ଓଡିଶା

odisha

ETV Bharat / state

ଶ୍ରୀମନ୍ଦିର ପ୍ରଶାସନକୁ ରତ୍ନଭଣ୍ଡାର GPR-GPS ସର୍ଭେ ରିପୋର୍ଟ ପ୍ରଦାନ କଲା ASI - RATNA BHANDAR GPR GPS SURVEY REPORT

45ପୃଷ୍ଠାର ରିପୋର୍ଟ ଗ୍ରହଣ କଲା ଶ୍ରୀମନ୍ଦିର ପ୍ରଶାସନ । ତର୍ଜମା ଚାଲିଥିବା ମୁଖ୍ୟ ପ୍ରଶାସକ ଅରିବିନ୍ଦ ପାଢୀଙ୍କ ସୂଚନା । ସୁଡଙ୍ଗା କିମ୍ବା ଗୁପ୍ତ କୋଠରୀ ନଥିବା ପୂର୍ବରୁ ହୋଇସାରିଛି ସ୍ପଷ୍ଟ ।

ଶ୍ରୀମନ୍ଦିର ପ୍ରଶାସନକୁ ରତ୍ନଭଣ୍ଡାର GPR-GPS ସର୍ଭେ ରିପୋର୍ଟ ପ୍ରଦାନ କଲା ASI
ଶ୍ରୀମନ୍ଦିର ପ୍ରଶାସନକୁ ରତ୍ନଭଣ୍ଡାର GPR-GPS ସର୍ଭେ ରିପୋର୍ଟ ପ୍ରଦାନ କଲା ASI (ETV Bharat Odisha)

By ETV Bharat Odisha Team

Published : Nov 24, 2024, 9:25 AM IST

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ସମ୍ପର୍କରେ ଭାରତୀୟ ପ୍ରତ୍ନତାତ୍ତ୍ବିକ ବିଭାଗ (ଏଏସଆଇ) ପକ୍ଷରୁ କରାଯାଇଥିବା ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି । ‘ଏଏସଆଇ’ ପକ୍ଷରୁ ଏହି କାର୍ଯ୍ୟ ହାଇଦ୍ରାବାଦ ସ୍ଥିତ ଜାତୀୟ ଭୂ-ଭୌତିକୀୟ ଗବେଷଣା ସଂସ୍ଥାନ (ଏନ.ଜି.ଆର.ଆଇ) ସହାୟତାରେ କରାଯାଇଥିଲା । ଶ୍ରୀମନ୍ଦିରର ସ୍ଥାୟିତ୍ୱ ଏବଂ ସୁରକ୍ଷା ପ୍ରତି ଶ୍ରୀମନ୍ଦିର ପ୍ରଶାସନ ସର୍ବଦା ଯତ୍ନବାନ ରହିଛି । ତେଣୁ ବୈଷୟିକ ରିପୋର୍ଟ ହସ୍ତଗତ ହୋଇସାରିଥିବାରୁ ତୁରନ୍ତ ସମଗ୍ର ରତ୍ନଭଣ୍ଡାରର ମରାମତି, ରକ୍ଷଣାବେକ୍ଷଣ ତଥା ସଂରକ୍ଷଣ କାର୍ଯ୍ୟ ହାତକୁ ନେବାକୁ ‘ଏଏସଆଇ’ କର୍ତ୍ତୃପକ୍ଷଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଏହି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟରେ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ସହଯୋଗ କରିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି ।

ମୁଖ୍ୟ ପ୍ରଶାସକ ପାଢୀ କହିଛନ୍ତି,‘‘ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ‘ଏଏସଆଇ’ ପକ୍ଷରୁ ସର୍ଭେ ହୋଇଥିଲା । ତାହାର ରିପୋର୍ଟ ଆମକୁ ହସ୍ତଗତ ହୋଇଛି । ଶ୍ରୀମନ୍ଦିରର ସୁରକ୍ଷା ପ୍ରତି ଆମେ ସର୍ବଦା ଗୁରୁତ୍ଵ ଦେଇ ଆସିଛୁ । ତେବେ ବୈଷୟିକ ରିପୋର୍ଟ ମିଳିବା ପରେ ଏ ନେଇ ଆମେ ‘ଏଏସଆଇ’କୁ ଅବଗତ କରିଛୁ । ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ଆମେ ‘ଏଏସଆଇ’କୁ କହିଛୁ । ତେବେ ରତ୍ନଭଣ୍ଡାରର ଜିପିଆର ରିପୋର୍ଟ ଉପରେ ଏବେ କିଛି କହିବା ସମ୍ଭବ ନୁହେଁ । 45 ପୃଷ୍ଠାର ରିପୋର୍ଟ ଥିବା ବେଳେ ଏହା ସମ୍ପୂର୍ଣ ତର୍ଜମା କରାଯିବ । ତେବେ ରତ୍ନଭଣ୍ଡାରର ମରାମତି ପାଇଁ ‘ଏଏସଆଇ’ କଣ ସବୁ ଏଜେଣ୍ଡା ରଖିଛି, ସେନେଇ ମରାମତି ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରିବାକୁ ସଂସ୍ଥାକୁ କୁହାଯାଇଛି ।’’

  • ଏବେ ମରାମତି, କାମ ଶେଷ ହେବା ପରେ ଗଣତି:-

ପାଢୀ ଆହୁରି ମଧ୍ୟ କହିଛନ୍ତି, ‘‘ଏହାକୁ ଛତିଶା ନିଯୋଗରେ ଉପସ୍ଥାପନ କରାଯିବ । ରତ୍ନଭଣ୍ଡାର ମରାମତି ବେଳେ ମହାପ୍ରଭୁଙ୍କ ନିତିକାନ୍ତି ଯେଭଳି ପ୍ରଭାବିତ ନହୁଏ ସେ ନେଇ ଆଲୋଚୋନା ହେବ । ସେହିପରି ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସିଥିବା ଭକ୍ତଙ୍କ ପାଇଁ କିଛି ଯେଭଳି କୌଣସି ସମସ୍ୟା ନହୁଏ ସେ ନେଇ ଆମେ ଗୁରୁତ୍ଵ ଦେଉଛୁ । ତେବେ ରତ୍ନଭଣ୍ଡାର ମରାମତି ପରେ ରାଜ୍ୟ ସରକାରଙ୍କ ଥିବା ମାର୍ଗଦର୍ଶିକା ଅନୁଯାୟୀ ରତ୍ନଭଣ୍ଡାର ଭିତରେ ହିଁ ସବୁ ରତ୍ନ ଅଳଙ୍କାରର ଗଣତି କରାଯିବ ।’’

  • ସୁଡ଼ଙ୍ଗ, ଗୁପ୍ତ କୋଠରୀ ନାହିଁ

ତେବେ ରିପୋର୍ଟର ପ୍ରାରମ୍ଭିକ ତଥ୍ୟରୁ ଜଣାପଡୁଛି ଯେ, ରତ୍ନଭଣ୍ଡାରରେ ସେଭଳି କିଛି ସୁଡ଼ଙ୍ଗ କିମ୍ବା ଗୁପ୍ତ କୋଠରୀ ନାହିଁ । ତେବେ ସମ୍ପୂର୍ଣ ରିପୋର୍ଟକୁ ତର୍ଜମା କଲା ପରେ ସମସ୍ତ କଥା ଜଣାପଡିବ । ତେବେ ‘ଏଏସଆଇ’ର ବୈଷୟିକ ରିପୋର୍ଟରୁ ଜଣାପଡିଛି ରତ୍ନଭଣ୍ଡାରର ଚଟାଣ ଓ କାନ୍ଥରେ ସମସ୍ୟା ରହିଛି । ତାହା ମରାମତି ହେବାର ଆବଶ୍ୟକତା ରହିଛି । ତେବେ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନରେ ରାଜ୍ୟ ସରକାରଙ୍କ ନିକଟରେ ସବୁ ତଥ୍ୟ ରହିଛି । ସରକାର ଏହାର ତର୍ଜମା କରିବା ପରେ ସଠିକ ସମୟରେ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ କରିବେ ।

ରତ୍ନଭଣ୍ଡାର ସଂପର୍କିତ ଏହି ସବୁ ଖବର ପଢ଼ନ୍ତୁ-

ରତ୍ନଭଣ୍ଡାର GPR ସର୍ଭେ ଶେଷ, ଜଣାପଡ଼ିବ ସୁଡ଼ଙ୍ଗ ସତ - Ratna Bhandar GPR Survey

ସରିଲା ପ୍ରଥମ ଦିନର GPR ସର୍ଭେ, ଗୁପ୍ତ ସୁଡ଼ଙ୍ଗକୁ ନେଇ ଏମିତି କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ - GPR SURVEY

  • ଜାନୁଆରୀ ଶେଷ ସୁଦ୍ଧା ରତ୍ନଭଣ୍ଡାର ମରାମତି ଓ ରତ୍ନ ଅଳଙ୍କାର ଗଣତି କାମ ସରିବ:-

ଆସନ୍ତାବର୍ଷ ଜାନୁୟାରୀ ମାସ ଶେଷ ସୁଦ୍ଧା ଶ୍ରୀମନ୍ଦିର ରତ୍ନଭଣ୍ଡାରର ସମସ୍ତ ମରାମତି କାର୍ଯ୍ୟ ଏବଂ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଶେଷ କରାଯିବା ନେଇ ପୂର୍ବରୁ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇ ସାରିଛନ୍ତି । କାର୍ତ୍ତିକ ମାସରେ ପ୍ରବଳ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖାଯାଇ ଯେଭଳି କୌଣସି ଅସୁବିଧା ନଉପୁଜେ ସେଥିପାଇଁ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ସମ୍ଭବ ହୋଇ ପାରିନଥିଲା । କାର୍ତ୍ତିକ ମାସ ଶେଷ ହୋଇଥିବା ବେଳେ ‘ଏଏସଆଇ’ ପକ୍ଷରୁ ଖୁବଶୀଘ୍ର ରତ୍ନଭଣ୍ଡାରର ପ୍ରଥମେ ମରାମତି କାର୍ଯ୍ୟ ଆରମ୍ଭ ହେବ । ପରେ ରତ୍ନଭଣ୍ଡାରର ସମସ୍ତ ରତ୍ନ ଅଳଙ୍କାରର ଗଣତି ମଣତି କରାଯାଇ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ।

ସେପଟେ ଯେତେ ଶୀଘ୍ର ରତ୍ନଭଣ୍ଡାରର ମରାମତି ସହିତ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଶେଷ ହୋଇପାରିବ ସେ ଦିଗରେ ରାଜ୍ୟ ସରକାର ଯଥାଶୀଘ୍ର କାର୍ଯ୍ୟ ଆରମ୍ଭ କରିବାକୁ ବରିଷ୍ଠ ସେବାୟତ ମତ ରଖିଛନ୍ତି । ତେବେ ରତ୍ନଭଣ୍ଡାର ବାରମ୍ବାର ଖୋଲିବା ଏବଂ ରତ୍ନ ଅଳଙ୍କାର ବାରମ୍ବାର ସ୍ଥାନାନ୍ତର କରିବା ସମ୍ଭବ ନଥିବାରୁ ରତ୍ନଭଣ୍ଡାରର ମରାମତି କାର୍ଯ୍ୟକୁ ଆଗାମୀ ପାଞ୍ଚ ଶହ ବର୍ଷକୁ ଦୃଷ୍ଟିରେ ରଖାଯାଇ ଅତ୍ୟାଧୁନିକ ଜ୍ଞାନକୌଶଳରେ ସମସ୍ତ ମରାମତି କାର୍ଯ୍ୟ କରିବାକୁ ସେବାୟତମାନେ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- 'ରତ୍ନଭଣ୍ଡାର ଭିତରେ ହେବ ଗଣତି ମଣତି, ଜାନୁଆରୀରେ ଆସିବ ରତ୍ନର ପୂରା ହିସାବ'

ଏହା ବି ପଢନ୍ତୁ...ରତ୍ନଭଣ୍ଡାରରେ ନାହିଁ ଗୁପ୍ତ ସୁଡ଼ଙ୍ଗ, ନୂଆବର୍ଷରୁ ଗଣତି ମଣତି

  • ଦୀର୍ଘ 46 ବର୍ଷ ପରେ ଖୋଲିଥିଲା ରତ୍ନଭଣ୍ଡାର

ଚଳିତବର୍ଷ ଜୁଲାଇ ୧୪ ତାରିଖରେ ଦୀର୍ଘ ୪୬ ବର୍ଷ ପରେ ପ୍ରଥମ ଥର ପାଇଁ ରତ୍ନଭଣ୍ଡାର ଖୋଲାଯାଇଥିଲା । ବାହାର ରତ୍ନଭଣ୍ଡାର ଖୋଲା ଯାଇ ସମସ୍ତ ଅଳଙ୍କାରକୁ ଶ୍ରୀମନ୍ଦିର ଫୁଲ ଘରେ ରଖାଯାଇଥିଲା । ଏହାପରେ ପୁନର୍ବାର ଜୁଲାଇ ୧୮ ତାରିଖରେ ଭିତର ରତ୍ନଭଣ୍ଡାରର ସିନ୍ଦୁକ ଓ ଆଲମିରାରେ ଥିବା ରତ୍ନ ଅଳଙ୍କାରଗୁଡ଼ିକୁ ନୂଆ ସିନ୍ଦୁକରେ ରଖାଯାଇ ଖଟଶେଜ ଘରେ ରଖା ଯାଇଥିଲା । ଗତ ସେପ୍ଟେମ୍ବର ୧୮ ତାରିଖରେ ‘ଏଏସଆଇ’ ପକ୍ଷରୁ ରତ୍ନଭଣ୍ଡାରର ବୈଷୟିକ ସର୍ଭେ କରାଯାଇଥିଲା । ସେହିପରି ରତ୍ନଭଣ୍ଡାରର ଜିପିଆର ଲେଜର ସ୍କାନିଂ ପରେ ସେପ୍ଟେମ୍ବର ୨୧ ଓ ୨୨ ତାରିଖରେ ଏଏସଆଇ-ଏନଜିଆରଆଇ ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ଇଲେକ୍ଟ୍ରି ମ୍ୟାଗ୍ନେଟିକ୍ ଓ୍ବେବ ମାଧ୍ୟମରେ ଡାଟା ସଂଗ୍ରହ କରାଯାଇଥିଲା ।

  • ପୁରୀ ଆସିଥିଲେ NGRIର ବରିଷ୍ଠ ବୈଜ୍ଞାନିକ

‘ଏନଜିଆରଆଇ’ର ବରିଷ୍ଠ ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେଙ୍କ ତତ୍ତ୍ଵାବଧାନରେ କେବଳ ଭିତର ଓ ବାହାର ରତ୍ନଭଣ୍ଡାରରେ ରାଡାର ସର୍ଭେ କରାଯାଇଥିଲା । ତେବେ ଏହାର ଚୂଡାନ୍ତ ରିପୋର୍ଟ ଆସିବା ପୂର୍ବରୁ ପ୍ରାରମ୍ଭିକ ତଥ୍ୟରୁ ରତ୍ନଭଣ୍ଡାରରେ କୌଣସି ସୁଡ଼ଙ୍ଗ ଅବା ଗୁପ୍ତ କୋଠରୀ ନଥିବା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଥିଲେ । ଏବେ ଆସନ୍ତା ଜାନୁୟାରୀ ଶେଷ ସୁଦ୍ଧା ରତ୍ନଭଣ୍ଡାର ସମସ୍ତ ମରାମତି ଏବଂ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଶେଷ କରାଯିବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି । ରତ୍ନଭଣ୍ଡାରକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥିବା ବେଳେ ରତ୍ନଭଣ୍ଡାର ଭିତରେ କ'ଣ ରହିଛି ତା'କୁ ନେଇ ଭକ୍ତ ମହଲରେ ବେଶ୍ ଉତ୍ସୁକତା ରହିଛି । ତେବେ ରାଜ୍ୟରେ ବିଜେପି ସରକାର ଗଠନ କଲେ ରତ୍ନଭଣ୍ଡାର ବିଜେପି ସରକାର ଖୋଲିବ‌ ବୋଲି ନିଜ ନିର୍ବାଚନ ଇସ୍ତାହାରରେ ବିଜେପି ପ୍ରତିଶ୍ରୁତି ଦେଇଥିଲା । ଯାହାକୁ ବିଜେପି ସରକାର କାର୍ଯ୍ୟକାରୀ କରିଥିବା ବେଳେ ସରକାରଙ୍କ ଏଭଳି ପଦକ୍ଷେପକୁ ଭକ୍ତ ଓ ଜଗନ୍ନାଥପ୍ରେମୀ ସ୍ୱାଗତ କରିଥିଲେ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details