ବାଲେଶ୍ବର: ରୁଗ୍ଣ ଅବସ୍ଥାରେ ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ମିତ୍ରପୁର ସ୍ବାସ୍ଥ୍ୟସେବା ସଂସ୍ଥା । ୨୦ ବର୍ଷ ତଳେ ନିର୍ମିତ ଏହି ଡାକ୍ତରଖାନାର ଅବସ୍ଥା ଏବେ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ । ବାରମ୍ବାର ଦାବି ସତ୍ତ୍ବେ ହସ୍ପିଟାଲରେ ଥିବା ସମସ୍ୟାର ସମାଧାନ ନିମନ୍ତେ ସରକାର କିମ୍ବା ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ମିତ୍ରପୁର ଅଞ୍ଚଳଟି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ, ଏଠାକାର ଲୋକେ ସ୍ବାସ୍ଥ୍ୟସେବା ପାଇଁ ନୀଳଗିରି କିମ୍ବା ରେମୁଣା ଉପରେ ନିର୍ଭର କରିଥାନ୍ତି। ଏହି କଷ୍ଟ ଓ ସମସ୍ୟାକୁ ଉପଲବ୍ଧି କରି 2004 ମସିହା ଅପ୍ରେଲ 1 ତାରିଖରେ ମିତ୍ରପୁର ସ୍ବାସ୍ଥ୍ୟସେବା ସଂସ୍ଥା ନାମରେ ଏକ ଚିକିତ୍ସାଳୟର ସ୍ଥାପନ କରାଯାଇଥିଲା । କେତେକ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ଏବଂ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହାୟତାରେ ଏହି ହସ୍ପିଟାଲରେ ରୋଗୀସେବାରେ ଯୋଗାଇ ଦିଆଯାଇଥିଲା । ସେତେବେଳେ ଏହାକୁ ତତ୍କାଳୀନ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଉଦ୍ଘାଟନ ମଧ୍ୟ କରିଥିଲେ । ଉକ୍ତ ସ୍ଵାସ୍ଥ୍ୟ କେନ୍ଦ୍ରଟି ୩୦ ଡିସିମିଲ ପରିମିତ ୧୦୦୦ ବର୍ଗଫୁଟର ନିଜସ୍ଵ ପକ୍କା ଘରେ ଚାଲୁଛି । ଏତଦ ବ୍ୟତୀତ ଡାକ୍ତରଖାନା ନାମରେ ଏ୧.୯୦ ଡି. ନିଜସ୍ୱ ଜମି ଅଛି । ଡାକ୍ତରଖାନାରେ ବିଦ୍ୟୁତ୍ ସଂଯୋଗ ସହିତ ପାନୀୟ ଜଳର ବ୍ୟବସ୍ଥା ମଧ୍ୟ ରହିଥିଲା । ଡାକ୍ତର ଓ ନର୍ସ ରହିବା ପାଇଁ ବାସଗୃହ ମଧ୍ୟ ତିଆରି କରାଯାଇଥିଲା।
ମାତ୍ର ଏବେ ଡାକ୍ତରଖାନାର ସବୁ ଘର ଭାଙ୍ଗିରୁଜି ଗଲାଣି । ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ରୋଗୀ ବେଡସିଟ ଖଣ୍ଡିଏ ବି ପାଉ ନାହାନ୍ତି । ଘର ମରାମତି ନ ହେବାରୁ ଛାତରୁ ପ୍ଲାଷ୍ଟର ଖସିଲାଣି । ବିପଦସଙ୍କୁଳ ଅବସ୍ଥାରେ ଚାଲିଛି ରୋଗୀ ଚିକିତ୍ସା । ପ୍ରତିଦିନ ୪୦ ରୁ ୫୦ ରୋଗୀ ଚିକିତ୍ସା ପାଇଁ ଆସୁଥିବା ବେଳେ ଦୟନୀୟ ହୋଇ ପଡିଛି ସ୍ବାସ୍ଥ୍ୟସେବା । ରୋଗୀଙ୍କ ସଂଖ୍ୟା ତୁଳନାରେ ନାହାନ୍ତି ଡାକ୍ତର କି ନର୍ସ । ସପ୍ତାହରେ ଥରେ ଜଣେ ଡାକ୍ତର ଦିନକ ପାଇଁ ଆସୁଥିବା ବେଳେ ବାକି ଦିନରେ ଫାର୍ମାସିଷ୍ଟ ଚଳାନ୍ତି ସ୍ବାସ୍ଥ୍ୟ ସଂସ୍ଥା । ଔଷଧ ମଧ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ସହଯୋଗରେ ଯୋଗାଇ ଦିଆଯାଉଛି । ସେହିପରି ଡାକ୍ତର ଯେଉଁ ଘରେ ବସି ରୋଗୀ ସେବା ଯୋଗାଉଛନ୍ତି ସେଠାକାର ଅବସ୍ଥା ଜରାଜୀର୍ଣ୍ଣ । ପ୍ରବଳ ଗରମ ଦିନରେ ମଧ୍ୟ ସେଠାରେ ଫ୍ୟାନ ବ୍ୟବସ୍ଥା ନାହିଁ, କେତେବେଳେ ଛାତରୁ ଅତଡ଼ା ଖସିବ କହି ହେବ ନାହିଁ । ଏଥିପାଇଁ ଡାକ୍ତରଖାନାକୁ ସରକାରୀକରଣ କରିବା ପାଇଁ ବାଲେଶ୍ଵର ଜିଲ୍ଲା ପରିଷଦ ସରକାରଙ୍କୁ ସୁପାରିଶ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରି ନାହିଁ ।