ଭୁବନେଶ୍ବର:ଘରୋଇ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା । ନେପାଳ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହିତ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଫୋନ ଯୋଗେ କଥା ହେବା ସହ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପିଲାମାନଙ୍କ ଭରସା ଫେରାଇ ଆଣିବା ପାଇଁ ପଦକ୍ଷେପ ନେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ପ୍ରତିଶ୍ରୁତି । ସେହିପରି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ନେପାଳ ଦୂତାବାସର ଦୁଇ ଅଧିକାରୀ । ସରକାରଙ୍କ କାର୍ଯ୍ୟନୁଷ୍ଠାନ ଉପରେ ସନ୍ତୋଷ ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ନେପାଳର ପିଲାମାନେ ହେଉଛନ୍ତି ଆମ ପିଲା । ପୁରା ସମ୍ମାନର ସହ ପିଲାମାନେ ଏଠାରେ ପଢିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଉଚ୍ଚସ୍ତରୀୟ ଯାଞ୍ଚ କମିଟି ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
ନେପାଳ ପିଲା ମଧ୍ୟ ଆମ ପିଲା: ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଆରଜୁ ରାନା ଦେଉବାଙ୍କ ସହ ଫୋନ ଯୋଗେ ଆଲୋଚନା କରିଛନ୍ତି । ଲୋକସେବା ଭବନରେ କିଟ ଘଟଣା ସମ୍ପର୍କରେ ହୋଇଛି ଉଭୟ ମଧ୍ୟରେ ଆଲୋଚନା । ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀ ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, "ନେପାଳର ପିଲାମାନେ ମଧ୍ୟ ହେଉଛନ୍ତି ଆମ ପିଲା । ପୁରା ସମ୍ମାନର ସହ ସେମାନେ ଏଠାରେ ପଢିବେ । ରାଜ୍ୟ ସରକାର ଘଟଣା ସମ୍ପର୍କରେ ତୀକ୍ଷ୍ଣ ନଜର ରଖିଛନ୍ତି । ତ୍ୱରିତ ପଦକ୍ଷେପ ନେଉଛନ୍ତି । ଏହା ସହିତ ଛାତ୍ରଛାତ୍ରୀ ମାନଙ୍କ ଭରସା ଓ ଆତ୍ମ ବିଶ୍ୱାସ ଫେରାଇ ଆଣିବା ପାଇଁ ସମସ୍ତ ପଦକ୍ଷେପ ନିଆଯିବ ।
ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ:
ସେହିପରି ନେପାଳ ଦୂତାବାସର ଅଧିକାରୀ ନବୀନ ରାଜ ଅଧିକାରୀ ଏବଂ ସଞ୍ଜୀବ ଶର୍ମା ଦାସ ମଧ୍ୟ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଲୋଚନା କରିଛନ୍ତି । ଘଟଣାରେ 10 ଜଣଙ୍କୁ ଗିରଫ କରାଯାଇଛି । ଏହି ଘଟଣା ସହ ସମ୍ପୃକ୍ତ ସମସ୍ତଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଘରୋଇ ବିଶ୍ବ ବିଦ୍ୟାଳୟ ପରିସରରେ ଶିକ୍ଷାର ବାତାବରଣ ଫେରାଇ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେଲେ ନେପାଳ ଅଧିକାରୀ:
ନେପାଳର ଅଧିକାରୀ କହିଛନ୍ତି, "ଘଟଣାରେ ଓଡିଶା ସରକାରଙ୍କ ପକ୍ଷରୁ ଯଥାଶୀଘ୍ର ପଦକ୍ଷେପ ନିଆଯାଇଛି । ଏହା ଦ୍ୱାରା ନେପାଳରୁ ଆସି ପଢୁଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ମାନେ ଆଶ୍ୱସ୍ତ ଅନୁଭବ କରିଛନ୍ତି । ଏଥିପାଇଁ ନେପାଳ ସରକାରଙ୍କ ପକ୍ଷରୁ ଓଡିଶା ସରକାରଙ୍କୁ ବିଶେଷକରି ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ଧନ୍ୟବାଦ ଦେଇଛନ୍ତି ।
ସେମାନେ ଆହୁରି ମଧ୍ୟ କହିଛନ୍ତି, "ନେପାଳ ଓ ଓଡିଶା ମଧ୍ୟରେ ଅତି ପୁରାତନ ସମ୍ପର୍କ ରହିଆସିଛି । ଏହି ସୁସମ୍ପର୍କ କେବେ ବ୍ୟାହତ ହେବ ନାହିଁ । ଆଲୋଚନା ସମୟରେ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଉପସ୍ଥିତ ଥିଲେ ।
ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ: