ପୁରୀ:୨ ଦିନ ବଢିଲା ରଥଯାତ୍ରା ଛୁଟି । ଚଳିତ ବର୍ଷ ରଥଯାତ୍ରା ଦୁଇ ଦିନ ଧରି ଚାଲିବାକୁ ଥିବାରୁ ଏଥିପାଇଁ ୨ ଦିନ ଛୁଟି ଘୋଷଣା ହୋଇଛି । ପୁରୀରେ ଆଜି (ମଙ୍ଗଳବାର) ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ବଡ଼ ଘୋଷଣା କରିଛନ୍ତି । ଛୁଟି ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଶୃଙ୍ଖଳିତ ଓ ତ୍ରୁଟିପୂର୍ଣ୍ଣ ଭାବେ ରଥଯାତ୍ରା ସମ୍ପାଦନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଆସନ୍ତା ୭ ତାରିଖ ଦିନ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଆଜି ରଥଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୁରୀ ଟାଉନ ହଲରେ ଏହି ସ୍ୱତନ୍ତ୍ର ସମୀକ୍ଷା ବୈଠକ ଆୟୋଜିତ ହୋଇଛି । ରଥ ନିର୍ମାଣ ଅଗ୍ରଗତି, ନୀତିକାନ୍ତି, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ପାନୀୟ ଜଳ ଯୋଗାଣ, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ପରିବହନ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ପରିମଳ ବ୍ୟବସ୍ଥା ଭଳି ସମସ୍ତ ଦିଗକୁ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଓ ପ୍ରଭାତୀ ପରିଡା, ବିଭିନ୍ନ ବିଭାଗର ମନ୍ତ୍ରୀ, ପୁରୀ ଜିଲ୍ଲାର ସମସ୍ତ ବିଧାୟକ, ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ସେବାୟତ ସମେତ ବିଭିନ୍ନ ଅନୁଷ୍ଠାନ ବ୍ୟକ୍ତି ବିଶେଷ ଏଥିରେ ଉପସ୍ଥିତ ରହିଛନ୍ତି ।