ଭୁବନେଶ୍ବର:ଆଉ ଗୋଟିଏ ଦିନ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଥିବା ବେଳେ ଆସନ୍ତାମାସ 7 ତାରିଖରେ ହେବାକୁ ଯାଉଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିସାଲେଣି । ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ବିଭିନ୍ନ ବିଭାଗଗୁଡିକ ଏଥିପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମରେ ହେବାକୁ ଥିବା ଏହି ମହାପର୍ବରେ ସୂଚନା ଓ ଲୋକସମ୍ପର୍କ ବିଭାଗର ମଧ୍ୟ ଗୁରୁ ଦାୟିତ୍ବ ରହିଛି । ଏହି ଦାୟିତ୍ବକୁ ସୁବ୍ୟବସ୍ଥିତ ଓ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଗତକାଲି ଲୋକସମ୍ପର୍କ ଭବନ ସମ୍ମିଳନୀ କକ୍ଷରେ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏହି ପ୍ରସ୍ତୁତି ବୈଠକ । ବୈଠକରେ ବିଭାଗ ପକ୍ଷରୁ ଆୟୋଜନ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଛି । ପ୍ରାରମ୍ଭରେ ବିଭାଗୀୟ ନିର୍ଦ୍ଦେଶକ ସରୋଜ କୁମାର ସାମଲ ଗତବର୍ଷ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଚଳିତବର୍ଷର ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ଚଳିତବର୍ଷ ପୁରୀର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ କରାଯିବ । ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାର ସଂଖ୍ୟା ବଢାଇବାକୁ ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସହରର ପ୍ରମୁଖ ସ୍ଥାନ ସିଂହଦ୍ୱାର, ବଳଗଣ୍ଡି, ବଡ଼ଶଙ୍ଖ, ଜଗନ୍ନାଥ ବଲ୍ଲଭ ମଠ, ଦିଗବାରେଣୀ, ଗୁଣ୍ଡିଚାବାଡ଼ି, ମାଳତିପାଟପୁର, ସୁଭାଷ ବୋଷ ଛକ, ପାନ୍ଥଭବନ, ତାଳବଣିଆ, ସମଙ୍ଗ ପାର୍କିଂ ସ୍ଥଳ, ଶ୍ରୀଦାଣ୍ଡ ଏବଂ ରେଳଷ୍ଟେସନରେ ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ରଥଯାତ୍ରାର ସିଧାପ୍ରସାରଣ, ଲାଇଭ କମନ ଫିଡ, ରଥଯାତ୍ରା ଦିନ ସିଂହଦ୍ୱାରରେ ବିଶିଷ୍ଟ ଅତିଥିମାନଙ୍କ ପାଇଁ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ପୁରୀର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ସହଯୋଗରେ ଅସ୍ଥାୟୀ ସୂଚନା କେନ୍ଦ୍ରଗୁଡ଼ିକରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ । ଏହା ସହ ପ୍ରତ୍ୟହ ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିର ମୁକ୍ତାକାଶ ରଙ୍ଗମଞ୍ଚରେ ଭଜନ ପରିବେଷଣ କରାଯିବ । ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ରଥଯାତ୍ରା ବିଶେଷାଙ୍କ ତଥା ଜଗନ୍ନାଥ ଜଣାଣ ପ୍ରକାଶନ କରାଯାଇ ବିକ୍ରୟ କରାଯିବ । ଟେଲିଭିଜନ ଓ ଫଟୋ କଭରେଜ, ରେଡ଼ିଓ ଜିଙ୍ଗଲ ଏବଂ ବିଜ୍ଞାପନ ପ୍ରସାରଣ ବ୍ୟବସ୍ଥା ସହ କଟକରୁ ପୁରୀ ଜାତୀୟ ରାଜପଥରେ ନିର୍ଦ୍ଧାରିତ ସ୍ଥାନମାନଙ୍କରେ ହୋର୍ଡିଂ ମାଧ୍ୟମରେ ବ୍ୟାପକ ପ୍ରଚାର ପ୍ରସାର ପାଇଁ ବ୍ୟବସ୍ଥା କରାଯିବ । ଖବରକାଗଜରେ ବିଜ୍ଞାପନ ଏବଂ ସାମାଜିକ ଗଣମାଧ୍ୟମରେ ବ୍ୟାପକ ପ୍ରଚାର ପ୍ରସାର ପାଇଁ ପଦକ୍ଷେପ ନେବାକୁ ପ୍ରମୁଖ ଶାସନ ସଚିବ ବୈଠକରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।