ପୁରୀ:ଆଜି ମହାପ୍ରଭୁଙ୍କ ଅଣସରର ପଞ୍ଚମୀ ତିଥି । ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ କରି ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ । ପରମ୍ପରା ଅନୁସାରେ ବହୁବର୍ଷ ଧରି ବଡ଼ ଓଡ଼ିଆ ମଠ ପକ୍ଷରୁ ଏହି ତେଲ ପ୍ରସ୍ତୁତ କରାଯାଇଆସୁଛି । ଘଣାପେଡ଼ା ରାଶିତେଲରେ ବେଣଚେର, ମାଳତୀ, କିଆ, କେତକୀ, ବଉଳଫୁଲ ଭଳି ସ୍ୱତନ୍ତ୍ର ସୁବାସିତ ଫୁଲ ଓ ୮ ପ୍ରକାର ଚେରମୂଳି ପକାଯାଇ ପ୍ରସ୍ତୁତ କରାଯାଇଥାଏ । ଅଣସର ପଞ୍ଚମୀ ତିଥିରେ ଅର୍ଥାତ୍ ଆଜି ଏହାକୁ ମଠ ପକ୍ଷରୁ ଶ୍ରୀମନ୍ଦିର ନିଆଯିବା ପରେ ଦଇତାପତିମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି । ବିଶ୍ୱାସ ରହିଛି ଫୁଲୁରୀ ତେଲ ଲାଗିପରେ ମହାପ୍ରଭୁ ସାମାନ୍ୟ ସୁସ୍ଥ ହୋଇଥାନ୍ତି ।
ଅନବସର ସମୟରେ ମହାପ୍ରଭୁଙ୍କ ଗୁପ୍ତ ନୀତି ମଧ୍ୟରୁ ଫୁଲୁରୀ ତେଲ ଲାଗି ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ଅଂଶ । ବଡ ଓଡିଆ ମଠ ପକ୍ଷରୁ ପ୍ରତିବର୍ଷ ହେରାପଞ୍ଚମୀ ଦିନ ଶୁଦ୍ଧ ରାଶି ତେଲରେ ଚେରମୂଳି ଓ ସୁବାସିତ ଫୁଲ ପକାଇ ଏକ ପାତ୍ରରେ ରଖି ତାକୁ ମାଟିତଳେ ପୋତା ଯାଇଥାଏ । ଦେବସ୍ନାନ ପୂର୍ଣ୍ଣମୀ ଦିନ ମାଟିତଳୁ ଏହି ତେଲକୁ ବାହାର କରାଯାଇ ଅଣସରର ପଞ୍ଚମୀ ଦିନ ତେଲକୁ ଛଣାଯାଏ ଏବଂ ଅମୁଣିଆ ପ୍ରସ୍ତୁତ କରି ମହାପ୍ରଭୁଙ୍କ ପାଇଁ ପଠାଯାଏ ।
ବଡ ଓଡିଆ ମଠର ସଦସ୍ୟମାନେ ପ୍ରାୟ ୬ ସେର ଫୁଲୁରୀ ତେଲ ନେଇ ଶ୍ରୀମନ୍ଦିରକୁ ଯାଇ ଦଇତାପତିଙ୍କୁ ଅପର୍ଣ କରିଥାନ୍ତି । ମଧ୍ୟାହ୍ନ ଧୂପ ଏବଂ ଦକ୍ଷିଣ ଘର ଭୋଗ ସଂପନ୍ନ ହେବା ପରେ ଜୟବିଜୟ ଦ୍ବାର ବନ୍ଦ ହୋଇ ଅଣସର ଦ୍ବାର ଖୋଲାଯାଇ ୩ଟି ରୂପା ପିଙ୍ଗଣରେ ତେଲକୁ ନେଇ ପତି ମହାପାତ୍ର ସଂସ୍କାର କରିବା ପରେ ଦଇତାପତିମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି । ଏହାଦ୍ବାରା ମହାପ୍ରଭୁଙ୍କ ଶରୀରର ପୀଡା କମ୍ ହୋଇଥାଏ ।