ଭୁବନେଶ୍ବର:ପ୍ରଧାନମନ୍ତ୍ରୀଙ୍କ ପରେ ଏବେ ମୁଖ୍ୟମନ୍ତ୍ରୀଙ୍କ ପାଳି । ଭୁବନେଶ୍ୱରରେ ହେବାକୁ ଯାଉଛି ବିଶାଳ ରୋଡ଼ ସୋ' । ଆସନ୍ତା ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀରେ ମେଗା ରୋଡ ସୋ କରିବେ । ତାଙ୍କ ସହ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଏବଂ ତିନି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ସାମିଲ ହୋଇ ଜନସାଧାରଣଙ୍କୁ ଭୋଟ ଭିକ୍ଷା କରିବେ । ଏହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଉଛି । ସୋମବାର ଡିସିପିଙ୍କ ନେତୃତ୍ବରେ ସହରରେ ବଡ଼ ଫ୍ଲାଗ ମାର୍ଚ୍ଚ କରାଯାଇଛି ।
ଯେହେତୁ ମୁଖ୍ୟମନ୍ତ୍ରୀ ବିଶାଳ ରୋଡ଼ ସୋ'ରେ ଭୁବନେଶ୍ୱର ବୁଲିବେ ସେନେଇ ପୋଲିସ ସମସ୍ତ ପ୍ରକାର ଗୁଇନ୍ଦା ତଥ୍ୟ ଆଧାରରେ ଏକ ରୁଟ ଲାଇନ ପ୍ରସ୍ତୁତ କରିଛି । ଯାହା ସୂଚନା ମିଳିଛି, ମୁଖ୍ୟମନ୍ତ୍ରୀ ମେଗା ରୋଡ ସୋ' କ୍ୟାପିଟାଲ ଥାନା ଅଞ୍ଚଳରୁ ଅର୍ଥାତ୍ ଏକାମ୍ର ନିର୍ବାଚନ ମଣ୍ଡଳୀରୁ ଆରମ୍ଭ ହୋଇ ଖାରବେଳ ନଗର ଥାନା ମଧ୍ୟ ନିର୍ବାଚନ ଓ ନୟାପଲ୍ଲୀ ଥାନା ସମେତ ସହିଦନଗର ଥାନାର ଉତ୍ତର ନିର୍ବାଚନ ମଣ୍ଡଳୀ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିିଛି । ଅର୍ଥାତ୍ ରାଜଭବନ ଠାରୁ କଳିଙ୍ଗ ଷ୍ଟାଡିୟମ ଦେଇ ବାୟାବାବା ମଠ, ରୂପାଲି ଛକ ଓ ଶିଶୁଭବନ ପର୍ଯ୍ୟନ୍ତ ରୋଡ ସୋ' ହେବ ।
ଏନେଇ ଏକ ସର୍ଭେ ଟିମ୍ ରୋଡ଼ ସୋ'ର ସର୍ଭେ ଆରମ୍ଭ କରିଛନ୍ତି । ଏତେ ବଡ ବିଶାଳ ରାଲି ସମୟରେ ଲୋକଙ୍କ ଗମନାଗମନ, ବଜାର ଛକ ଓ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଆଦିକୁ ନଜରରେ ରଖି କିପରି ଟ୍ରାଫିକ ପରିଚାଳନା କରାଯିବ ସେନେଇ ବ୍ୟବସ୍ଥା ଚାଲିଛି । ତେବେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ' ପରି ଏକ ବିଶାଳ ରୋଡ଼ ସୋ'ରେ ଧୁମଧାମରେ କରିବାକୁ ବିଜେଡି ପ୍ରସ୍ତୁତ ହେଉଥିବା ବେଳେ ସମସ୍ତ ପ୍ରକାର ସୁରକ୍ଷା ଓ ଟ୍ରାଫିକ ସୁପରିଚାଳନା କରିବା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି ।