ଭୁବନେଶ୍ବର: ରାଜ୍ୟର ୩୦୪ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ୯୯.୯୪ ପ୍ରତିଶତ ପାସ । ଗତକାଲି ୨୦୨୪ ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଛି । ଉକ୍ତ ପରୀକ୍ଷାରେ ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ ଦ୍ଵାରା ପରିଚାଳିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ଅପୂର୍ବ ସଫଳତା ହାସଲ କରିଛନ୍ତି । ୫୮୨ (୯୭%) ନମ୍ବର ରଖି ପ୍ରଥମ ସ୍ଥାନ ହାସଲ କରିଛନ୍ତି ବ୍ରହ୍ମପୁରର ନୀଳକଣ୍ଠ ନଗରର ଆୟୂଷ ଆଶୁତୋଷ ବେହେରା। ଯାହାର ସୂଚନା ଏକ ସାମ୍ବାଦିକ ସମ୍ମିଳନୀ ଯୋଗେ ଶିକ୍ଷା ବିକାଶ ସମିତି ଅଧକ୍ଷ ଏବଂ ସମ୍ପାଦକ ଦେଇଛନ୍ତି।
ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ମେଧାବୀଙ୍କ ସଂଖ୍ୟା କମିଥିବା ସଭାରେ ଶିକ୍ଷା ବିକାଶ ସମିତି ପକ୍ଷରୁ ପ୍ରକାଶ କରାଯାଇଛି । ଗତବର୍ଷ ପାଖାପାଖି A1 ୧୫୦୦ରୁ ଅଧିକ ଗ୍ରେଡ ପାଇଥିବା ବେଳେ ଚଳିତ ବର୍ଷ A1 ମାତ୍ର ୫୪୪ ଜଣ ମେଧାବୀ ପାଇଛନ୍ତି । ରାଜ୍ୟରେ ମୋଟ ୩୦୪ଟି ଶିଶୁ ବିଦ୍ୟା ମନ୍ଦିରରୁ ମୋଟ ୧୫ ହଜାର ୬୨୬ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥି ମଧ୍ୟରୁ ୧୫ ହଜାର ୬୧୬ ଜଣ (୯୯.୯୪%) ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ଶିକ୍ଷାବର୍ଷ ୨୦୨୪ରେ ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟ ଓ କଳା ପରୀକ୍ଷାରେ ଶିକ୍ଷା ବିକାଶ ସମିତି ଦ୍ୱାରା ପରିଚାଳିତ ସରସ୍ଵତୀ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରମାନେ ଅଦ୍ଭୁତ ପୂର୍ବ ସଫଳତା ହାସଲ କରିଛନ୍ତି । ମୋଟ ୧ ହଜାର ୭୧୬ ଜଣ ପରୀକ୍ଷା ଦେଇଥିବା ବେଳେ ୧ ହଜାର ୭୦୮ ଜଣ (୯୯.୫୩%) ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।