ଓଡିଶା

odisha

ETV Bharat / state

ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶର ତଦନ୍ତ କରୁଛି ପୋଲିସ, ଢିଲା ସୁରକ୍ଷା ବ୍ୟବସ୍ଥା ନେଇ ବୁଦ୍ଧିଜୀବୀ ଅସନ୍ତୋଷ - ଶ୍ରୀମନ୍ଦିରରେ ଅଣହିନ୍ଦୁ

Non Hindu in Puri Jagannath Temple: ରବିବାର ସନ୍ଧ୍ୟାରେ ଶ୍ରୀମନ୍ଦିରରେ କିଛି ବିଦେଶୀ ଅଣହିନ୍ଦୁ ବ୍ୟକ୍ତିଙ୍କ ପ୍ରବେଶ ଘଟଣାରେ 9 ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ । ସେପଟେ ଶ୍ରୀମନ୍ଦିର ଓ ଭକ୍ତଙ୍କ ସୁରକ୍ଷା ଢିଲା ନେଇ ପ୍ରଶ୍ନ ଉଠାଇଲେ ବୁଦ୍ଧିଜୀବୀ । ଅଧିକ ପଢ଼ନ୍ତୁ

Non Hindu entry in Srimandir
Non Hindu entry in Srimandir

By ETV Bharat Odisha Team

Published : Mar 4, 2024, 5:28 PM IST

Non Hindu entry in Srimandir

ପୁରୀ: ରବିବାର ସନ୍ଧ୍ୟାରେ ଶ୍ରୀମନ୍ଦିରରେ କିଛି ବିଦେଶୀ ଅଣହିନ୍ଦୁ ବ୍ୟକ୍ତିଙ୍କ ପ୍ରବେଶକୁ ନେଇ ଅଭିଯୋଗ ହେବା ପରେ ମୋଟ ୯ ଜଣ ବ୍ୟକ୍ତିଙ୍କୁ ସିଂହଦ୍ଵାର ଥାନା ପୋଲିସ ଅଟକ ରଖି ତଦନ୍ତ ଚଳାଇଛି । ଗତକାଲି ସନ୍ଧ୍ୟାରେ ଶ୍ରୀମନ୍ଦିର ବାହାରେ କିଛି ବ୍ୟକ୍ତିଙ୍କୁ ସନ୍ଦେହ କରି ବଜରଙ୍ଗ ଦଳର କର୍ମୀ ସେମାନଙ୍କୁ ପଚରାଉଚରା କରିଥିଲେ । ସେମାନଙ୍କର କିଛି ବନ୍ଧୁ ଶ୍ରୀମନ୍ଦିର ଭିତରକୁ ଯାଇଥିବା ସେମାନେ କହିଥିଲେ । ସେମାନଙ୍କ ବେଶଭୂଷାରୁ ସେମାନେ ଅଣହିନ୍ଦୁ ବୋଲି ବାରି ହୋଇପଡ଼ୁଥିବାରୁ ସେମାନଙ୍କୁ ନେଇ ପୋଲିସ ଜିମାରେ ଦେଇଥିଲେ ବଜରଙ୍ଗ ଦଳର କର୍ମୀ । ଏବଂ ଅଣହିନ୍ଦୁ କିପରି ଶ୍ରୀମନ୍ଦିରରେ ପ୍ରବେଶ କରିଲେ ବୋଲି ଅଭିଯୋଗ କରିଥିଲେ । ଏହି ଘଟଣାରେ ପୋଲିସ ଗତକାଲିଠାରୁ ହିଁ 9 ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ।

ଏହି ଘଟଣାରେ ପୁରୀ ଏସ୍‌ପି ପୀନାକ ମିଶ୍ର କହିଛନ୍ତି, "ଏହି ୯ ଜଣ ବ୍ୟକ୍ତିଙ୍କର ପାସ୍‌ପୋର୍ଟ ଏବଂ ଭିଜା ଯାଞ୍ଚ ପାଇଁ ବାଂଲାଦେଶର ଦୂତାବାସ ସହ ଯୋଗାଯୋଗ କରାଯାଇଛି । ସେହିପରି ଭିସା, ପାସପୋର୍ଟର ବୈଧତା ଅଛି କି ନାହିଁ ସେ ନେଇ ଯାଞ୍ଚ କରାଯାଉଛି । ଏହି ୯ ଜଣ ବ୍ୟକ୍ତି ଓଡ଼ିଶାକୁ କାହିଁକି ଆସିଥିଲେ, କେଉଁ କେଉଁ ସ୍ଥାନକୁ ଯାଇଥିଲେ, ପୂର୍ବରୁ ଭାରତକୁ ଏମାନେ ଆସିଛନ୍ତି କି ନାହିଁ ସେନେଇ ପୋଲିସ ତଦନ୍ତ ହେଉଛି । ଏହି ସନ୍ଦିଗ୍ଧ ବ୍ୟକ୍ତିମାନେ କେଉଁ ହୋଟେଲରେ ରହିଥିଲେ ଏବଂ କ'ଣ ପରିଚୟ ଦେଇ ରହିଥିଲେ ତାହା ମଧ୍ୟ ପୋଲିସ ଯାଞ୍ଚ କରୁଛି ।" ତେବେ ଏହାର ସବିଶେଷ ତଦନ୍ତ ସରିବା ପରେ ସମ୍ପୂର୍ଣ୍ଣ ଘଟଣାକ୍ରମ ଜଣାପଡ଼ିବ ବୋଲି ଏସ୍‌ପି ପିନାକ ମିଶ୍ର କହିଛନ୍ତି ।

ସେପଟେ ଅଣହିନ୍ଦୁଙ୍କ ପ୍ରବେଶକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସେବାୟତ ଏବଂ ଭକ୍ତ । ଶ୍ରୀମନ୍ଦିରରେ କୌଣସି ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ନଥିବାରୁ ଅନେକ ଅଣହିନ୍ଦୁ ମଧ୍ୟ ପୂର୍ବରୁ ପଶିଥିବା ନଜିର ରହିଛି । ଢିଲା ସୁରକ୍ଷା ବ୍ୟବସ୍ଥାର ଫାଇଦା ଉଠାଇ ଲୋକମାନେ ନିଷିଦ୍ଧ ଥିବା ମୋବାଇଲ୍‌ ଫୋନ୍‌ ଶ୍ରୀମନ୍ଦିରକୁ ନେଉଥିବା ଧରା ପଡ଼ିଛନ୍ତି । ଶ୍ରୀମନ୍ଦିର ଉପରେ କଟକଣା ସତ୍ତ୍ବେ ମଧ୍ୟ ଅବାଧରେ ଡ୍ରୋନ୍ କ୍ୟାମେରା ଉଡ଼ାଉଛନ୍ତି । ଏହାଦ୍ବାରା ଶ୍ରୀମନ୍ଦିର ପ୍ରତି ଆଗାମୀ ଦିନରେ ବିପଦ ଆଶଙ୍କା ଥିବାବେଳେ ପୋଲିସ ସରକାରଙ୍କ ସହ ଆଲୋଚନା କରି ତୁରନ୍ତ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ମତ ଦେଇଛନ୍ତି ବୁଦ୍ଧିଜୀବୀ ।

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିରରେ ବିଦେଶୀ ଅଣହିନ୍ଦୁ ! ପ୍ରବେଶ କରିଥିବା ଅଭିଯୋଗରେ ୯ ଅଟକ

ଅନ୍ୟପଟେ ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ଏହି ସମସ୍ୟାର କିଭଳି ନିରାକରଣ କରିହେବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ପୁରୀ ଏସ୍‌ପି କହିଛନ୍ତି । ଏସ୍‌ପିଙ୍କ କହିବା ଅନୁସାରେ, "ବିଭିନ୍ନ ହୋଟେଲ, ଲଜିଂ ଗୁଡ଼ିକରେ ରହୁଥିବା ବ୍ୟକ୍ତି ବିଶେଷଙ୍କର ପରିଚୟ ପତ୍ର ସଠିକ୍ ଭାବେ ରଖିବା ପାଇଁ ମଧ୍ୟ ନିୟମିତ ବ୍ୟବଧାନରେ ସମୀକ୍ଷା କରାଯାଉଛି । ଶ୍ରୀମନ୍ଦିରକୁ ଦୈନିକ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ବେଳେ ଅଣହିନ୍ଦୁଙ୍କୁ ଚିହ୍ନଟ କରିବା ବେଶ କଷ୍ଟକର କାର୍ଯ୍ୟ । ତେବେ ଶ୍ରୀମନ୍ଦିର ଚାରିପାଖରେ ଅଣହିନ୍ଦୁ ପ୍ରବେଶ କଟକଣା ନେଇ ଆଗାମୀ ଦିନରେ ସଚେତନ କରାଯିବା ସହ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରାଯାଇ ସ୍ବତନ୍ତ୍ର ପଦକ୍ଷେପ ନେବାପାଇଁ ଚେଷ୍ଟା କରାଯିବ ।"

ଶ୍ରୀମନ୍ଦିର ଆତଙ୍କବାଦୀଙ୍କ ଟାର୍ଗେଟରେ ଥିବା ନେଇ ପୂର୍ବରୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏ ବାରମ୍ବାର ପୁରୀ ପୋଲିସକୁ ସତର୍କ କରାଇଛି । ଏନେଇ ମଧ୍ୟ ଅନେକଥର ଏନ୍‌ଆଇଏ ଟିମ୍‌ ପୁରୀ ଆସି ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛି । ତେବେ ଏନ୍‌ଆଇଏର ଚେତାବନୀ ସତ୍ତ୍ଵେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ସ୍ବତନ୍ତ୍ର ପଦକ୍ଷେପ ନିଆନଗଲେ ଉଭୟ ଶ୍ରୀମନ୍ଦିର ଏବଂ ଭକ୍ତଙ୍କ ପାଇଁ ମହାବିପଦ ହେବାର ଆଶଙ୍କା ରହିଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details