କୋରାପୁଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମୃତ ଭାରତ ରେଳ ଷ୍ଟେସନ ପୁନଃବିକାଶ ଯୋଜନା ଅଧିନରେ ଦେଶର 554ଟି ଷ୍ଟେସନର ନବୀକରଣ ପାଇଁ ଶିଳାନ୍ୟାସ କରିଛନ୍ତି । ଓଡ଼ିଶା ସମେତ ଦେଶର 27ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ରେଳ ଷ୍ଟେସନର ପୁନଃନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ପ୍ରଧାନମନ୍ତ୍ରୀ ଭିସି ଜରିଆରେ ଓଡ଼ିଶାରେ 21ଟି ଷ୍ଟେସନର ନବୀକରଣ ଓ 50ରୁ ଅଧିକ ଓଭର ବ୍ରିଜର ଶିଳାନ୍ୟାସ କରିଥିବା ବେଳେ ସେଥି ମଧ୍ୟରୁ କୋରାପୁଟ ରେଳ ଷ୍ଟେସନର ମଧ୍ୟ ନବୀକରଣର ଶିଳାନ୍ୟାସ ହୋଇଛି ।
ଅମୃତ ଭାରତ ରେଳ ଷ୍ଟେସନ ଯୋଜନାରେ ସାମିଲ ହୋଇଛି କୋରାପୁଟ ରେଳ ଷ୍ଟେସନ । ଫଳରେ ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାର ଅଧିବାସୀଙ୍କ ଯାତାୟତରେ ସୁବିଧା ଆଣିଦେବା ସହିତ ଏହା ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିବ ବୋଲି ଇଷ୍ଟକୋଷ୍ଟ ରେଲୱେ ଡିଭିଜନାଲ ରେଲ ୟୁଜର୍ସ କଂସଲଟେଟିଭ କମିଟି ସଦସ୍ୟ ଶେଖ ଇବ୍ରାହିମ ଆଶାପୋଷଣ କରିଛନ୍ତି । ସେହିପରି କୋରାପୁଟ ରେଳଷ୍ଟେସନର ନୂତନ ରୂପର ଡିଜାଇନରେ ଶାବର ଶ୍ରୀକ୍ଷେତ୍ର ସ୍ଥିତ ଜଗନ୍ନାଥ ମନ୍ଦିରକୁ ସ୍ଥାନ ଦିଆଯାଇଛି । ତାହା କୋରାପୁଟକୁ ପର୍ଯ୍ୟଟନ କ୍ଷେତ୍ର ଭାବେ ଜାତୀୟ ସ୍ତରରେ ପ୍ରସାର ଘଟାଇବାରେ ସହାୟକ ହେବ ବୋଲି ସେ ମତପ୍ରକାଶ କରିଛନ୍ତି।
ଛତିଶଗଡ଼ ରାଜ୍ୟର ବୈଲାଡିଲା ଖଣି ଅଞ୍ଚଳରୁ କୋରାପୁଟ ଦେଇ ଲୁହାପଥର ବିଶାଖାପାଟଣାସ୍ଥିତ ବନ୍ଦରକୁ ପରିବହନ କରିବା ପାଇଁ 1963 ମସିହାରେ ଭାରତ ଓ ଜାପାନ ସରକାରଙ୍କ ମିଳିତ ଉଦ୍ୟମରେ ନିର୍ମାଣ କରାଯାଇଥିଲା ଏହି ସୁଦୀର୍ଘ ରେଳପଥ । ଯାହା ସମୟ କ୍ରମେ ପର୍ଯ୍ୟଟକଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି । କୋରାପୁଟଠାରୁ ଜଗଦଲପୁର , ରାୟଗଡା ତଥା ବିଶାଖାପାଟଣା ଯିବା ମାର୍ଗରେ ସମୁଦ୍ରପତ୍ତନଠାରୁ 800 ମିଟରଠାରୁ ଉଚ୍ଚରେ ରହିଥିବା କିଛି ଷ୍ଟେସନ ମଧ୍ୟରେ କୋରାପୁଟ ନିକଟସ୍ଥ ବାଇଗୁଡା ରେଳଷ୍ଟେସନଟି 927 ମିଟର ଉଚ୍ଚତା ସହ ସର୍ବାଗ୍ରେ ରହିଥିବା ବେଳେ କୋରାପୁଟ ରେଳ ଷ୍ଟେସନଟି ସମୁଦ୍ରପତ୍ତନଠାରୁ 875 ମିଟର ଉଚ୍ଚରେ ରହି ଏକ ବିଶେଷ ଆକର୍ଷଣ ସୃଷ୍ଟି କରୁଛି । ଏହି ରେଳପଥରେ ଅନେକ ସମସ୍ୟା ରହିଥିବା ବେଳେ ରେଳ ବିଭାଗ ଦ୍ୱାରା ଅନେକ ଉନ୍ନତିମୂଳକ କାର୍ଯ୍ୟ ସମ୍ପାଦିତ କରାଯାଇଛି । କୋରାପୁଟକୁ ଆସିବା ପାଇଁ ଅନେକ ପାହାଡିଆ ଟନେଲ ଦେଇ ପ୍ରକୃତି କୋଳରେ ନିଜକୁ ହଜାଇଦେଇ ରେଳଯାତ୍ରା କରୁଥିବା ପର୍ଯ୍ୟଟକଙ୍କ ପାଇଁ କୋରାପୁଟ ରେଳଷ୍ଟେସନର ନୂତନ ରୂପ ନିଶ୍ଚିତ ଭାବେ ଏକ ନୂତନ ଆନନ୍ଦ ଆଣିଦେବ ବୋଲି ଇବ୍ରାହିମ ଆଶାପୋଷଣ କରିଛନ୍ତି ।