ପୁରୀ:ଓଡିଶାରେ ତୃତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୁରୀ ଲୋକସଭା ନିର୍ବାଚନମଣ୍ଡଳୀ ସମେତ ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ ଏବଂ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆଜି ଠାରୁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହେବ । ପ୍ରାର୍ଥୀମାନେ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଯାଇ ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ନାମାଙ୍କନ ଦାଖଲ କରିବେ । ଏହାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପକ୍ଷରୁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ଜିଲ୍ଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରାଯିବ । ୧୦୭ ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଉପଜିଲ୍ଲାପାଳ ଗୋପୀନାଥ କୁଅଁର, ୧୦୮ ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟ ରଞ୍ଜନ ପୃଷ୍ଟି, ୧୦୯ ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଅତିରିକ୍ତ ଜିଲାପାଳ (ପ୍ରଶାସନ) ଶରତ ଚନ୍ଦ୍ର ବେହେରା ଏବଂ ୧୧୦ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଅତିରିକ୍ତ ଉପଜିଲାପାଳ ନୀଳ ମାଧବ ମାଝିଙ୍କ ନିକଟରେ ନାମାଙ୍କନ ଦାଖଲ କରାଯିବ । ଏହିସବୁ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ମେ ୬ ତାରିଖ ମଧ୍ୟରେ ନାମାଙ୍କନ ଦାଖଲ ଶେଷ ହେବାକୁ ଥିବା ବେଳେ ୭ରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୯ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ନେଇ ସମୟ ରହିଛି । ମେ ୨୫ ତାରିଖରେ ମତଦାନ ହେବାକୁ ଥିବା ବେଳେ ଜୁନ ୪ରେ ଭୋଟ ଗଣତି କରାଯାଇ ନିର୍ବାଚନ ଫଳ ଘୋଷଣା କରାଯିବ ।
ଜୁନ ୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ମେ ୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିଦିନ ଠାରୁ ୧୪ ତାରିଖ ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ କରାଯିବ । ୧୦୬ ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟକଲ) ନୀଳ ମାଧବ ଭୋଇ ଏବଂ ୧୦୫ କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଅତିରିକ୍ତ ଜିଲାପାଳ (ରାଜସ୍ୱ) କୈଳାସ ଚନ୍ଦ୍ର ନାୟକଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରାଯିବ । ତେଣୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ବ୍ୟାରିକେଡ ନିର୍ମାଣ କରାଯାଇଛି । ପୁରୀ ପୌର ସଦନ ଛକ ଠାରୁ ଶୋଭାଯାତ୍ରା ଗୁଡିକୁ ଆଗକୁ ଯିବା ପାଇଁ ଅନୁମତି ଦିଆଯିବ ନାହିଁ । କେବଳ ପ୍ରାର୍ଥୀ, ପ୍ରସ୍ତାବକ ଓ ସମର୍ଥକମାନେ ନାମାଙ୍କନ ଦାଖଲ ପାଇଁ ଯାଇ ପାରିବେ । ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥୀ ଡାକ୍ତର ସମ୍ବିତ ପାତ୍ରଙ୍କ ସମେତ ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ସଞ୍ଜୟ କୁମାର ଦାସବର୍ମା, ପୁରୀ ବିଧାନସଭା ପ୍ରାର୍ଥୀ ସୁନିଲ ମହାନ୍ତି ଏବଂ ବିଭିନ୍ନ ରାଜନୈତିକ ଦଳର ଆଉ କେତେକ ପ୍ରାର୍ଥୀ ସୋମବାର ପ୍ରାର୍ଥିପତ୍ର ଦାଖଲ କରିବେ ।