ଝାରସୁଗୁଡ଼ା: ଝାରସୁଗୁଡ଼ା ସହରର ଟାଉନଥାନା ସମ୍ମୁଖରେ ରହିଥିବା ପୁରୁଣା ଡାକଘର ଏବେ ନୂଆ ଜୀବନ ପାଇଛି । ବ୍ରିଟିଶ ଶାସନର ମୁକ ସାଖି ଏହି ପୁରୁଣା ଡାକଘରକୁ ହେରିଟେଜ ବିଲ୍ଡିଂ ମାନ୍ୟତା ପାଇବା ପରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଲୋକାର୍ପିତ ହେବ । ସମସ୍ତ କାର୍ଯ୍ୟ ଶେଷ ହୋଇଥିବା ବେଳେ ହେରିଟେଜ ବିଲ୍ଡିଂ ଉଦଘାଟନକୁ ଅପେକ୍ଷା କରିଛନ୍ତି ସହରବାସୀ । ନୂଆ ରୂପରେ ପୁରୁଣା ଇତିହାସକୁ ଜାଣିବେ ଲୋକେ । ଜିଲ୍ଲା ଇତିହାସ ପୃଷ୍ଠାରେ ଯୋଡ଼ି ହେବ ଆଉ ଏକ ନୂଆ ଫର୍ଦ୍ଦ ।
ବ୍ରିଟିଶ ଶାସନ ସମୟର ଡାକଘର: ଦିନେ ବ୍ରିଟିଶ ସରକାର ଏହି ପୁରୁଣା ଡାକଘରକୁ ଟେଲିଗ୍ରାଫ କାର୍ଯ୍ଯାଳୟ ଭାବେ ବ୍ୟବହାର କରୁଥିଲେ । ଏଠାରୁ ବିଭିନ୍ନ ସ୍ଥାନକୁ ଯୋଗାଯୋଗ କରୁଥିଲେ । କେବଳ ସେତିକି ନୁହେଁ ପ୍ରଥମ ବିଶ୍ବଯୁଦ୍ଧ ସମୟରେ ଏହି ପୁରୁଣା ଡାକଘରରୁ ବିଭିନ୍ନ ପ୍ରକାର ସୂଚନା ଟେଲିଗ୍ରାଫ ଓ ଚିଠି ଯୋଗେ ଅନ୍ୟ ଅଧିକାରୀ ମାନଙ୍କ ପାଖକୁ ପଠାଇବା ଭଳି ଘଟଣା ମାନ ଘଟିଥିଲା । ଦେଶ ସ୍ବାଧୀନ ହେବା ପରେ ଏହାକୁ ପୁରୁଣା ଡାକଘର ଭାବେ ବ୍ୟବହାର କରାଯାଉଥିଲା । ସମୟର ସ୍ରୋତରେ ଧିରେ ବିକଶିତ ଭାରତର ଏହି ଐତିହାସିକ ଚିହ୍ନ ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲିଯାଇଥିଲା । ଏହା ପରେ ତିଆରି ହୋଇଥିବା ନୂଆ କୋଠାରେ ଡାକ ସେବା ଯୋଗାଇ ଦିଆଯାଉଛି । ଏହି କୋଠା ଲୋକଙ୍କ ମନରେ ଜୀବନ୍ତ ହୋଇ ଉଠିଛି ।
ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ: ଆସନ୍ତା ୩ ତାରିଖରେ ସମ୍ବଲପୁର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ସେ ଝାରସୁଗୁଡା ସହରାଞ୍ଚଳର ପୁରାତନ ଡାକଘର କୋଠାକୁ ଭର୍ଚ୍ଚୁଆଲ ମାଧ୍ୟମରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।