ଭୁବନେଶ୍ବର:ଆଉ ଆଗ ଭଳି ଘର ବାହାରେ ଶୁଭୁନି ଡାକ ବାଲାର ଚିଠି ନେବ ଚିଠିର ସ୍ବର । ବଦଳିଛି ଯୁଗ ବଦଳିଗଲାଣି ଲୋକଙ୍କ ଅଭ୍ୟାସ । ପୂର୍ବ ପରି ଲୋକେ ଅନ୍ୟକୁ ବାର୍ତ୍ତା ପଠାଇବାକୁ ଆଉ ଡାକ ଚିଠିର ବ୍ୟବହାର କରୁନାହାନ୍ତି । ଆଜିର ଅନଲାଇନ ଦୁନିଆରେ ମେସେଜ ଓ ହ୍ବାଟର୍ସପ ଓ ଇ-ମେଲର ବ୍ୟବହାର କରି ଲୋକେ ଚିଠିର ଆଦାନ ପ୍ରଦାନ କରୁଛନ୍ତି । କେବଳ ସରକାରୀ ଓ ବେସରକାରୀ କ୍ଷେତ୍ରରେ ବାର୍ତ୍ତା ବହନର ମାଧ୍ୟମ ସାଜିଛି ଚିଠି ବା ଡାକ । ତେବେ ଏହି ଚିଠିରେ ଥିବା ଛୋଟ ଷ୍ଟାମ୍ପ ଟିକେଟ ଐତିହ୍ୟ, ପରମ୍ପରା ଓ ମହାପୁରୁଷଙ୍କ କଥାକୁ ଦର୍ଶାଇଥାଏ । ସେଭଳିକିଛି ଓଡ଼ିଶାର ଡାକ ଟିକେଟକୁ ନେଇ ପିଏମଜିର ରାସ୍ତାକାଡରେ ଶୋଭା ପାଉଛି ଡାକ ଟିକେଟର ଝଲକ ।
ଭାରତୀୟ ଡାକରେ ପୋଷ୍ଟାଲ ଷ୍ଟାମ୍ପରେ ଆମ ଓଡ଼ିଶାର ରହିଛି ଅନେକ ଗାଥା ଓ ମହାପୁରୁଷଙ୍କ ଜୀବନି । କୋଣାର୍କ ସୂର୍ଯ୍ୟମନ୍ଦିରଠୁ ହକି ବିଶ୍ବକପର ଡାକ ଟିକେଟ୍ ଇଣ୍ଡୋନେସିଆ ର ବରପୁତ୍ର ତଥା ଓଡିଆ ପୁଅ ବିଜୁ ପଟ୍ଟନାୟକ କଥା ହେଉ ବା ଉତ୍କଳର ମଣି ଗୋପବନ୍ଧୁ ଦାସଙ୍କ ଗାଥା। ଓଡ଼ିଶାର ପ୍ରତିଟି ଡାକ ଟିକେଟ ଓଡ଼ିଆଙ୍କ ମଧ୍ୟରେ ସିହରଣ ସୃଷ୍ଟି କରେ ଯାହା ଆଉ ଦେଖିବାକୁ ମିଳୁନଥିବା ବେଳେ ତାକୁ ଆଜି ଦେଖିବାକୁ ମିଳୁଛି ପିଏମଜି ଛକର ଏହି ରାସ୍ତା କଡରେ । ମୁଖ୍ୟ ଡାକ ଘରର ଚାରି ପାର୍ଶ୍ବରେ ଏବେ ଏଭଳି କିଛି ଡାକ ଟିକେଟକୁ ପ୍ରଦର୍ଶିତ କରାଯାଇଛି । ଧଳା ନାଲିର ଚାରାଚରିତ ରଙ୍ଗରେ ନୁହେ ରଙ୍ଗିନ ରଙ୍ଗରେ ଶୋଭା ମଣ୍ଡନ କରୁଛି ଆମ ଓଡ଼ିଆଙ୍କ ମହାପୁରୁଷ ଓ ସଂସ୍କୃତି ପରମ୍ପରା ଓ ଇତିହାସର ଅନେକ କାହାଣୀ । ଯେକେହି ବି ଯାଉଛି ଏହି ରାସ୍ତା ଦେଇ ଯାଉଛି ଟିକେ ଅଟକି ନଜର ପକାଉଛି ଏହି ଡାକ ଟିକେଟ ଉପରେ।
ଡାକ ଟିକେଟରେ ଓଡ଼ିଶା ଓ ଓଡ଼ିଆର ଐତିହ୍ୟ ଥିବା ଡାକ ଟିକେଟର ଝଲକ । ଆଉ ଏହି ସବୁ ହଜି ଯାଉଥିବା ପରମ୍ପରା ଓ ପୁରୁଣା ସ୍ମୃତିକୁ ମନେ ରଖିବା ଆଉ ପରବର୍ତ୍ତୀ ପିଢିଙ୍କ ମଧ୍ୟରେ ପୁର୍ବ ପରମ୍ପରା ଓ ପୁର୍ବ ପୁରୁଷଙ୍କ କାହାଣି ପହଁଚାଇବା ଲକ୍ଷ୍ୟରେ ଏଭଳି ପ୍ରୟାସ କରିଛି ମୁଖ୍ୟ ଡାକ କାର୍ଯ୍ୟାଳୟ CPMG (Chief Postmaster General) ପକ୍ଷରୁ ଏଭଳି ପ୍ରୟାସ କରାଯାଇଛି । ଏନେଇ ବିଏମସି ଓ ଅନ୍ୟାନ୍ୟ ଅନୁମତି ନେଇ ଏଭଳି ଡାକ ଟିକେଟକୁ ସର୍ବସାଧାରଣ ନିମନ୍ତେ ପ୍ରଦର୍ଶନି ପାଇ ଅନୁମତି ମିଳିଛି ।