ପୁରୀ/ଭୁବନେଶ୍ବର: ଶ୍ରୀମନ୍ଦିର ସୁରକ୍ଷା, ରକ୍ଷଣାବେକ୍ଷଣରେ ASI (ଏଏସଆଇ) ଅବହେଳା ଅଭିଯୋଗ । ଦୀର୍ଘ ୧୦ ବର୍ଷ ହେବ ଶ୍ରୀମନ୍ଦିରର ହୋଇନି ରାସାୟନିକ ସଂରକ୍ଷଣ କାର୍ଯ୍ୟ । ଫଳରେ ଶ୍ରୀମନ୍ଦିର, ପାର୍ଶ୍ୱ ଦେବାଦେବୀ ମନ୍ଦିର, ମେଘନାଦ ପାଚେରୀରେ ଫାଟ ଦେଖାଦେଇଛି । ଶ୍ରୀମନ୍ଦିର ପ୍ରତି ଏଏସଆଇ ଅବହେଳା କରିଥିବା ନେଇ ଅଭିଯୋଗ ଆଣିବା ସହ କଡ଼ା ସମାଲୋଚନା କରିଛନ୍ତି ସେବାୟତ । ସେପଟେ ମେଘନାଦ ପାଚେରୀରେ ଫାଟକୁ ନେଇ ପୂର୍ବ ବିଜେଡି ସରକାରକୁ ଦୋଷ ଦେଇଛି ବିଜେପି ।
୧୦ ବର୍ଷ ହେଲା ହୋଇନି ରାସାୟନିକ ପ୍ରଲେପ!
୧୨ ଶହ ଶତାବ୍ଦୀର ମନ୍ଦିର ହେଉଛି ଶ୍ରୀମନ୍ଦିର । କେତେବେଳେ ସିମେଣ୍ଟ, ରଡ୍ କି ଆଧୁନିକ ଜ୍ଞାନ କୌଶଳ ନଥିଲା ସେତେବେଳେ ପଥରକୁ ପଥରରେ ଯୋଡେଇ କରାଯାଇ ବିଶାଳ ମନ୍ଦିର ନିର୍ମାଣ କରାଯାଇଥିଲା । ଶ୍ରୀମନ୍ଦିର ସମୁଦ୍ର କୂଳ ଅଞ୍ଚଳରେ ଥିବାରୁ ଏହାର ସୁରକ୍ଷା ପାଇଁ ଶ୍ରୀମନ୍ଦିର ପ୍ରସ୍ତର ଉପରେ ଚୂନ, ଗୁଡ ପ୍ରଲେପ ଦିଆଯାଇଥିଲା । ଏହାଦ୍ଵାରା ସମୁଦ୍ର ଲୁଣି ପବନ ଯୋଗୁଁ ପଥର ଅବକ୍ଷୟ ହେବନି ବୋଲି ତତ୍କାଳୀନ ରାଜାଙ୍କ ବିଶ୍ୱାସ ଥିଲା । ୧୯୭୫ ମସିହାରେ ଏଏସଆଇକୁ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ଵ ମିଳିଥିଲା । ପରେ ୧୯୮୧ ମସିହାରୁ ଶ୍ରୀମନ୍ଦିର ଉପରେ ଲାଗିଥିବା ଚୂନ ପ୍ରଲେପକୁ ଛଡାଇବା କାର୍ଯ୍ୟ ଆରମ୍ଭ କରିଥିଲା ଏଏସଆଇ । ପରେ ମନ୍ଦିରର ସୁରକ୍ଷା ପାଇଁ ରାସାୟନିକ ପ୍ରଲେପ ଦିଆଯାଇଥିଲା । ଏସବୁ କାର୍ଯ୍ୟ ଗତ ୨୦୧୪-୧୫ ମସିହାରେ ଶେଷ ହୋଇଥଲା । ଏହା ଭିତରେ ଦୀର୍ଘ ୧୦ ବର୍ଷ ବିତିଯାଇଥିଲେ ମଧ୍ୟ ଆଉ ରାସାୟନିକ ପ୍ରଲେପ ଦିଆଯାଇନାହିଁ । ଫଳରେ ଶ୍ରୀମନ୍ଦିରର ବହୁ ପୁରାତନ ପ୍ରସ୍ତର ଅବକ୍ଷୟ ହେବାରେ ଲାଗିଛି । ଏହି କାର୍ଯ୍ୟ କରିବା ପାଇଁ ପୁରୀରେ ଥିବା କାର୍ଯ୍ୟାଳୟକୁ ଭୁବନେଶ୍ଵର ଉଠାଇ ନିଆଯାଇଛି । ଯେହେତୁ ଶ୍ରୀମନ୍ଦିର ଲୁଣି ଅଞ୍ଚଳରେ ରହୁଛି, ଏଣୁ ପ୍ରତ୍ୟେକ ୩ରୁ ୫ ବର୍ଷକୁ ଥରେ ରାସାୟନିକ ପ୍ରଲେପ କାର୍ଯ୍ୟ ହେବା ଉଚିତ୍ । ଶ୍ରୀମନ୍ଦିରରେ ଦୀର୍ଘ ବର୍ଷ ହେବ ରାସାୟନିକ ପ୍ରଲେପ କାର୍ଯ୍ୟ ହୋଇ ନଥିବାରୁ ଏହାକୁ ସେବାୟତମାନେ ସମାଲୋଚନା କରିଛନ୍ତି ।
'ଅବହେଳା କରିଆସୁଛି ଏଏସଆଇ'
ଶ୍ରୀମନ୍ଦିର ସେବାୟତଗୌରହରି ପ୍ରଧାନ କହିଛନ୍ତି, "ଏଏସଆଇ ଶ୍ରୀମନ୍ଦିର ଦାୟିତ୍ଵ ନେବାଠାରୁ କାର୍ଯ୍ୟରେ ଅବହେଳା କରିଆସୁଛି । ଏହାକୁ ବିଭିନ୍ନ ସମୟରେ ବାରମ୍ବାର ବିରୋଧ ପରେ ପରିସ୍ଥିତି ସୁଧୁରିନାହିଁ । ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରୁ ଦଶବତାର ମୂର୍ତ୍ତି ଖୋଲା ଯାଇଥିବାବେଳେ ଏହାକୁ ଏଏସଆଇ ଲଗାଉନାହିଁ । ଶ୍ରୀମନ୍ଦିରରୁ ପଥର ଖସିବା ହେଉ କି ମେଘନାଦ ପାଚେରିରୁ ପାଣି ଲିକ୍ ହେଲେ ମଧ୍ୟ ଏଏସଆଇର ନିଦ ଭାଙ୍ଗୁନାହିଁ । ଶ୍ରୀମନ୍ଦିରକୁ ସୁରକ୍ଷା ପାଇଁ ଯେଉଁ ରାସାୟନିକ ପ୍ରଲେପ ଦିଆଯିବା କଥା ଏଏସଆଇ ତାହା କରୁନାହିଁ । ପ୍ରତି ମାସରେ ଏଏସଆଇ ଶ୍ରୀମନ୍ଦିରର କ'ଣ ରକ୍ଷଣାବେକ୍ଷଣ କାର୍ଯ୍ୟ କରୁଛି ତାହା ଶ୍ୱେତପତ୍ରରେ ପ୍ରକାଶ କରିବା ଉଚିତ୍ । ଏହାଦ୍ବାରା ଶ୍ରୀମନ୍ଦିରର କ'ଣ ରକ୍ଷଣାବେକ୍ଷଣ ହେଉଛି ଭକ୍ତ ଓ ସେବାୟତ ଜାଣିପାରିବେ । ଶ୍ରୀମନ୍ଦିରର ସୁରକ୍ଷା, ରକ୍ଷଣାବେକ୍ଷଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ହସ୍ତକ୍ଷେପ କରିବା ଉଚିତ ।"
କ'ଣ କହିଲେ ଚୂନରା ସେବାୟତ?
ଶ୍ରୀମନ୍ଦିର ଚୂନରା ସେବାୟତ ଶରତ ମହାନ୍ତି କହିଛନ୍ତି, "ଯେତେ ଐତିହ କୀର୍ତ୍ତିରାଜି ରହିଛି ଦିନକୁ ଦିନ ସମୟ ଅନୁଯାୟୀ ଏଥିରେ ଦୁର୍ବଳତା ପରିଲକ୍ଷିତ ହେବ । ଏହା ସ୍ୱାଭାବିକ ପ୍ରକ୍ରିୟା । ସେଥିପାଇଁ ଏଏସଆଇକୁ ଦାୟିତ୍ଵ ଦିଆଯାଇଛି । ଏଏସଆଇ ଶ୍ରୀମନ୍ଦିର ମରାମତି, ରକ୍ଷଣାବେକ୍ଷଣ କରିବ । କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କରାଗଲା । ଯଦି ପରିକ୍ରମା ପ୍ରକଳ୍ପରେ ଏତେ ଅର୍ଥ ବ୍ୟୟ କରାଗଲା ତେବେ ଯାହା ପାଇଁ ଏ ପରିକ୍ରମା ପ୍ରକଳ୍ପ ସେ ହେଉଛି ଶ୍ରୀମନ୍ଦିର । ଶ୍ରୀମନ୍ଦିରର ମେଘନାଦ ପାଚେରୀ, କୁରୁମ ପାଚେରୀ, ଶ୍ରୀମନ୍ଦିର ଆମର ଗର୍ବ ଗୌରବ । ଏହା ହଜାର ବଜାର ବର୍ଷ ତିଷ୍ଠି ରହିବା ପାଇଁ ସରକାରଙ୍କ ଦାୟିତ୍ଵ ରହିବା ଆବଶ୍ୟକ । ଶ୍ରୀମନ୍ଦିରରୁ ଚୂନର ଆସ୍ତରଣ ହଟାଇଲେ ଏଏସଆଇ । ତାହାକୁ ଆମେ ସ୍ବାଗତ କରୁଛୁ । କିନ୍ତୁ ତାହା ତୁଳନାରେ ସୁରକ୍ଷା ପାଇଁ ଯେଉଁ ରାସାୟନିକ ପ୍ରଲେପ ଆବଶ୍ୟକ, ଯେଉଁ ଭଳି ଭାବରେ ତାହାର ସଂରକ୍ଷଣ ଆବଶ୍ୟକ ତାହା ସେହିଭଳି ହେଉନାହିଁ ।"
'ଶ୍ରୀମନ୍ଦିରକୁ ଏବେ କୌଣସି ବିପଦ ନାହିଁ':