କଟକ:ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ପାଳନ ହେବ ଜିରୋ ନାଇଟ । ଝୁମିବ ସିଲଭରସିଟି । ଆଉ ଏହି ସେଲିବ୍ରେସନ ପାଇଁ ଚାରିଆଡେ ଜୋରଦାର ପ୍ରସ୍ତୁତି। ହୋଟେଲ , ରେଷ୍ଟୁରାଣ୍ଟ ଠାରୁ ଆରମ୍ଭ କରି କ୍ଲବ ପର୍ଯ୍ୟନ୍ତ ସେଲିବ୍ରେସନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସହରର ସର୍ବପୁରାତନ କ୍ଲବ କଟକ କ୍ଲବରେ ଚଳିତବର୍ଷ ମୁମ୍ବାଇ, କୋଲକାତାର ଡ୍ୟାନ୍ସଗ୍ରୁପ, ଏରିୟଲ ଡ୍ୟାନ୍ସ ସମସ୍ତଙ୍କ ଆକର୍ଷଣ ସାଜିବ। ମୁମ୍ବାଇର ଗାୟିକା ସୁସ୍ୱତି ମଲ୍ଲିକ ମଧ୍ୟ ସଂଗୀତ ପରିବେଷଣ କରିବେ।
ଜିରୋ ନାଇଟ ସେଲିବ୍ରେସନ ପ୍ରସ୍ତୁତି:
କ୍ଳବ ସଭାପତି ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, "କଟକ କ୍ଳବରେ ଜିରୋ ନାଇଟ ସେଲିବ୍ରେସନ ବେଶ ଧୁମଧାମରେ କରାଯିବ । ଲୋକ ଯେପରି ସଂଗୀତ ଓ ନୃତ୍ୟରେ ଝୁମିବେ ସେନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବଲିଉଡର କଣ୍ଠଶିଳ୍ପୀ ସଂଗୀତ ପରିବେଷଣ କରିବେ, ଋଷିଆନ ବେଲି ଡ୍ୟାନ୍ସ ଗ୍ରୁପ ନୃତ୍ୟ ପରିବେଷଣ କରିବେ, ଏହାସହ କଲିକତାର କଳାକାରମାନଙ୍କ ଦ୍ୱାରା ଏରିଏଲ ଆକ୍ଟ କରାଯିବ, ମୁମ୍ବାଇର ମିସ ଟିନ ୟୁନିଭର୍ସର କଳାକାରମାନେ ନୃତ୍ୟ ପରିବେଷଣ କରିବେ, ବଲିଉଡ ଡ୍ୟାନ୍ସ ଗ୍ରୁପ ନୃତ୍ୟ ପରିବେଷଣ କରିବେ।" ୩୧ ତାରିଖ ସନ୍ଧ୍ୟାରୁ ସମସ୍ତ କାର୍ଯ୍ୟକ୍ରମ ଆରମ୍ଭ ହେବ । କ୍ଲବର ସଦସ୍ୟଙ୍କ ପାଇଁ ପ୍ରବେଶ ନିଃଶୁଳ୍କ ଥିବାବେଳେ ଅନ୍ୟମାନଙ୍କ ପାଇଁ ପ୍ରବେଶ ଦେୟ ବାଧ୍ୟତାମୂଳକ ରହିଛି। ସେହିପରି ୟୁନିୟନ କ୍ଲବରେ ଇଣ୍ଡିଆନ ଆଇଡଲର ମନୀଷା କରମାକର, ଅବୀର ରୟ, କୋଲକାତା ଡ୍ୟାନ୍ସ ଗ୍ରୁପ, ମୁମ୍ବାଇର ଡ୍ୟାନ୍ସଗ୍ରୁପ ପ୍ରମୁଖ କାର୍ଯ୍ୟକ୍ରମ ପରିବେଷଣ କରିବେ। ସେହିପରି ଓସିଏ କ୍ଲବରେ ଚଳିତବର୍ଷ ଜିରୋ ନାଇଟ ସେଲିବ୍ରେସନ ବାତିଲ କରାଯାଇଛି ।