ଓଡିଶା

odisha

ETV Bharat / state

ପୁରୀରେ ରାଷ୍ଟ୍ରପତି: ବଡ଼ଦାଣ୍ଡରେ ଚାଲିଲେ, ମହାପ୍ରଭୁଙ୍କ ଆଶିଷ ନେଲେ

ପୁରୀ ଶ୍ରୀମନ୍ଦରିରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ।

President Droupadi Murmu
President Droupadi Murmu (ETV Bharat)

By ETV Bharat Odisha Team

Published : 19 hours ago

Updated : 18 hours ago

ପୁରୀ:ଶ୍ରୀମନ୍ଦରିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶ୍ରୀଜିଉଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି ରାଷ୍ଟ୍ରପତି । ବଡ଼ଦାଣ୍ଡରେ ଚାଲି ଚାଲି ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ମହାମହିମ । ରାଷ୍ଟ୍ରପତିଙ୍କ ସହ ଉପସ୍ଥିତ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସେପଟେ ଶ୍ରୀମନ୍ଦିରରୁ ବାହାରି ଗୋପବନ୍ଧୁ ଆର୍ୟୁବୈଦିକ ମହାବିଦ୍ୟାଳୟର ୭୫ ତମ ବାର୍ଷିକୀ ଉତ୍ସବରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ।

ବଡ଼ଦାଣ୍ଡରେ ଚାଲି ଚାଲି ଗଲେ..

President Droupadi Murmu (ETV Bharat Odisha)

୫ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦ୍ବିତୀୟ ଦିନରେ ପୁରୀରେ ପହଞ୍ଚିବା ପରେ ବଡ଼ଦାଣ୍ଡରେ ଚାଲିଚାଲି ଶ୍ରୀମନ୍ଦିର ଅଭିମୁଖେ ଯାଇଥିଲେ । ଶ୍ରୀମନ୍ଦିର ଯାଇ ରିତୀନୀତି ଅନୁସାରେ ଚତୁର୍ଦ୍ଧା ବିଗ୍ରହଙ୍କ ସହ ମାଆ ଲକ୍ଷ୍ମୀଙ୍କର ମଧ୍ୟ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ପରେ ମନ୍ଦିର ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଉପହାର ସ୍ବରୁପ ପଟ୍ଟଚିତ୍ର ପ୍ରଦାନ କରାଯାଇଥିଲା । ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ଗସ୍ତ ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା । ପରେ ସେଠାରୁ ବାହାରି ଗୋପବନ୍ଧୁ ଆର୍ୟୁବୈଦିକ ମହାବିଦ୍ୟାଳୟରେ ୭୫ ତମ ବାର୍ଷିକୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।

ପରିବାର ସହ ମହାପ୍ରଭୁଙ୍କ ଦର୍ଶନ କଲେ ରାଷ୍ଟ୍ରପତି:

ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିଜ ଝିଅ, ଜ୍ବାଇଁ, ନାତୁଣୀଙ୍କ ସହ ଆସି ରାଷ୍ଟ୍ରପତି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ପୁରୀ ସାଂସଦ ସମ୍ବିତ ପାତ୍ର ମଧ୍ୟ ରାଷ୍ଟ୍ରପତିଙ୍କ ସହ ଉପସ୍ଥିତ ଥିଲେ । ହେଲି କ୍ୟାପ୍ଟରରେ ରାଷ୍ଟ୍ରପତି ପୁରୀ ସମଙ୍ଗ ପାର୍କିଂରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡରେ ହେଲିକପ୍ଟରରେ ପହଞ୍ଚିଥିଲେ । ପରେ ରାଷ୍ଟ୍ରପତି ଶ୍ରୀମାର୍ଗ ଦେଇ ବଡଦାଣ୍ଡରେ ୧୦ଟା ବେଳେ ପହଞ୍ଚିଥିଲେ । ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଗାଡିରୁ ଓହ୍ଲାଇ ବଡଦାଣ୍ଡରେ ଥିବା ଭକ୍ତ ଓ ଲୋକଙ୍କୁ ସିଧାସଳଖ ଭେଟିଥିଲେ । ପରେ ବଡ଼ଦାଣ୍ଡରେ ଚାଲିଚାଲି ଶ୍ରୀମନ୍ଦିରକୁ ଆସିଥିଲେ । ଶ୍ରୀମନ୍ଦିର ପ୍ରଶାସନ, କୌଳିକ ପଣ୍ଡା ରାଷ୍ଟ୍ରପତିଙ୍କୁ ସ୍ବାଗତ କରି ଶ୍ରୀମନ୍ଦିରକୁ ନେଇଥିଲେ । ଗର୍ଭଗୃହରେ ରାଷ୍ଟ୍ରପତି ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଶ୍ରୀମନ୍ଦିର ଭିତରେ ଥିବା ପାର୍ଶ୍ୱ ଦେବାଦେବୀ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ । ପରେ ରାଷ୍ଟ୍ରପତି ଶ୍ରୀମନ୍ଦିରରୁ ସିଧାସଳଖ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ହୀରକ ଜୟନ୍ତୀରେ ଯୋଗ ଦେବା ପାଇଁ ଗସ୍ତ କରିଥିଲେ । ଆଜି ଅପରାହ୍ନରେ ପୁରୀ ବ୍ଲୁ ଫ୍ଲାଗ ବିଚରେ ହେବାକୁ ଥିବା ନୌସେନା ଦିବସ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି ।

ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି:

ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡା ରାଜରତନ ମହାପାତ୍ର କହିଛନ୍ତି, "ମହାମହିମ ରାଷ୍ଟ୍ରପତି ମହାପ୍ରଭୁଙ୍କ କୃପାରୁ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ରାଷ୍ଟ୍ରପତିଙ୍କୁ ନେଇ ମହାପ୍ରଭୁଙ୍କୁ ଦର୍ଶନ କରାଇ ଆମେ ବହୁତ ଖୁସି । ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ସେବାୟତ ସମାଜର ସହଯୋଗରେ ଶାନ୍ତି ଶୃଙ୍ଖଳାରେ ମହାମହିମ ରାଷ୍ଟ୍ରପତିଙ୍କ ଦର୍ଶନ ସୂଚାରରୂପେ ସମ୍ପାଦନ ହୋଇଛି । ରତ୍ନ ସିଂହାସନ ନିକଟକୁ ରାଷ୍ଟ୍ରପତି ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ପରେ ଭିତର ବେଢ଼ା ପରିକ୍ରମା କରିଥିଲେ । ରାଷ୍ଟ୍ରପତି ନିଜେ ଦୀପ ଦାନ କରିବା ସହ ମହାପ୍ରଭୁଙ୍କୁ ଆଳତୀ କରିଥିଲେ । ମୁକ୍ତିମଣ୍ଡପକୁ ଯାଇ ବ୍ରାହ୍ମଣଙ୍କ ଆଶୀର୍ବାଦ ନେଇଥିଲେ । ପରେ ବିମଳା ମନ୍ଦିରକୁ ଯାଇ ସେଠାରେ ୧୫ ମିନିଟ ସମୟ ଅତିବାହିତ କରିଥିଲେ । ପରେ ଲକ୍ଷ୍ମୀ ମନ୍ଦିରରେ ମା' ଲକ୍ଷ୍ମୀଙ୍କୁ ଦର୍ଶନ କରିଥିଲେ । କୌଳିକ ପଣ୍ଡାଙ୍କ ନିକଟରେ ଥିବା ଯଜମାନଙ୍କ ପୁସ୍ତିକାରେ ଦସ୍ତଖତ କରିଥିଲେ ।

ରାଷ୍ଟ୍ରପତି ଭବନକୁ ନିମନ୍ତ୍ରଣ:

କୌଳିକ ପଣ୍ଡା ରାଜରତନ ମହାପାତ୍ର ଆହୁରି କହିଛନ୍ତି, "ରାଷ୍ଟ୍ରପତିଙ୍କୁ ଆମେ ମହାପ୍ରଭୁଙ୍କ ଏକ ପଟ୍ଟଚିତ୍ର, ଶୁଖିଲି ମହାପ୍ରସାଦ, ମହାପ୍ରଭୁଙ୍କ ଖଣ୍ଡୁଆ ବସ୍ତ୍ର ଉପହାର ସ୍ୱରୂପ ଦେଲୁ । ରାଷ୍ଟ୍ରପତି ଆମକୁ ରାଷ୍ଟ୍ରପତି ଭବନ ଯିବାକୁ ନିମନ୍ତ୍ରଣ କରିଛନ୍ତି । ମୁଁ ଶ୍ରୀମନ୍ଦିର ଆସିଲେ ଆପଣ ସବୁ ବ୍ୟବସ୍ଥା କରୁଛନ୍ତି । ଆପଣ ଆମ ନିକଟକୁ ଆସନ୍ତୁ । ଆମକୁ ବି ଆପଣଙ୍କ ସେବା କରିବାର ସୁଯୋଗ ମିଳୁ ବୋଲି ରାଷ୍ଟ୍ରପତି କହିଛନ୍ତି । ଆଜି ରାଷ୍ଟ୍ରପତି ବଡଦାଣ୍ଡରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଚାଲିକି ଆସିବା ପ୍ରମାଣିତ କରିଛନ୍ତି ମହାପ୍ରଭୁଙ୍କ ନିକଟରେ ପଦପଦବୀ ବଡ ନୁହେଁ । ମହାପ୍ରଭୁଙ୍କ ନିକଟରେ ଶରଣାପନ୍ନ ହେବା ସବୁଠୁ ବଡ କଥା । ବଡ଼ଦାଣ୍ଡରେ ଖାଲି ପାଦରେ ରାଷ୍ଟ୍ରପତି ଚାଲିଚାଲି ଆସି ସୂଚେଇ ଦେଇଛନ୍ତି ଯେ, ମହାପ୍ରଭୁଙ୍କ ଆଗେରେ କେହି ଉଚ୍ଚନୀଚ୍ଚ ନୁହେଁ । ସମସ୍ତେ ସମ୍ମାନ । ଭାରତ, ଓଡ଼ିଶା ଓ ମୟୂରଭଞ୍ଜ ମାଟିର ଉନ୍ନତି ପାଇଁ ସେ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି । ମହାମହିମ ରାଷ୍ଟ୍ରପତି ମହାପ୍ରଭୁଙ୍କୁ ଦର୍ଶନ କରି ବେଶ୍ ଭାବ ବିହ୍ଵଳିତ ହୋଇଥିଲେ । ନିଜ ଝିଅ, ଜ୍ବାଇଁ ଓ ଦୁଇ ଜଣ ନାତୁଣୀଙ୍କ ସହ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ।"


ଶ୍ରୀମନ୍ଦିରରେ ବ୍ରାହ୍ମଣଙ୍କ ଦ୍ଵାରା ବେଦ ପଠନ:

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, "ମହାମହିମ ରାଷ୍ଟ୍ରପତି ଶ୍ରୀମନ୍ଦିର ନାଟ ମଣ୍ଡପକୁ ପ୍ରବେଶ ସମୟରେ ବ୍ରାହ୍ମଣଙ୍କ ଦ୍ଵାରା ବେଦ ପାଠ କରଯାଇଥିଲା । ରାଷ୍ଟ୍ରପତି ମହୋଦୟା ଗର୍ଭଗୃହରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ତାଙ୍କ ସହିତ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ପୁରୀ ସାଂସଦ ମଧ୍ୟ ଉପସ୍ଥିତ ଥିଲେ । ରାଷ୍ଟ୍ରପତିଙ୍କ ଗସ୍ତକୁ ସଫଳ କରିବାରେ ସେବାୟତ, ଭକ୍ତ, ପୋଲିସ ଓ ପ୍ରଶାସନ ଆମକୁ ସହଯୋଗ କରିଥିବାରୁ ସମସ୍ତଙ୍କୁ ମୁଁ ଗଭୀର କୃତଜ୍ଞତା ପ୍ରକାଶ କରୁଛି ।"

ଲୋକଙ୍କ ସେବା ପାଇଁ ଅସାଧାରଣ ସ୍ଥାନରେ ଆମକୁ ମହାପ୍ରଭୁ ବସାଇଛନ୍ତି :

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପ୍ରତିକ୍ରିୟାରେ କହିଛନ୍ତି, "ଆଜି ନୌସେନା ଦିବସରେ ଯୋଗ ଦେବା ପାଇଁ ରାଷ୍ଟ୍ରପତି ଆସିଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦରୁ ଏହା ଉଚ୍ଚ କୋଟିର ହେଉ । ଏହାକୁ ଦେଖିବା ପାଇଁ ସାରା ବିଶ୍ବବାସୀ ଅପେକ୍ଷା କରିଛନ୍ତି । ବିଶ୍ଵରେ ଆମେ ଏକ ନମ୍ୱର୍ ହେବା ପାଇଁ ଆମେ ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଛୁ ।" ତେବେ ବଡ ଦାଣ୍ଡରେ ରାଷ୍ଟ୍ରପତି ଚାଲିଚାଲି ଆସିବା ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, "ଆମେ ସାଧାରଣ ଲୋକ । ମହାପ୍ରଭୁଙ୍କ ଆଶୀର୍ବାଦରୁ ଲୋକଙ୍କ ସେବା ପାଇଁ ଆମେ ଅସାଧାରଣ ସ୍ଥାନରେ ଅଛୁ।"

କୁନି ଝିଅ ଠାରୁ ମହାପ୍ରଭୁଙ୍କ ଫଟୋ ନେଲେ ରାଷ୍ଟ୍ରପତି:

ଶ୍ରୀମନ୍ଦିର ବାହାରକୁ ଆସିବା ପରେ ରାଷ୍ଟ୍ରପତି ପ୍ରେସ ଗ୍ୟାଲେରୀ ପାଖକୁ ଆସି ଠିଆ ହେଇଥିବା କୁନି ଝିଅ ଠାରୁ ଜଗନ୍ନାଥ ମହାପ୍ରଭୁଙ୍କ ଏକ ନାଗାର୍ଜୁନ ବେଶ ଫଟୋ ନେଇଥିଲେ । ପୁରୀର କୁନି ଝିଅ ପ୍ରିୟାସିଂ ପ୍ରିୟଦର୍ଶିନୀ ଦାସମହାପାତ୍ରଙ୍କ ଠାରୁ ରାଷ୍ଟ୍ରପତି ଫଟୋ ନେଇଥିଲେ । ପ୍ରିୟାସିଂଙ୍କ ମାଆ ରଶ୍ମି ଦାସମହାପାତ୍ର କହିଛନ୍ତି, "ଆମେ ରାଷ୍ଟ୍ରପତିଙ୍କୁ ଦେଖିବାକୁ ଆସିଥିଲୁ । ରାଷ୍ଟ୍ରପତି ଆମ ଓଡିଆଙ୍କ ଗର୍ବ ଓ ଗୌରବ । ନାରୀମାନଙ୍କ ପାଇଁ ସେ ଜଣେ ବଡ ପ୍ରେରଣା ଉତ୍ସ । ମୋ ଝିଅ ସବୁବେଳେ ବଡ଼ ବଡ଼ ଲୋକ ତଥା ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କୁ ଭେଟିବାକୁ ଇଚ୍ଛା କରେ । ଛୋଟ ପିଲାଙ୍କ ଡାକ ମହାପ୍ରଭୁ ଶୀଘ୍ର ଶୁଣନ୍ତି । ଆଉ ତାହା ଆଜି ପ୍ରମାଣିତ ହେଇଛି । ରାଷ୍ଟ୍ରପତି ମୋ ଝିଅ ପାଖକୁ ଆସି ମହାପ୍ରଭୁଙ୍କ ଫଟୋ ନେଇଥିଲେ । ଭଲ ପାଠ ପଢିବାକୁ ସେ ଝିଅକୁ ପରାମର୍ଶ ଦେଇଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ଆଜି ନୌସେନା ଦିବସ: ପୁରୀରେ ପରାକ୍ରମ ଦେଖାଇବେ ନୌବୀର, ସାମିଲ ହେବେ ରାଷ୍ଟ୍ରପତି

ଏହା ମଧ୍ୟ ପଢ଼ନ୍ତୁ...ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ଆସନ୍ତାକାଲି ନୌସେନା ଦିବସ କାର୍ଯ୍ୟକ୍ରମରେ ହେବେ ସାମିଲ


ଶ୍ରୀମନ୍ଦିରର ବରିଷ୍ଠ ସେବାୟତଗୌରହରି ପ୍ରଧାନକହିଛନ୍ତି,"ମହାମହିମ ରାଷ୍ଟ୍ରପତି ଆଜି ପ୍ରୋଟକଲ ଭାଙ୍ଗି ଯେଉଁଭଳି ବଡଦାଣ୍ଡରେ ଲୋକଙ୍କୁ ଭେଟିଲେ ଓ ଚାଲିଚାଲି ଶ୍ରୀମନ୍ଦିରକୁ ଆସିଲେ ଏହା ହେଉଛି ବହୁତ୍ ବଡ କଥା । ଏହା ଏକ ଅପୂର୍ବ ଦୃଶ୍ୟ ଥିଲା । ସେ କେତେ ଉଦାର ତାହା ପ୍ରମାଣିତ ହୋଇଛି । ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ସେ ବିମଳାଙ୍କ ମନ୍ଦିର ହୁଣ୍ଡିରେ ସେ ଏକ ଖାମରେ ଦାନ ଦେଇଥିଲେ । ମହାପ୍ରଭୁଙ୍କ ଦର୍ଶନ ପାଇଁ ସେ ବହୁତ୍ ଖୁସି ଥିଲେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଶ୍ରୀମନ୍ଦିରରେ ନୀତିକୁ ଶୃଙ୍ଖଳିତ କରିବା ପାଇଁ ସେବାୟତମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ରାଷ୍ଟ୍ରପତିଙ୍କ କାର୍ଯକ୍ରମ ସଫଳ ହୋଇଛି । ସାରା ବିଶ୍ଵର ମଙ୍ଗଳ କାମନା କରିଛନ୍ତି ।"

ନୌସେନା ଦିବସରେ ହେବେ ସାମିଲ:

ତେବେ ଗୋପବନ୍ଧୁ ଆର୍ୟୁବୈଦିକ ମହାବିଦ୍ୟାଳୟରେ କାର୍ଯ୍ୟକ୍ରମ ସରିବା ପରେ ରାଷ୍ଟ୍ରପତି ପୁରୀ ରାଜଭବନ ଯିବେ । ସେଠାରେ ମଧ୍ୟାହ୍ନ ଭୋଜନ କରିବା ସହ କିଛି ସମୟ ବିଶ୍ରମ ନେବା ପରେ ଅପରାହ୍ନ ୩.୫୫ରେ ପୁରୀ ବ୍ଲୁ-ଫ୍ଲାଗ ବିଚରେ ପହଞ୍ଚିବେ । ୦୪.୦୭ରେ ନୌସେନା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ । ସେଠାରେ ପାଖାପାଖି ଦେଢ଼ଘଣ୍ଟା ରହି ନୌସେନାର ଦୁଃସାହାସିକ ଯୁଦ୍ଧକୌଶଳ ଦେଖିବେ । ସେଠାରୁ ୦୫.୪୫ରେ କାର୍ଯ୍ୟକ୍ରମ ସାରି ୦୫.୫୫ପୁରୀ ରାଜଭବନକୁ ଫେରି ସେଠାରେ ରାତ୍ରୀଯାପନ କରିବେ । ଆସନ୍ତାକାଲି ସକାଳ ୦୯.୫୫ରେ ପୁରୀରୁ ବାହାରି ୧୦.୩୦ରେ ଭୁବନେଶ୍ବରରେ ପହଞ୍ଚିବେ । ତେବେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ଟ୍ରାଫିକ କଟକକଣା ମଧ୍ୟ ଜାରି କରାଯାଇଛି ।

ଇଟିଭି ଭାରତ, ପୁରୀ

Last Updated : 18 hours ago

ABOUT THE AUTHOR

...view details