ପୁରୀ:ଆଜି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଏହି ଦିନକୁ ଓଡ଼ିଆ ନବ ବର୍ଷ ଭାବେ ମଧ୍ୟ ପାଳନ କରାଯାଏ । ପ୍ରତ୍ୟେକ ଓଡ଼ିଆ ବିଭିନ୍ନ ଦେବାଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରି ଠାକୁରଙ୍କ ଆଶୀର୍ବାଦ ନେଇଥାନ୍ତି । ସେହିପରି ଆଜି ମଧ୍ୟ ମହାବୀର ଜୟନ୍ତୀ ଭାବେ ପାଳନ କରାଯାଏ । ପ୍ରଭୁ ହନୁମାନଙ୍କୁ ପୂଜାର୍ଚ୍ଚନା କରାଯାଏ । କୋଣ ଅନୁକୋଣରେ ଥିବା ବିଭିନ୍ନ ଦେବାଦେବୀ ମନ୍ଦିରରେ ଦର୍ଶନ ପାଇଁ ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ସେହିପରି ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସହରର ପ୍ରତ୍ୟେକ ଗଳି ଓ ସାହିମାନଙ୍କରେ ହନୁମାନଙ୍କ ପୂଜାର୍ଚ୍ଚନା ସହ ଯାଗା ଆଖଡ଼ା ଘରେ ସ୍ୱତନ୍ତ୍ର ଆସରର ବ୍ୟବସ୍ଥା ହୋଇଛି । ପୁରୀର ପ୍ରାୟ ୩୦ରୁ ଊର୍ଦ୍ଧ୍ବ ଯାଗା ଘରେ ପ୍ରଭୁ ହନୁମାନ ଇଷ୍ଟଦେବ ଭାବେ ପୂଜା ପାଉଥିବାରୁ ଏଠାରେ ହୋମଯଜ୍ଞ ସହ ପ୍ରଭୁ ହନୁମାନଙ୍କ ଆରାଧନା କରାଯାଇଛି ।
ଏହି ଦିନ ଯାଗା ଆଖଡ଼ାଗୁଡ଼ିକରେ ବ୍ୟାୟାମ ଓ କୁସ୍ତିର ପ୍ରଶିକ୍ଷଣର ଶୁଭାରମ୍ଭ ହୋଇଥାଏ । ଏଥିପାଇଁ ମଲ୍ଲଯୋଦ୍ଧା ଓ କସରତ କରୁଥିବା ଯୁବକମାନେ ବହୁ ସଂଖ୍ୟାରେ ନୂତନ ବସ୍ତ୍ର ପରିଧାନ କରି ପ୍ରଶିକ୍ଷଣ ଆରମ୍ଭ କରିଥାନ୍ତି । ସେହିପରି ଏହି ପବିତ୍ର ଦିବସରେ ଶ୍ରୀକ୍ଷେତ୍ରରେ ସ୍ୱତନ୍ତ୍ର ପଣା ଓ ଛତୁଆ ଭୋଗର ପରମ୍ପରା ରହିଛି । ଯାଗା ଆଖଡ଼ାଗୁଡ଼ିକରେ କ୍ଷୀର, ଖୁଆ, ରାବିଡ଼ି ଓ ସର ମିଶ୍ରିତ ପଣା ସହ ଛତୁଆକୁ ଭୋଗ କରାଯାଇ ସମସ୍ତଙ୍କୁ ବଣ୍ଟନ କରାଯାଏ ।