ପୁରୀ: ଫୁଲୁରୀ ତେଲ ଲାଗି ହେବା ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଦାରୁଦିଆଁ । ଜ୍ବରରେ ପୀଡିତ ଥିବା ଚତୁର୍ଦ୍ଧାବିଗ୍ରହଙ୍କ ସୁସ୍ଥତା ପାଇଁ ଆଜି ଦଶମୀ ତିଥିରେ ପ୍ରସ୍ତୁତ ହେବ ଦଶମୂଳ ମୋଦକ। ଶ୍ରୀମନ୍ଦିର ରାଜ ବୈଦ୍ୟଙ୍କ ଦ୍ୱାରା ଆୟୁର୍ବେଦ ଚେରମୂଳିରେ ପ୍ରସ୍ତୁତ ଦଶମୂଳ ସେବନ ପରେ ହିଁ ଜ୍ୱରରେ ପୀଡ଼ିତ ଥିବା ବିଗ୍ରହ ସୁସ୍ଥତା ଅନୁଭବ କରିଥାନ୍ତି । ଅତ୍ୟନ୍ତ ନିଷ୍ଠା ଓ ପବିତ୍ରତାର ସହ ରାଜବୈଦ୍ୟଙ୍କ ଘରେ ଏହି ଦଶମୂଳ ପ୍ରସ୍ତୁତ କରି ଅପରାହ୍ନରେ ଶ୍ରୀମନ୍ଦିରକୁ ନେବେ। ସେପଟେ ଆଜି ଅଣସର ଦଶମୀ ତିଥିରେ ମହାପ୍ରଭୁଙ୍କ ଚକା ବିଜେ ନୀତି ରହିଛି ।
ଆସନ୍ତାକାଲି ଲାଗି ହେବ ଦଶମୂଳ ମୋଦକ: ତ୍ରୟୋଦଶ ଶତାଦ୍ଧୀରେ ଦ୍ୱିତୀୟ ଅନଙ୍ଗଭୀମ ଦେବଙ୍କ ସମୟରେ ବୈଦ୍ୟ ଓ ଶାସ୍ତ୍ର ବୈଦ୍ୟ ସେବା ସ୍ଥାପିତ ହୋଇଥିଲା। ଅନବସର ଦଶମୀ ସନ୍ଧ୍ୟାରେ ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦରେ ଦାଖଲ ହେବା ପରେ ଏକାଦଶୀ ଦିନ ଅନ୍ୟ ଭୋଗ ସହ ମହାପ୍ରଭୁଙ୍କୁ ଏହା ଲାଗି ହୁଏ ।
କେମିତି ପ୍ରସ୍ତୁତ ହୁଅ ଦଶମୂଳ ମୋଦକ ?:ଜ୍ବରରେ ପିଡ଼ୀତ ଥିବା ଶ୍ରୀବିଗ୍ରହଙ୍କ ଗୁପ୍ତ ସେବାରେ ଫୁଲୁରr ତେଲ, ଦଶମୂଳ ଔଷଧ ଓ ଅନ୍ୟାନ୍ୟ ଉପଚାର ପରେ ପ୍ରଭୁ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଶ୍ରୀଜିଉଙ୍କ ନିକଟରେ ଆସନ୍ତାକାଲି ଲାଗି ହେବାକୁ ଥିବା ଦଶମୂଳ ମୋଦକ ପ୍ରସ୍ତୁତ ସରିଛି । ଗମ୍ଭାରୀ, ବେଲ, ପାଟଳୀ, କୃଷ୍ଣପର୍ଣ୍ଣି, ଶାଳପର୍ଣ୍ଣୀ, ଅଙ୍କରାନ୍ତି, ଗୋଖରା ପରି ବିଭିନ୍ନ ପ୍ରକାରର ଆୟୁର୍ବେଦ ଚେରମୂଳରେ ଏହାକୁ ତିଆରି କରାଯାଇଥାଏ । ଦେବସ୍ନାନ ପୂର୍ଣ୍ଣିମାରୁ ହିଁ ଦଶମୂଳ ମୋଦକର ପ୍ରସ୍ତୁତି ହୁଏ । ଶ୍ରୀମନ୍ଦିର ରାଜବୈଦ୍ୟ ସ୍ୱର୍ଗତ ବିନାୟକ ମିଶ୍ର ଓ ଲବଣିଖିଆ ଛକ ନିକଟରେ ଥିବା ରାଜବୈଦ୍ୟ ରୁଦ୍ରନନ୍ଦନ ମିଶ୍ରଙ୍କ ଘରେ ଦଶମୀ ଦିନ ଦଶମୂଳ ମୋଦକ ପ୍ରସ୍ତୁତ ହୋଇଥାଏ। ଅତି ନିଷ୍ଠା ଓ ପବିତ୍ରତାର ସହ ଚୁଲି ବସାଇ ପାଗ ହେବା ପରେ ପ୍ରସ୍ତୁତ ଚେରମୂଳ ଗୁଣ୍ଡକୁ ସେଥିରେ ପକାଯାଇ ଘଣ୍ଟାଯାଏ ଓ ଥଣ୍ଡା ହେବାପରେ ମୋଦକ ପ୍ରସ୍ତୁତ ହୁଏ। କାହିଁ କେଉଁ କାଳରୁ ଏହି ପରମ୍ପରା ଚାଲି ଆସୁଛି।