ଭୁବନେଶ୍ବର: ପ୍ରବାସୀ ଭାରତୀୟ ଦିବସ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବୈଦେଶିକ ମନ୍ତ୍ରାଳୟ ସହଯୋଗରେ ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି କରୁଛନ୍ତି । କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ପ୍ରାୟ ୫ ହଜାର ପ୍ରବାସୀ ଭାରତୀୟ ସାମିଲ ହେବେ । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।
ପ୍ରବାସୀ ଭାରତୀୟ ଦିବସ:
ଆସନ୍ତା ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମୈଦାନରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହେବ । ଉଦଘାଟନୀ ସମାରୋହରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଯୋଗଦେବେ । ଜାନୁଆରୀ ୯ ତାରିଖରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ସମାରୋହରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଜାନୁଆରୀ ୧୦ ତାରିଖରେ ଉଦଯାପନୀ ଅଧିବେଶନରେ ଯୋଗଦାନ କରିବେ । ଏନେଇ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଶନିବାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ଭଲ ଭାବେ ଆୟୋଜନ କରାଯିବା ନେଇ ମୁଖ୍ୟ ଶାସନ ସଚିବ ସମସ୍ତ ପ୍ରସ୍ତୁତି କରିବାକୁ ଗୁରୁତ୍ୱାରୋପ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଜାନୁଆରୀ ୮ ତାରିଖ ସନ୍ଧ୍ୟା ୭ରେ ବିଶାଖାପାଟଣା ବିମାନବନ୍ଦରରୁ ବାହାରି ଭୁବନେଶ୍ୱରର ବିମାନ ବନ୍ଦରରେ ଅବତରଣ କରିବେ । ରାତ୍ର ୮.୧୫ରେ ରାଜଭବନରେ ପହଞ୍ଚି ସେଠାରେ ରାତ୍ରିଯାପନ କରିବେ । ଏହା ପରଦିନ ୯ ତାରିଖରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗ ଦେବେ । ଏହାପରେ ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମରେ ଯୋଗଦାନ ପରେ ପୂର୍ବାହ୍ନ ୧୧.୫୫ରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।
ରାଷ୍ଟ୍ରପତିଗସ୍ତସୂଚୀ:
ସେହିପରି ରାଷ୍ଟ୍ରପତି ଜାନୁଆରୀ ୯ ତାରିଖ ଅପରାହ୍ନ ୩ ଟାରେ ଗୌହାଟୀ ବିମାନ ବନ୍ଦରରୁ ବାୟୁସେନା ବିମାନ ଯୋଗେ ବାହାରିବେ । ଅପରାହ୍ନ ୪ଟା ୩୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ରାଜଭବନରେ ରହଣୀ କରିବେ । ରାଷ୍ଟ୍ରପତି ୧୦ ତାରିଖରେ ପ୍ରବାସୀ ଭାରତୀୟ ଦିବସରେ ଯୋଗଦାନ ପାଇଁ ପୂର୍ବାହ୍ନ ୧୧ଟା ୪୦ରେ ଜନତା ମଇଦାନରେ ପହଞ୍ଚିବେ । ସେଦିନ ସେଠାରେ ଆୟୋଜିତ ଅନ୍ୟ କାର୍ଯ୍ୟକ୍ରମ ସହିତ ତ୍ରିନିଦାନ ଓ ଟୋବାଗୋର ରାଷ୍ଟ୍ରପତିଙ୍କ ସହିତ ସାକ୍ଷାତ ଆଲୋଚନା କରିବେ । ରାଷ୍ଟ୍ରପତି ସେଦିନ ଅପରାହ୍ନ ୩ଟାରେ ପ୍ରବାସୀ ଭାରତୀୟ ସମ୍ମାନ ପ୍ରଦାନ କରିବେ । କାର୍ଯ୍ୟକ୍ରମ ପରେ ଅପରାହ୍ନ ୫.୨୫ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରୁ ପ୍ରତ୍ୟାବର୍ତ୍ତନ କରିବେ ।
ପ୍ରବାସୀ ଭାରତୀୟଙ୍କ ସୁଖଦ ଅନୁଭୂତି ଉପରେ ଫୋକସ: