ହାଇଦ୍ରାବାଦ:ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହେବା ପାଇଁ ପୁରୀ ବଡ଼ଦାଣ୍ଡରେ ପହଞ୍ଚି ରଥାରୁଢ଼ ଦାରୁଦିଁଅଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିଥିବା ବେଳେ ରଥଟଣା ସମୟରେ 3 ରଥ ଟାଣିବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଅଛନ୍ତି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ବର ବିମାନ ବନ୍ଦରରୁ ହେଲିକପ୍ଟର ଯୋଗେ ଯାଇ ପୁରୀ ତାଳବଣିଆ ଠାରେ ହେଲିପ୍ୟାଡରେ ଅବତରଣ କରିଥିଲେ । ପରେ ସେଠାରୁ ସେ କଡ଼ା ସୁରକ୍ଷା ଭିତରେ ବଡଦାଣ୍ଡରେ ପହଞ୍ଚି ରଥାରୁଢ଼ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ରାଷ୍ଟ୍ରପତି ମୁର୍ମୁ ଗତକାଲି (ଶନିବାର) ଠାରୁ 4ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି । ଗତକାଲି ଅପରାହ୍ନରେ ସେ ଭୁବନେଶ୍ବରେ ଅବତରଣ କରିବା ପରେ ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ଶ୍ରାଦ୍ଧ ଉତ୍ସବରେ ମଧ୍ୟ ଅଂଶଗ୍ରହଣ କରିଥିଲେ । ପରେ ସେ ରାଜଭବନରେ ରାତ୍ରିଯାପନ କରିଥିଲେ । ଆଜି ସେ ଅପରାହ୍ନରେ ଶ୍ରୀକ୍ଷେତ୍ରରେ ରଥଯାତ୍ରାରେ ସାମିଲ ହେବେ । ଏପଟେ ରଥଯାତ୍ରା ଦେଖିବାକୁ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମହାପ୍ରଭୁଙ୍କୁ ଦର୍ଶନ କରି ପ୍ରଣାମ କଲେ ମୁଖ୍ୟମନ୍ତ୍ରୀ ।