ପୁରୀ:ହିଂସା ଏବଂ ରାଜନୈତିକ ସଙ୍କଟ ଦେଇ ଗତି କରୁଛି ବାଂଲାଦେଶ । ଶେଖ୍ ହାସିନା ସରକାରର ପତନ ପରେ ଜଳୁଛି ଶାରା ଦେଶ । ବାଂଲାଦେଶରେ ବ୍ୟାପକ ଅରାଜକତା ବଢ଼ିଥିବା ବେଳେ ହିଂସାକାଣ୍ଡ ସହ ପୋଡାଜଳା ଜାରି ରହିଛି । ଭାରତ ବିରୋଧୀ କାର୍ଯ୍ୟକଳାପ ବଢ଼ିଚାଲିଥିବା ବେଳେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରାଯାଉଛି । ତେବେ ଏହି ଅପ୍ରୀତିକର ସ୍ଥିତି ସମୟରେ ଭାରତ-ବାଂଲାଦେଶ ସୀମା ଏବଂ ସମୁଦ୍ର ପଥରେ ଭାରତ ସରକାରଙ୍କ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି । କିଛି ଭାରତ ବିରୋଧୀ ସଂଗଠନର ବ୍ୟକ୍ତି ସମୁଦ୍ର ପଥରେ ଭାରତକୁ ଆସି ଅଘଟଣ ଘଟାଇବାର ଆଶଙ୍କା ରହିଛି । ତେବେ ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ପୋଲିସ ପକ୍ଷରୁ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି ହୋଇଛି । ପୁରୀ ଜିଲ୍ଲାରେ ୪ଟି ମେରାଇନ୍ ଥାନା ଥିବାବେଳେ ଏଥିରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନଥିବାରୁ ଅତ୍ୟାଧୁନିକ ବୋଟ୍ ଓ ଆବଶ୍ୟକୀୟ ସରଞ୍ଜାମ ନାହିଁ । ତେଣୁ ତୁରନ୍ତ ପୁରୀ ଏସପି ଓ ଜିଲ୍ଲାପାଳ ପଦକ୍ଷେପ ନେବାକୁ ଦାବି ହୋଇଛି ।
Bangladeshi May Be Enter To Puri On Sea Way (ETV Bharat Odisha) ସମୁଦ୍ର ପଥରେ ଭାରତୀୟ ନୌସେନା ତୀକ୍ଷ୍ମ ନଜର:ବାଂଲାଦେଶରେ ସାଂପ୍ରତିକ ପରିସ୍ଥିତିକୁ ନେଇ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାବେଳେ ଜଳପଥ ଉପରେ କୋଷ୍ଟ ଗାର୍ଡ ଏବଂ ଭାରତୀୟ ନୌସେନା ତୀକ୍ଷ୍ମ ନଜର ରଖିଛି । ତେବେ ଏହି ପ୍ରସଙ୍ଗରେ ପୁରୀ ଏସପି ପିନାକ ମିଶ୍ର କହିଛନ୍ତି, "ତେବେ ଜଳ ପଥରେ ବାଂଲାଦେଶ ପଟୁ ଅନୁପ୍ରବେଶ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ସୂଚନା ପୁରୀ ଜିଲ୍ଲା ପୋଲିସକୁ ଆସିନଥିବା ବେଳେ ପୁରୀ ପୋଲିସ କିନ୍ତୁ ସମ୍ପୂର୍ଣ୍ଣ ସତର୍କ ରହିଛି । ପୁରୀ ଜିଲ୍ଲା ଯେହେତୁ ସମୁଦ୍ର ତଟରେ ଅବସ୍ଥିତ ତେଣୁ କୌଣସି ଅନୁପ୍ରବେଶ ଘଟଣା ଆଶଙ୍କାକୁ ନେଇ କୋଷ୍ଟ ଗାର୍ଡ ସହିତ ପୁରୀ ମେରାଇନ୍ ପୋଲିସ ନାୟମିତ ପାଟ୍ରୋଲିଂ କରୁଛି । ତେଣୁ ସୁରକ୍ଷା ପାଇଁ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ସାମ୍ପ୍ରତିକ ଘଟଣାକୁ ନଜରରେ ରଖାଯାଇ ସମୁଦ୍ର ପଥରେ ଆହୁରି ଅଧିକ କଡା ନଜର ରଖାଯାଇଛି । ପୁରୀ ଜିଲ୍ଲାର ଅସ୍ତରଙ୍ଗ, ଅରଖକୁଦା ମେରାଇନ ଥାନା ପକ୍ଷରୁ ନିୟମିତ ପାଟ୍ରୋଲିଂ କରାଯାଉଛି ।"
ସମୁଦ୍ର ପଥରେ ନିୟମିତ ଚାଲିଛି ପାଟ୍ରୋଲିଂ: ସେପଟେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି, "ଜଳପଥ ଉପରେ କଡ଼ା ନଜର ରଖିବା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ରହିଛି । ତେଣୁ କୋଷ୍ଟ ଗାର୍ଡ ଓ ଭାରତୀୟ ନୌବାହିନୀ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି । କୋଷ୍ଟଗାର୍ଡ ସହ ପୁରୀ ମେରାଇନ ପୋଲିସ ଯୋଗାଯୋଗ ରଖି ସମୁଦ୍ର ପଥରେ ନିୟମିତ ପାଟ୍ରୋଲିଂ କରୁଛନ୍ତି । ସୁରକ୍ଷା ନେଇ ସମସ୍ତେ ପ୍ରସ୍ତୁତ ରହିଛନ୍ତି । ବାଂଲାଦେଶୀ ଅନୁପ୍ରବେଶ ନେଇ ସେଭଳି ଏବେ ସ୍ଥିତି ଉପୁଜିନାହିଁ । ଏବେଠାରୁ ଲୋକଙ୍କୁ ଏ ନେଇ କିଛି ସତର୍କ ସୂଚନା ଦେବା ଠିକ୍ ହେବ ନାହିଁ । ସମୟ ଆସିଲେ ଏ ନେଇ ଲୋକଙ୍କୁ ସଚେତନ ଓ ସତର୍କ ସୂଚନା ଦିଆଯିବ ।"
ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରବେଶ କରିବା ଆଶଙ୍କା:
ପୁରୀର ବାସିନ୍ଦା ଆଦିତ୍ୟ ରଞ୍ଜନ ବାରିକ କହିଛନ୍ତି, "ପୁରୀ ବଙ୍ଗୋପସାଗର ନିକଟରେ ରହିଛି । ଜଳ ପଥରେ ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରବେଶ କରିବାର ଯଥେଷ୍ଟ ଆଶଙ୍କା ରହିଛି । ପୁରୀ ଜିଲ୍ଲାର ମେରାଇନ ଥାନାରେ ଆବଶ୍ୟକ ସଂଖ୍ୟକ ପୋଲିସ କର୍ମଚାରୀ ନାହାନ୍ତି । ସମୁଦ୍ର ଜଳରେ ପାଟ୍ରୋଲିଂ ପାଇଁ ଅତ୍ୟାଧୁନିକ ବୋଟ ନାହିଁ । ସବୁ କିଛି ମହାପ୍ରଭୁଙ୍କ ଭରସାରେ ଚାଲିଛି । କେତେବେଳେ ବି ଆତଙ୍କବାଦୀ ପ୍ରବେଶ କରିବେ ସେ ନେଇ କହିହେବ ନାହିଁ । ତୁରନ୍ତ ପୋଲିସ ପକ୍ଷରୁ ସମୁଦ୍ର ପଥରେ କଡା ସୁରକ୍ଷା ପାଇଁ ଅଧିକ ପୋଲିସ ମୁତୟନ କରାଯାଉ । ଅଧିକ ବୋଟରେ ସମୁଦ୍ରରେ ପାଟ୍ରୋଲିଂ କରାଯାଉ । ସେହିପରି ଲୋକଙ୍କୁ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସଚେତନ କରାଯାଉ । ଅଜଣା ବ୍ୟକ୍ତିଙ୍କୁ ଦେଖିଲେ ନିକଟସ୍ଥ ଥାନାକୁ ଖବର ଦେବା ସହ ଟୋଲ ଫ୍ରି ନମ୍ୱର ମଧ୍ଯ ଜାରି କରାଯାଉ । ଯାହା ଫଳରେ ଲୋକମାନେ ପୋଲିସକୁ ଖବର ଦେଇ ପାରିବେ ।"
ଏହା ମଧ୍ୟ ପଢ଼ନ୍ତୁ...କଂଗ୍ରେସ ବଡ ନେତାଙ୍କ ବିସ୍ଫୋରକ ବୟାନ; ' ଭାରତରେ ହୋଇପାରେ ବାଂଲାଦେଶ ଭଳି ହିଂସା’ , ଗ୍ରାଣ୍ଡ ଓଲ୍ଡ ପାର୍ଟି ଉପରେ ବର୍ଷିଲା ବିଜେପି - violent protests like bangladesh
ଇଟିଭି ଭାରତ, ପୁରୀ