ସୁବର୍ଣ୍ଣପୁର: ପୁଣି ମୁଣ୍ଡ ଟେକୁଛି ସନ୍ଥକବି ଭୀମଭୋଇଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଦାବି । ସହରର ଯେକୌଣସି ଏକ ଛକରେ କବି ଭୀମଭୋଇଙ୍କ ପ୍ରତିମୂର୍ତ୍ତି ତୁରନ୍ତ ପ୍ରତିଷ୍ଠା କରିବା ପାଇଁ ଦାବି କରାଯାଇଛି । ମହାନଦୀ ଠାରୁ ତେଲନଦୀ ଯାଏଁ ଫୋରଲେନ ବିଶିଷ୍ଟ ରାସ୍ତାକାର୍ଯ୍ୟର ସଂପ୍ରସାରଣ ପାଇଁ ସୁବର୍ଣ୍ଣପୁର ସହରର ବ୍ଳକ ଛକ ଠାରୁ ଭୀମଭୋଇଙ୍କ ପ୍ରତିମୂର୍ତ୍ତିକୁ ହଟେଇ ଦିଆଯାଇଥିଲା । ଆଜକୁ ତିନି ବର୍ଷରୁ ଅଧିକ ହେଲା ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିବା ଦିଗରେ ଏଯାଏଁ ସ୍ଥାନ ନିରୂପଣ କରାଯାଇ ପାରିନାହିଁ ।
ସନ୍ଥକବି ଭୀମଭୋଇଙ୍କ ପ୍ରତିମୂର୍ତ୍ତି ଥିବା ପେଣ୍ଡାଲଟିକୁ ଭାଙ୍ଗି ଦିଆ ଯାଇଥିବା ବେଳେ ପୁଣି ଏକ ସୌନ୍ଦର୍ଯ୍ୟପୂର୍ଣ୍ଣ ପେଣ୍ଡାଲ ତିଆରି କରି ସନ୍ଥକବିଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିବେ ବୋଲି ଆଶା କରାଯାଉଥିଲା। ହେଲେ ସୁବର୍ଣ୍ଣପୁର ଜିଲ୍ଲା ଗୃହ ଓ ପୂର୍ତ୍ତ ବିଭାଗ ପ୍ରତିମୂର୍ତ୍ତିଟିକୁ ନେଇ ବିଭାଗୀୟ କାର୍ଯ୍ୟାଳୟର ଗ୍ୟାରେଜ ଘରେ ରଖିଛନ୍ତି । ତେବେ ଦୈନିକ ଶହ ଶହ ଶ୍ରଦ୍ଧାଳୁ, ପର୍ଯ୍ୟଟକ, ମହିମାଧର୍ମୀ ସାଧୁ ସନ୍ୟାସୀ, ସାହିତ୍ୟ ରସିକ, ଭୀମଭୋଇ ପ୍ରେମୀ ସହର ଭିତରକୁ ଆସୁଥିବା ବେଳେ ପ୍ରତିମୂର୍ତ୍ତି କୁଆଡେ ଗଲା ବୋଲି ପ୍ରଶ୍ନ କରୁଛନ୍ତି। ତେବେ ସନ୍ଥକବିଙ୍କ ସମାଧୀ ପୀଠକୁ ପାଦୁକା ଦର୍ଶନ କରିବାକୁ ଆସୁଥିବା ଭୀମଭୋଇ ପ୍ରେମୀ, ସାହିତ୍ୟ ରସିକ ତଥା ମହିମା ଧର୍ମୀ ସାଧୁ ସନ୍ୟାସୀ ବ୍ଳକ ଛକରେ ଥିବା ସନ୍ଥଙ୍କ ପ୍ରତିମୂର୍ତ୍ତି ପ୍ରଥମେ ଦର୍ଶନ କରିବାର ସୁଯୋଗ ନେଉଥିଲେ ।