କୋରାପୁଟ:ସେଜେଇ ହେଉଛି 'ପରବ ପଡ଼ିଆ'। ପାରମ୍ପରିକ ଆଦିବାସୀ ନାଚ ଗୀତରେ କମ୍ପିବ କୋରାପୁଟ । ସପ୍ତାହକ ପରେ କୋରାପୁଟରେ ଜାତୀୟସ୍ତରର ଆଦିବାସୀ ମହୋତ୍ସବ 'ପରବ ୨୦୨୪' ଅନୁଷ୍ଠିତ ହେବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି । ତେବେ ଚଳିତ ବର୍ଷ ଦୀର୍ଘ ଦିନ ପ୍ରତୀକ୍ଷାର ଅନ୍ତ ଘଟିଛି । କୋରାପୁଟବାସୀଙ୍କୁ ମିଳିଛି ସ୍ଥାୟୀ ପରବ ପଡ଼ିଆ ।
'ପରବ ୨୦୨୪':
ଏନେଇ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ କହିଛନ୍ତି,"ଆସନ୍ତା ୧୪ରୁ ୧୮ ତାରିଖ ଭିତରେ କୋରାପୁଟର ପ୍ରସିଦ୍ଧ 'ପରବ ମହୋତ୍ସବ' ଅନୁଷ୍ଠିତ ହେବ । ସେଥିପାଇଁ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି । ଏଠାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସିବା କାର୍ଯ୍ୟକ୍ରମ ରହିଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଏକାଧିକ କଳାକାର ମାନେ ଆସିବେ । ଚଳିତ ବର୍ଷ ନୂତନ ଭାବେ ଗୁଡ଼ି ଉଡ଼ା ଉତ୍ସବର ଆୟୋଜନ ହେବ।"
ଆସିବେ ବଲିଉଡ କଣ୍ଠଶିଳ୍ପୀ:
ସେହିପରି ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରୀତିସୁଧା ଜେନା କହିଛନ୍ତି," ବିଭିନ୍ନ ରାଜ୍ୟର ଆଦିବାସୀ ପାରମ୍ପରିକ ନୃତ୍ୟ, ସଙ୍ଗୀତ ଦର୍ଶକଙ୍କୁ ପାଞ୍ଚ ଦିନ ଧରି ବାନ୍ଧି ରଖିବ । ଓଲିଉଡ଼ର କଣ୍ଠଶିଳ୍ପୀ ଦୀପ୍ତି ରେଖା ଓ ଅଭିଜିତ ମଜୁମଦାର ଆସୁଥିବା ବେଳେ ବଲିଉଡର କଣ୍ଠଶିଳ୍ପୀ ପବନ ଦୀପ ଓ ଅରୁଣୀତା କାଞ୍ଜିଲାଲ ଆସିବା କାର୍ଯ୍ୟକ୍ରମ ରହିଛି । ତେବେ ଜିଲ୍ଲାରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ଅର୍ଜନ କରିଥିବା ଯୁବକ ଯୁବତୀଙ୍କୁ ସମ୍ବର୍ଦ୍ଧିନା କରାଯିବ। ଏଥିପାଇଁ ମଞ୍ଚ ପ୍ରସ୍ତୁତି ଜୋରସୋରରେ ଚାଲିଛି । ପଲ୍ଲୀଶ୍ରୀ ମେଳା ପାଇଁ ବଜାର ମଧ୍ୟ ପ୍ରସ୍ତୁତ ହୋଇସାରିଛି ।"