ପାରଳାଖେମୁଣ୍ଡି:ଆଜି ସାରା ରାଜ୍ୟ ପାଳୁଛି ଉତ୍କଳ ଦିବସ । 1936 ମସିହା ଏପ୍ରିଲ 1 ତାରିଖରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା । ଏହି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଯେଉଁ ମହାନ ବରପୁତ୍ରମାନଙ୍କର ଅବଦାନ ଥିଲା ସେମାନଙ୍କ ଭିତରେ ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଥିଲେ ଅନ୍ୟତମ ବିନ୍ଧାଣୀ । ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ରହିଛି ଅନେକ ଅବଦାନ । ଭାଷା, ସଂସ୍କୃତି ଓ ପରମ୍ପରାକୁ ଏହି ସହର ନୂଆ ଦିଗ ଦେଇଥିଲା । ତେଣୁ ଏହା ଓଡିଶାର ଏନ୍ତୁଡିଶାଳ ଭାବେ ପିରିଚିତ । ହେଲେ ଏଠାରେ ବର୍ତ୍ତମାନ ଭାଷା ଓ ସଂସ୍କୃତି ରାଜାଙ୍କ ସ୍ମୃତି ଏବଂ ଅବଦାନ ନିଜର ପରିଚୟ ଖୋଜିବା ଭଲି ସ୍ଥିତିରେ ରହିଛି । ଯାହାକୁ ନେଇ ସ୍ବାଭିମାନୀ ଓଡିଆ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଏଥିପାଇଁ ସରକାରଙ୍କ ଆନ୍ତରିକତା ଅଭାବକୁ ଦାୟୀ କରିଛନ୍ତି ।
ପାରଳାଖେମୁଣ୍ଡିକୁ ଓଡିଶାର ଏନ୍ତୁଡିଶାଳ କହିଲେ କିଛି ଭୂଲ ହେବ ନାହିଁ । କାରଣ ସ୍ବତନ୍ତ୍ର ଓଡିଶା ଗଠନ ପାଇଁ କୁଳବୃଦ୍ଧ ମଧୂସୁଦନ ଦାଶ ଦେଖିଥିବା ସ୍ବପ୍ନ ସାକାର ପାଇଁ ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଉଦ୍ୟମରେ ସଫଳ ହୋଇଥିଲା । ଆଉ ତାହାର ମୂଳଦୁଆ ପାରଳା ମାଟିରେ ହୋଇଥିବା ଉତ୍କଳ ସମ୍ମିଳନୀର ୧୦ମ ଅଧିବେଶନ ବେଳେ ହିଁ ପଡିଥିଲା । ତେବେ ଆଜି ଏଠାରେ ଭାଷାର ଅବସ୍ଥା ନିଜ ଆଖିରେ ନଦେଖିଲେ କେହି ବିଶ୍ବାସ କରିପାରିବେ ନାହିଁ । ଏପରିକି ଭାଷା ନିଜର ପରିଚୟ ଖୋଜିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ପାରଳାଖେମୁଣ୍ଡି ସହରର ଯେଉଁ ସ୍ଥାନକୁ ଗଲେ ବି ରାଜାଙ୍କ ନିର୍ମିତ ଅନେକ ବନ୍ଧ, ସାଗର, ରାଜଉଆସ, ବିଦ୍ୟାଳୟ, ଏଭଳି ଅନେକ ଦୃଷ୍ଟିଗୋଚର ହେବ । ଚାଷୀଙ୍କ ଆରମ୍ଭ କରି ଶିକ୍ଷା ସ୍ବାସ୍ଥ୍ୟ ସବୁ କ୍ଷେତ୍ରରେ ରାଜାଙ୍କ ଅବଦାନ ଅତୁଳନୟ । ହେଲେ ଦୁର୍ଭାଗ୍ୟର ବିଷୟ ଯେ, ଆଜି ନବଉତ୍କଳ ନିର୍ମାତା ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶ ଗଠନର ମୁଖ୍ୟ କର୍ଣ୍ଣଧାରଙ୍କ ସ୍ମୃତି ଚାରଣ କରି ତାଙ୍କରି ସ୍ମୃତି ଓ ଅବଦାନ ଆଜି ଅସୁରକ୍ଷିତ ଭଳି ମନେ ହେଉଥିବା କହିଚନ୍ତି ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜିବୀ।
ପାରଳାରେ ଥିବା ରାଜଉଆସ ଓ ବୃନ୍ଦାବନ ପ୍ୟାଲେସ ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ । ରାଜାଙ୍କ ନିର୍ମିତ ଅନେକ ସାଗର ଅବସ୍ଥା ନକହିବା ଭଲ । ରାଜାଙ୍କ ନିର୍ମିତ ବାଳକ ଓ ବାଳିକା ବିଦ୍ୟାଳୟର ଯଦି ଓ କିଛି ପୁନରୁଦ୍ଧାର ହୋଇଛି କିନ୍ତୁ ଅନେକ କିଛି ପରିବର୍ତ୍ତନର ଆବଶ୍ୟକତା ରହିଥବା କହିଛନ୍ତି ସନୀୟ ବାସିନ୍ଦା । କେବଳ ସେତିକି ନୁହେଁ ସର୍ବପୁରାତନ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଶୟଂସାସିତ କଲେଜରେ ମଧ୍ୟ କିଛି ମରାମତିର ଆବଶ୍ୟକ ରହିବା ସଙ୍ଗେ ସଙ୍ଗେ ଏହାକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ନମିଳିବା ଦୁର୍ଭାଗ୍ୟର ବିଷୟ । ଏହାସହ ଏଁନ୍ତୁଡ଼ିଶାଳ ପାରଳାଖେମୁଣ୍ଡି ଓ ସ୍ବାଭିମାନ ଓଡ଼ିଆ ପାରଳା ରାଜାଙ୍କ ପ୍ରତି ଏହା ଅଣଦେଖା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
କେବଳ ସେତିକି ନୁହଁ ଭାଷା ସୁରକ୍ଷା ପାଇଁ ମଧ୍ୟ ରାଜାଙ୍କ ଅବଦାନ ଅତୁଳନୀୟ ଥିଲା । ସରକାର ଏବେ ମହିଳା ଶିକ୍ଷା କଥା ଚିନ୍ତା କରୁଛନ୍ତି । ହେଲେ ପ୍ରାୟ ଶହେ ବର୍ଷ ତଳେ ପାରଳାଖେମୁଣ୍ଡି ଠାରେ ବାଳିକା ବିଦ୍ୟାଳୟ ନିର୍ମାଣ କରି ମହିଳାଙ୍କୁ ଶିକ୍ଷିତ କରାଇବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ । ଯାହା ପାରଳା ମହାରାଜାଙ୍କ ଦୂରଦୃଷ୍ଟିକୁ ସୂଚାଉଛି । କେବଳ ସେତିକି ନୁହେଁ, ଓଡିଆଙ୍କ ଶିକ୍ଷା ପାଇଁ ମହାରାଜା ହାଇସ୍କୁଲ ଏବଂ କଲେଜ ନିର୍ମାଣ କରିବା ସହ ଅନେକ ବର୍ଷ ଯାଏଁ ନିଜର ପୃଷ୍ଠପୋଷକତାରେ ଏହାକୁ ପରିଚାଳନା କରିଥିଲେ । ପରବର୍ତ୍ତି ସମୟରେ ଏସବୁର ପରିଚାଳନା ଦାୟିତ୍ଵ ସରକାର ନିଜ ହାତକୁ ନେଇଥିଲେ । ବେସରକାରୀ ଅନୁଷ୍ଠାନ କିମ୍ବା ପ୍ରତିଷ୍ଠାନ କଥା ଛାଡନ୍ତୁ ସରକାରୀ ସ୍ତରରେ ବି ଓଡିଆ ଭାଷାର ପ୍ରଚଳନ ହୋଇପାରୁନାହିଁ । ଯଦି ଭାଷାର ସୁକ୍ଷା ପାଇଁ ସ୍ୱତନ୍ତ୍ର ଭାଷା ଆଇନ ରହିଛି ଏବଂ ଇତି ମଧ୍ୟରେ ଓଡିଆ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଲାଣି,ତଥାପି ଏଭଳି ଅବସ୍ଥା ରହୁଥିଲେ ମଧ୍ୟ କେହି ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି ।