ପାରାଦ୍ବୀପ:ଭାରତୀୟ ବନ୍ଦର ଇତିହାସରେ ରେକର୍ଡ କଲା ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ବନ୍ଦର । ଜାନୁଆରୀ ମାସରେ ପଣ୍ୟ କାରବାରରେ ବୃହତ ରେକର୍ଡ ସୃଷ୍ଟି କରିଛି ପାରାଦ୍ୱୀପ ବନ୍ଦର । ମାସିକ ପଣ୍ୟ ପରିଚାଳନା କ୍ଷେତ୍ରରେ ଗତ 2023 ମସିହାରେ 13.5 ମିଲିୟନ ମେଟ୍ରିକ ଟନ ରହିଥିଲା ବେଳେ ଚଳିତ ବର୍ଷ ଅର୍ଥାତ୍ 2024 ଜାନୁଆରୀରେ ଏଥିରେ ବୃଦ୍ଧି ଘଟି 14.32 ମିଲିୟନ ମେଟ୍ରିକ ଟନ ହୋଇଛି । ଯାହା ପଣ୍ୟ କାରବାର କ୍ଷେତ୍ରରେ ସର୍ବ ଭାରତୀୟ ସ୍ତରରେ ଏକ ବିରଳ ରେକର୍ଡ ବୋଲି କୁହାଯାଉଛି । ଏହାକୁ ନେଇ ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ପାରାଦୀପ ବନ୍ଦରର ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ସେହିପରି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଏହାକୁ ନେଇ ପାରାଦ୍ୱୀପ ବନ୍ଦରକୁ ଧନ୍ୟବାଦ ଜଣାଇଛନ୍ତି । ବନ୍ଦର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଚଳିତ ବର୍ଷ ଜାନୁଆରୀ ମାସରେ ପାରାଦ୍ୱୀପ ବନ୍ଦରର ପଣ୍ୟ କାରବାର ଆଶାତୀତ ବୃଦ୍ଧି ପାଇଛି । ବନ୍ଦର ଦ୍ୱାରା ପରିଚାଳିତ କାର୍ଗୋ ଭଲ୍ୟୁମ ଗତ ଆର୍ଥିକ ବର୍ଷରେ 109.28 ମିଲିୟନ ମେଟ୍ରିକ ଟନ ଥିବା ବେଳେ କାରବାର ବୃଦ୍ଧି ପାଇ ଏହା 119.85 ମିଲିୟନ ମେଟ୍ରିକ ଟନରେ ପହଞ୍ଚିଛି । ସେହିଭଳି କୋଇଲା ପରିଚାଳନା, ଆଇରନ ଓର ଓ ପେଲଟ କାର୍ଗୋ 59.42% ବୃଦ୍ଧି ପାଇଛି । ଗତ 2023 ମସିହାରେ ପାରାଦ୍ୱୀପ ବନ୍ଦରକୁ ମୋଟ 639ଟି ଜାହାଜ ଜାହାଜ ଚଳାଚଳ କରିଥିବା ବେଳେ 2024 ଜାନୁଆରୀ ମାସରେ ପାରାଦ୍ୱୀପ ବନ୍ଦର ମଧ୍ୟକୁ ମୋଟ 738ଟି ଜାହାଜ ଚଳାଚଳ କରିଥିବା ବନ୍ଦର ପକ୍ଷରୁ ସୂଚନା ଦିଆଯାଇଛି ।