତରେ ଦ୍ଵିତୀୟ ଭୋଗ ମଣ୍ଡପ ନୀତି ସାରି ଏଏସଆଇକୁ ରତ୍ନ ଭଣ୍ଡାର ମରାମତି ପାଇଁ ସମୟ ଦିଆଯିବା ଉଚିତ୍ । ତେବେ ମଙ୍ଗଳବାର ଛତିଶା ନିଯୋଗ ବୈଠକରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ତେବେ ଦ୍ଵି-ପ୍ରହର ଧୂପ ସରିବା ପରେ ସଂଧ୍ୟା ଧୂପ ପର୍ଯ୍ୟନ୍ତ ଭକ୍ତଙ୍କୁ ଭିତର କାଠ ପର୍ଯ୍ୟନ୍ତ ଭକ୍ତଙ୍କୁ ଦର୍ଶନ ପାଇଁ ଛଡା ଯାଉଛି । ତେବେ ଏଏସଆଇ ରତ୍ନ ଭଣ୍ଡାର କାର୍ଯ୍ୟ କରିବା ବେଳେ ଏହି ସମୟରେ ଭକ୍ତଙ୍କୁ କେବଳ ବାହାର୍ କାଠ ନିକଟରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନୁମତି ଦିଆଯିବ । ତେବେ ପୂର୍ବ ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଅନୁଯାୟୀ ରତ୍ନ ଭଣ୍ଡାର ମରାମତି ପରେ ରତ୍ନ ଭଣ୍ଡାର ଭିତରେ ହିଁ ସବୁ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯିବ ।’


ଛତିଶା ନିଯୋଗ ବୈଠକରେ ଚୁଡାନ୍ତ ନିଷ୍ପତ୍ତି:

ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁକହିଛନ୍ତି, ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ରତ୍ନ ଭଣ୍ଡାର ମରାମତି ନେଇ ଆଲୋଚନା ହେବ । କେତେବେଳେ ରତ୍ନ ଭଣ୍ଡାର ମରାମତି କରାଯିବ, କେତେ ସମୟ ହେବ, ନୀତି ନିର୍ଘଣ୍ଟ ଯେଭଳି ବ୍ୟାଘାତ ନ ହୁଏ ସେ ନେଇ ଆଲୋଚନା ହେବ । ରତ୍ନ ଭଣ୍ଡାର ମରାମତି ଓ ମହାପ୍ରଭୁଙ୍କ ନୀତି କିଭଳି ସୁଚାରୁରୂପେ ହେବ ସେ ନେଇ ସବିଶେଷ ଆଲୋଚନା ହେବ । ତେବେ ରତ୍ନ ଭଣ୍ଡାର ମରାମତି ବେଳେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାରେ ଯେଭଳି କିଛି ଅସୁବିଧା ନ ହୁଏ ସେ ଦିଗରେ ଆଲୋଚନା ହେବ । ତେବେ ଛତିଶା ନିଯୋଗ ବୈଠକରେ ଆଗାମୀ 16 ତାରିଖରୁ ରତ୍ନ ଭଣ୍ଡାର ମରାମତି ହେବ କି ନାହିଁ ସେ ଦିଗରେ ଚୁଡାନ୍ତ ନିଷ୍ପତ୍ତି ନିଆଯିବ ।’

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details