ଭୁବନେଶ୍ବର:ରାଜଧାନୀରେ ବେଆଇନ ବାଣ ଗୋଦାମରେ ବିସ୍ଫୋରଣ ପରେ ଆକ୍ସନ ମୋଡକୁ ଆସିଛି କମିଶନରେଟ ପୋଲିସ । ବିସ୍ଫୋରଣ ପରେ ବାଣ ମହଜୁଦ ରଖାଯାଇଥିବା ଗୋଦାମ ଘରକୁ ପୋଲିସ୍ ଓ ରାଜସ୍ୱ ଅଧିକାରୀ ସିଲ କରିଛନ୍ତି । ଏହା ସହ ଘର ମାଲିକଙ୍କ ନାମରେ ମାମଲା ରୁଜୁ କରିବା ସହ କିଭଳି ଏହି ବାଣ ଗୋଦାମ ଚାଲିଥିଲା, ସେନେଇ କମିଶନରେଟ ପୋଲିସ ତନାଘନା ମଧ୍ୟ ଆରମ୍ଭ କରିଛି ।
- ସୋମବାର ହୋଇଥିଲା ବିସ୍ଫୋରଣ:
ତେବେ ସୂଚନା ଅନୁସାରେ, ଭୁବନେଶ୍ବରଇନଫୋସିଟି ଥାନା ଚୁନୁକୋଳି ବସ୍ତି ନିକଟରେ ଏକ ଦୁଇମହଲା ଘରେ ଏହି ବେଆଇନ ବାଣ କାରବାର ଚାଲିଥିଲା । ତଳ ମହଲାରେ ନିଜେ ଘର ମାଲିକ ରହୁଥିବା ବେଳେ ଉପରେ ଚାଲିଥିଲା ବାଣ ଗୋଦାମ । ସୋମବାର ସନ୍ଧ୍ୟାରେ ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଘର ଭିତରେ ଥିବା ଏକ ଗ୍ୟାସ ସିଲିଣ୍ଡର ମଧ୍ୟ ଫାଟି ଯାଇଥିଲା । ଫଳରେ ଘରର ଛାତ ଭୁଶୁଡିବା ସହ ସିଡି ଓ ତାଜା ମଧ୍ୟ ଭୁଶୁଡି ପଡ଼ିଥିଲା । ସମଗ୍ର ଏରିଆରେ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କ ଖେଳିଯାଇଥିଲା ।
ସେପଟେ ଏଭଳି ବାଣ ବିସ୍ଫୋରଣ ପରେ କେହି ମୃତାହତ ହୋଇନଥିବା ବେଳେ ବିସ୍ଫୋରଣ ପୂର୍ବରୁ ଘର ବିଲ୍ଡିଂରେ ଥିବା ଲେଡିଜ ହଷ୍ଟେଲରୁ ଅନେକ ଛାତ୍ରୀ ବାହରକୁ ପଳାଇ ଆସିବାରୁ ସେମାନେ ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ଏପରିକି ସେମାନଙ୍କର କିଛି ସାମଗ୍ରୀ କିଛି ପୋଡି ଯାଇଛି । ଗାଡି ଭାଙ୍ଗି ନଷ୍ଟ ହୋଇଛି । ବାଣ ବିସ୍ଫୋରଣର ୨୪ଘଣ୍ଟା ବିତିବା ପରେ ଏବେ ଘରେ ଭଡାରେ ରହୁଥିବା ଯୁବତୀମାନେ ଆସି ସେମାନଙ୍କର ଜିନିଷପତ୍ର ନେଇଥିବା ଜଣାପଡ଼ିଛି ।
- ଗୋଦାମ ଘର ସିଲ୍:
ଏହି ଘଟଣା ପରେ ପୋଲିସ ନିଜଆଡୁ ମାମଲା ରୁଜୁ କରିଛି । ଏନେଇ ଇନଫୋସିଟି ଥାନାରେ ୫୪୭/୨୪ ରେ ମାମଲା ଦାୟର କରି ବିସ୍ଫୋରକ ଅଧିନିୟମ ଅନୁସାରେ, ତଦନ୍ତ କରିବା ସହ ଘଟଣାସ୍ଥଳରେ ପୋଲିସର ଫରେନସିକ ଟିମ୍ ପହଞ୍ଚିଛି । ସେପଟେ ପୋଲିସ ଘର ମାଲିକ ସହ ଏହି ବାଣ ଗୋଦାମ ଚଳାଇବାରେ ଆଉ କି’ଏ ସାମିଲ ଥିଲେ ସେନେଇ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି 6 ନମ୍ବର ଜୋନ ଏସିପି ରମେଶ ଚନ୍ଦ୍ର ବିଶୋଇ କହିଛନ୍ତି ।
ବାଣ ବିସ୍ଫୋରଣ ପରେ ଘଟଣାସ୍ଥଳରେ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଅଧିକାରୀ ପହଞ୍ଚି ଯାଞ୍ଚ କରିଛନ୍ତି । ବାଣ ବିସ୍ଫୋରଣ ଓ ଅଗ୍ନିକାଣ୍ଡରେ ହୋଇଥିବା କ୍ଷୟକ୍ଷତି ଯାଞ୍ଚ କରାଯାଇଛି । ଏପରିକି ଘରଟି ସରକାରୀ ନା ବେସରକାରୀ ଜାଗାରେ ସେନେଇ ମଧ୍ୟ ତନାଘନା କରିଛନ୍ତି । ଗୋଦାମ ଘରକୁ ସିଲ୍ କରିବା ସହ ଅଧିକ ତଦନ୍ତ କରୁଛି ଇନଫୋସିଟି ଥାନା ପୋଲିସ । ଏନେଇ ଯାଞ୍ଚ ପାଇଁ ଆସିଥିବା ରାଜସ୍ବ ନିରୀକ୍ଷକ କହିଛନ୍ତି,"ବର୍ତ୍ତମାନ ଯାଞ୍ଚ ଚାଲିଛି । ବିସ୍ଫୋରଣ ଫଳରେ କ'ଣ କ୍ଷୟକ୍ଷତି ହୋଇଛି ତାହାର ଯାଞ୍ଚ କରାଯାଉଛି ।"