ଓଡିଶା

odisha

ETV Bharat / state

ମହିଳା ମହାବିଦ୍ୟାଳୟରେ ଭାବ ବିନିମୟ କଲେ ମହାମହିମ, ଛାତ୍ରୀଙ୍କୁ ଦେଲେ ଉପଦେଶ - PRESIDENT VISIT WOMENS COLLEGE

ଏସଏଲଏସ ଟ୍ରଷ୍ଟ ବୋର୍ଡ ତରଫରୁ ରାଇରଙ୍ଗପୁର ଡାକ୍ତରଖାନାକୁ ଆମ୍ବୁଲାନ୍ସ ପ୍ରଦାନ କଲେ ରାଷ୍ଟ୍ରପତି । ମହାବିଦ୍ୟାଳୟରେ ଛାତ୍ରୀଙ୍କ ସହ କଲେ ଭାବର ଆଦାନପ୍ରଦାନ ।

PRESIDENT VISIT WOMENS COLLEGE
PRESIDENT VISIT WOMENS COLLEGE (@rashtrapatibhvn)

By ETV Bharat Odisha Team

Published : Dec 6, 2024, 8:10 PM IST

ରାଇରଙ୍ଗପୁର:ଆଜି ଖୁସିରେ ନାଚି ଉଠୁଛି ମୟୂରଭଞ୍ଜ ଜିଲ୍ଲା । କାରଣ ଗାଁକୁ ଆସିଛନ୍ତି ରାଷ୍ଟ୍ରପତି ଝିଅ । ରାଷ୍ଟ୍ରପତି ହେବା ଅନେକ ଥର ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଆଜି ପ୍ରଥମ ଥର ପୈତୃକ ଗାଁ ଉପରବେଡା ଆସିଥିଲେ ଗାଁର ଝିଅ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେଠାରେ କିଛି ସମୟ ବିତାଇବା ପରେ ସ୍ବତନ୍ତ୍ର କାରଡେକରେ ଆସିଥିଲେ ରାଇରଙ୍ଗପୁର । ଏହି ଗସ୍ତ ସମୟରେ ଏସଏଲଏସ ଟ୍ରଷ୍ଟ ବୋର୍ଡ ତରଫରୁ ଏକ ଆମ୍ବୁଲାନ୍ସ ରାଇରଙ୍ଗପୁର ଡାକ୍ତରଖାନାକୁ ପ୍ରଦାନ କରିଥିଲେ । ଏଥିସହ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟକୁ ଆସି ଅଧ୍ୟାପକ, ଅଧ୍ୟାପିକାଙ୍କ ସମେତ ଛାତ୍ରୀଙ୍କ ସହ କରିଛନ୍ତି ଭାବବିନିମୟ । ରାଷ୍ଟ୍ରପତିଙ୍କୁ ପାଖରେ ପାଇ ଛାତ୍ରୀ ବି ବେଶ ଖୁସି ।

ରାଇଙ୍ଗପୁର ଉପଖଣ୍ଡକୁ ପ୍ରଦାନ କଲେ ଆମ୍ବୁଲାନ୍ସ:

PRESIDENT VISIT WOMENS COLLEGE (ETV Bharat Odisha)

ଆଜି(ଶୁକ୍ରବାର) ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଗସ୍ତରେ ଆସି ସର୍ବପ୍ରଥମେ ପୈତୃକ ଗ୍ରାମ ଉପରବେଡା ଗ୍ରାମରେ ପାଦ ପକାଇଥିଲେ । ସେଠାରେ ସମସ୍ତ କାର୍ଯ୍ୟକ୍ରମ ସାରି ମହାମହିମ ସ୍ବତନ୍ତ୍ର କାରକେଡ ଯୋଗେ ସଡ଼କ ପଥରେ ରାଇରଙ୍ଗପୁର ଆସିଥିଲେ । ଦିନ ପ୍ରାୟ ୧.୦୫ ସମୟରେ ଉପରବେଡା ଗ୍ରାମରୁ ବାହାରି ରାଇରଙ୍ଗପୁର ମହୁଲଡିହା ସ୍ଥିତ ନିଜ ବାସଭବନ ଆସିଥିଲେ ମହାମହିମ । ସେଠାରେ ମଧ୍ୟାହ୍ନ ଭୋଜନ ଓ ଅଳ୍ପ ବିଶ୍ରାମ ପରେ ମହାମହିମ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଆସି ସେଠାରେ ଏସଏଲଏସ ଟ୍ରଷ୍ଟ ବୋର୍ଡ ତରଫରୁ ଏକ ଆମ୍ବୁଲାନ୍ସ ରାଇରଙ୍ଗପୁର ଡାକ୍ତରଖାନାକୁ ପ୍ରଦାନ କରିଥିଲେ । ସବୁଜ ପତାକା ଦେଖାଇ ଆମ୍ବୁଲାନ୍ସ ଚଳାଚଳର ଶୁଭ ଉଦଘାଟନ କରିଥିଲେ ରାଷ୍ଟ୍ରପତି ।

PRESIDENT VISIT WOMENS COLLEGE (@rashtrapatibhvn)

କଣ ଉପଦେଶ ଦେଲେ ମହାମହିମ ?

  • ମହିଳାଙ୍କୁ ସ୍ବପ୍ନକୁ ସାକାର କରିବା ପାଇଁ ପ୍ରତିକୂଳ ପରିସ୍ଥିତିକୁ ଏଡାଇ ଆଗକୁ ବଢିବାକୁ ହେବ
  • ଶିକ୍ଷାକୁ କେବଳ ଅର୍ଥ ଉପାର୍ଜନର ମାଧ୍ୟମ ଭାବନ୍ତୁ ନାହିଁ
  • ସୁନାଗରିକ ଭାବେ ପ୍ରତିଷ୍ଠିତ କରିବା ପାଇଁ ଶିକ୍ଷା ଆବଶ୍ୟକତାକୁ ଉପଲବ୍ଧି କର
  • ଆଗକୁ ଯିବାକୁ ହେବ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ହେବ
  • ରାଇରଙ୍ଗପୁରକୁ ଲୋକେ ପଛୁଆ ଅଞ୍ଚଳ ଭାବନ୍ତି, ଏହାକୁ ଭୁଲ ପ୍ରତିପାଦନ କରିବାକୁ ହେବ

ରାଷ୍ଟ୍ରପତିଙ୍କୁ ପାଖରେ ପାଇ ସମସ୍ତେ ବେଶ ଖୁସି:

PRESIDENT VISIT WOMENS COLLEGE (@rashtrapatibhvn)

ପରେ ମହାମହିମ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଆସି ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମହାମହିମଙ୍କୁ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ଭବ୍ୟ ସ୍ଵାଗତ କରା ଯାଇଥିଲା । ରାଷ୍ଟ୍ରପତିଙ୍କୁ ଉତ୍ତରୀୟ ଓ ଉପହାର ସ୍ଵରୂପ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମା ପ୍ରଦାନ କରାଯାଇଥିଲା । ମହାମହିମ ସେଠାରେ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରୀ ମାନଙ୍କ ସହିତ ଭାବ ବିନିମୟ କରିଥିଲେ ।

ଏନେଇ ଜଣେ ଛାତ୍ରୀ କହିଛନ୍ତି, ‘ରାଷ୍ଟ୍ରପତିଙ୍କୁ ପାଖରେ ପାଇ ଆମେ ବେଶ ଖୁସି’ ।

ରାଷ୍ଟ୍ରପତିଙ୍କ ସମ୍ପର୍କିତ ଆହୁରି ଖବର ମଧ୍ୟ ପଢନ୍ତୁ:

'ଉପରବେଡ଼ା ଗାଁ ନୁହେଁ, ମୋ ପରିବାର'; ଜନ୍ମମାଟିକୁ ଏଭଳି କହିଲେ ରାଷ୍ଟ୍ରପତି

ଭୁବନେଶ୍ୱର ନୂତନ କୋର୍ଟ କମ୍ପ୍ଲେକ୍ସ ଲୋକାର୍ପିତ କଲେ ରାଷ୍ଟ୍ରପତି

ଗୋଟିଏ କ୍ଲିକରେ ଜାଣନ୍ତୁ ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ, ଜନ୍ମମାଟି ଯିବେ ମହାମହିମ

ଆୟୁର୍ବେଦ ଉପରେ ଗବେଷଣା ପାଇଁ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତିଙ୍କ ଆହ୍ବାନ

ପୁରୀରେ ରାଷ୍ଟ୍ରପତି: ବଡ଼ଦାଣ୍ଡରେ ଚାଲିଲେ, ମହାପ୍ରଭୁଙ୍କ ଆଶିଷ ନେଲେ

ଶିକ୍ଷା କେବଳ ଅର୍ଥ ଉପାର୍ଜନର ମାଧ୍ୟମ ନୁହେଁ:

PRESIDENT VISIT WOMENS COLLEGE (@rashtrapatibhvn)

ଏହି ଅବସରରେ ନିଜ ଅଭିଭାଷଣରେ ମହିଳାଙ୍କୁ ସଫଳତାର ସ୍ବପ୍ନକୁ ସାକାର କରିବା ପାଇଁ ସମସ୍ତ ବାଧା ବିଘ୍ନକୁ ଏଡାଇ ପ୍ରତିକୂଳ ପରିସ୍ଥିତିରେ ଆଗକୁ ବଢିବାର ଉପଦେଶ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶିକ୍ଷାକୁ କେବଳ ଅର୍ଥ ଉପାର୍ଜନର ମାଧ୍ୟମ ନ ଭାବି ନିଜକୁ ଜଣେ ସୁନାଗରିକ ଭାବେ ପ୍ରତିଷ୍ଠିତ କରିବା ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରିବା । ଏହାସହ କୌଣସି ପରିସ୍ଥିତିରେ ସଂଘର୍ଷରୁ କେବେ ଓହରି ଯିବ ନାହିଁ ବୋଲି ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଆଗକୁ ଯିବାକୁ ହେବ ଓ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ହେବ ବୋଲି କହିଥିଲେ ।

କଲେଜର ଅସୁବିଧା ଶୁଣିଲେ, ଆବଶ୍ୟକତା ପୂରଣ ପାଇଁ ପ୍ରତିଶ୍ରୁତି ଦେଲେ:

PRESIDENT VISIT WOMENS COLLEGE (@rashtrapatibhvn)

ରାଷ୍ଟ୍ରପତି ଆହୁରି ମଧ୍ୟ କହିଥିଲେ, ରାଇରଙ୍ଗପୁର ଉପଖଣ୍ଡକୁ ସମସ୍ତେ ପଛୁଆ ଅଞ୍ଚଳ ବୋଲି ଭାବନ୍ତି । ସେହି କଥାକୁ ଭୁଲ ପ୍ରତିପାଦନ କରିବାକୁ ହେବ । ସେପଟେ ମହିଳା ମହାବିଦ୍ୟାଳୟର କିଛି ଅସୁବିଧା ସମ୍ପର୍କରେ ଛାତ୍ରୀଙ୍କ ଠାରୁ ମହାମହିମ ଶୁଣିବା ପରେ ସରକାରଙ୍କ ସହିତ କଥାବାର୍ତ୍ତା ହୋଇ ଯାହାବି କଲେଜର ଆବଶ୍ୟକତା ରହିଛି ତାକୁ ପୂରଣ କରିବା ପାଇଁ ଚେଷ୍ଟା କରିବେ ବୋଲି କହିଥିଲେ ମହାମହିମ । ସେଠାରୁ କାର୍ଯ୍ୟକ୍ରମ ସରିବା ପରେ ମହାମହିମ ସ୍ବତନ୍ତ୍ର କାରକେଡ ଯୋଗେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ମହାଦେବ ମନ୍ଦିରକୁ ଦର୍ଶନ ନିମନ୍ତେ ଆସିଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details