ଓଡିଶା

odisha

ଚୂଡାନ୍ତ ହେଲା ରାଷ୍ଟ୍ରପତିଙ୍କ ଗସ୍ତ ସୂଚୀ: ପୁରୀରେ ରଥ ଟାଣିବେ, ସମୁଦ୍ରକୂଳରେ ମର୍ଣ୍ଣିଂ ଓ୍ବାକ୍‌ କରିବେ - President Murmu Odisha Visit

By ETV Bharat Odisha Team

Published : Jul 2, 2024, 11:07 AM IST

Updated : Jul 2, 2024, 11:31 AM IST

President Droupadi Murmu 4-days Odisha visit schedule: 4ଦିନିଆ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ରଥଯାତ୍ରା ସହ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ । ସୂଚୀ ଚୂଡାନ୍ତ ହେବା ପରେ ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ । ଅଧିକ ପଢନ୍ତୁ

ଚୂଡାନ୍ତ ହେଲା ରାଷ୍ଟ୍ରପତି ଗସ୍ତସୂଚୀ, ପ୍ରଶାସନିକ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ
ଚୂଡାନ୍ତ ହେଲା ରାଷ୍ଟ୍ରପତି ଗସ୍ତସୂଚୀ, ପ୍ରଶାସନିକ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ (ETV Bharat Odisha)

ଭୁବନେଶ୍ବର:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୪ଦିନିଆ ଓଡିଶା ଗସ୍ତ ସୂଚୀ ଚୂଡାନ୍ତ ହୋଇଛି । ୬ରୁ ୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଏକାଧିକ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନିକ ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି । ଗସ୍ତସୂଚୀ ଚୂଡାନ୍ତ ହେବା ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ଗତକାଲି (ସୋମବାର) ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ରାଜ୍ୟ ଗୃହ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ସନ୍ତୋଷ ବାଲା ରାଷ୍ଟ୍ରପତିଙ୍କ ଗସ୍ତ ପରିପ୍ରେକ୍ଷୀରେ ବିସ୍ତୃତ ସୂଚନା ଉପସ୍ଥାପନ କରିଛନ୍ତି ।

ଚୂଡାନ୍ତ ହେଲା ରାଷ୍ଟ୍ରପତି ଗସ୍ତସୂଚୀ, ପ୍ରଶାସନିକ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ (ETV Bharat Odisha)

ମିଳିଥିବା ସୂଚନା ଅନୁସାରେ ରାଷ୍ଟ୍ରପତି ଜୁଲାଇ ୬ ତାରିଖ ସଂଧ୍ୟାରେ ଜୟଦେବ ଭବନରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ୯୬ତମ ଶ୍ରାଦ୍ଧବାର୍ଷିକୀରେ ଯୋଗଦାନ କରିବେ । ୭ ତାରିଖରେ ପୁରୀ ଗସ୍ତ କରି ଅପରାହ୍ନରେ ଶ୍ରୀଗୁଣ୍ଡିଚା ରଥଯାତ୍ରା ଦର୍ଶନ କରିବେ । ୮ ତାରିଖ ପ୍ରତ୍ୟୁଷରେ ରାଷ୍ଟ୍ରପତିଙ୍କର ପୁରୀ ସମୁଦ୍ରକୂଳରେ ମର୍ଣ୍ଣି ଓ୍ୱାକ କାର୍ଯ୍ୟକ୍ରମ ରହିଛି । ଏହା ପରେ ସେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ । ସେହିଦିନ ପୂର୍ବାହ୍ନରେ ସେ ଖଣ୍ଡଗିରି ଏବଂ ଉଦୟଗିରି ଗୁମ୍ଫା ପରିଦର୍ଶନ କରିବେ । ଏହା ସହ ବିଭୂତି କାନୁନଗୋ କଲେଜ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟସର ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିବେ । ସେଦିନ ଅପରାହ୍ନରେ ସେ ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ହରିଡାମଡ଼ା ଡିଭାଇନ ରିଟ୍ରିଟ ସେଣ୍ଟର ବା ‘ଡିଆରସି’ରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ ।

ଚୂଡାନ୍ତ ହେଲା ରାଷ୍ଟ୍ରପତିଙ୍କ ଗସ୍ତ ସୂଚୀ (ETV Bhart Odisha)
ଚୂଡାନ୍ତ ହେଲା ରାଷ୍ଟ୍ରପତିଙ୍କ ଗସ୍ତ ସୂଚୀ (ETV Bhart Odisha)

ସେହିପରି ୯ ତାରିଖ ପୂର୍ବାହ୍ନରେ ଜଟଣୀ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ବା ‘ନାଇଜର’ର ତ୍ରୟୋଦଶ ସ୍ନାତକ ସମାରୋହ ଉତ୍ସବରେ ଯୋଗ ଦେବେ । ଏହା ପରେ ଅପରାହ୍ନରେ ରାଷ୍ଟ୍ରପତି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ । ରାଷ୍ଟ୍ରପତି ଓଡିଶାରେ ପହଞ୍ଚିବା ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ବ୍ୟାପକ ସୁରକ୍ଷା ଓ ଅନ୍ୟାନ୍ୟ ଆନୁଷଙ୍ଗୀକ ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ପୁଙ୍ଖାନୁପୂଙ୍ଖ ଅବଗତ ହୋଇଛନ୍ତି । ଗସ୍ତ ବିଭିନ୍ନ ପ୍ରସଙ୍ଗରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପୋଲିସ କର୍ତ୍ତୃପକ୍ଷଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି । ରାଷ୍ଟ୍ରପତିଙ୍କର ରହଣି, ସୁରକ୍ଷା ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା ଓ ଚିକିତ୍ସା, ଆମ୍ବୁଲାନ, ଉତ୍ସବ ସ୍ଥଳକୁ ଯାତାୟତ ରାସ୍ତାର ରକ୍ଷଣାବେକ୍ଷଣ ଓ ତଦାରଖ, ରାସ୍ତାର ପରିମଳ ବ୍ୟବସ୍ଥା, ସମସ୍ତ କାର୍ଯ୍ୟକ୍ରମ ସ୍ଥଳରେ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହକୁ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଚୂଡାନ୍ତ ହେଲା ରାଷ୍ଟ୍ରପତି ଗସ୍ତସୂଚୀ, ପ୍ରଶାସନିକ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ (ETV Bharat Odisha)



କାର୍ଯ୍ୟକ୍ରମ ସ୍ଥଳରେ ପାନୀୟଜଳ ଯୋଗାଣ, ବସିବା ବ୍ୟବସ୍ଥା, ବେରିକେଡିଂ ବ୍ୟବସ୍ଥା, ଆବଶ୍ୟକ ପାସ ବ୍ୟବସ୍ଥା, କାର୍ଯ୍ୟକ୍ରମର ଗଣମାଧ୍ୟମରେ ପ୍ରସାର ଓ ସୂଚନା ପ୍ରଦାନ ବ୍ୟବସ୍ଥା, କାର୍ଯ୍ୟକ୍ରମସ୍ଥଳକୁ ଇଣ୍ଟରନେଟ ସୁବିଧା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଗୃହ ବିଭାଗ ତରଫରୁ ଏକ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବା ଆଦି ସଂପର୍କରେ ବୈଠକରେ ବ୍ୟାପକ ଭାବେ ଆଲୋଚନା ହୋଇଛି । ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ମୁଖ୍ୟ ଶାସନ ସଚିବ ପ୍ରତ୍ୟେକ କାର୍ଯ୍ୟକୁ ଭଲ ଭାବେ ତଦାରଖ ଓ ସମନ୍ୱୟ ରଖିବାକୁ ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- କେମିତି ମ୍ୟାନେଜ୍‌ କରିବେ ମନୋଜ, ସାମ୍ନାରେ ରହିଛି ଅନେକ ଚ୍ୟାଲେଞ୍ଜ - New challenges for cs Manoj Ahuja



ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ଦେଓରଂଜନ କୁମାର ସିଂ, ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡଙ୍ଗୀ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ, ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ସୂଚନା ଏବଂ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂ, ସ୍ୱାସ୍ଥ୍ୟ ସଚିବ ସାଳିନୀ ପଣ୍ଡିତ, ଗୁଇନ୍ଦା ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇନ ଶୃଙ୍ଖଳା ଡିଜି ସଞ୍ଜୟ କୁମାର, ଟ୍ଵିନ ସିଟି ପୋଲିସ କମିଶନର ସଞ୍ଜୀବ ପଣ୍ଡା, ଗୁଇନ୍ଦା ଡିଆଇଜି ଅନୁପ ସାହୁ, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ସମେତ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । ସେହିପରି ପୁରୀ ଜିଲ୍ଲାପାଳ ଓ ଏସପି ଭିସି ଜରିଆରେ ବୈଠକରେ ଯୋଗ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 2, 2024, 11:31 AM IST

ABOUT THE AUTHOR

...view details