କଟକ: ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ । ପଖାଳ ସହ ଓଡ଼ିଆଙ୍କ ସମ୍ପର୍କ ଏବଂ ସଂସ୍କୃତି ଯୋଡ଼ି ହୋଇ ରହିଛି । ମାର୍ଚ୍ଚ ୨୦ ତରିଖକୁ ସମସ୍ତ ଓଡ଼ିଆ ପଖାଳ ଦିବସ ଭାବରେ ପାଳନ କରିଥାନ୍ତି । ହେଲେ ପଖାଳକୁ ଜିଆଇ ଟ୍ୟାଗ୍ ମିଳିବା ଦାବିରେ ଭାଇଚାରାର ସହର ଆଜିଠାରୁ ପଖାଳ ଦିବସ ପାଳନ କରୁଛି । କଟକ ସହରର ବିଭିନ୍ନ ସଂଗଠନମାନ ପଖାଳ ଦିବସ ପାଳନ କରିଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ଜୟ ଜଗନ୍ନାଥ ସେବା ସମିତିର ସଦସ୍ୟମାନେ ମଧ୍ୟ ନିଆରା ଢଙ୍ଗରେ ଏହି ପଖାଳ ଦିବସ ପାଳନ କରିଛନ୍ତି ।
କଟକ ସହରର ସାମାଜିକ ସଂଗଠନ ଜୟ ଜଗନ୍ନାଥ ସେବା ସମିତି ପକ୍ଷରୁ ଆଜି ନିଆରା ଢଙ୍ଗରେ ପଖାଳ ଦିବସ ପାଳନ କରାଯାଇଛି । ଯେହେତୁ ଚାଷୀ ମାନଙ୍କର ଭୂମିକା ଆମ ସମାଜରେ ସବୁଠାରୁ ଅଧିକ ସେଥିପାଇଁ ବିଭିନ୍ନ ବ୍ଲକ୍ ମାନଙ୍କରୁ ଚାଷୀମାନଙ୍କୁ ସଂଗଠନ ଦ୍ଵାରା ନିମନ୍ତ୍ରଣ କରାଯାଇଥିଲା । ଏହାପରେ ନିମନ୍ତ୍ରିତ ଚାଷୀ ମାନଙ୍କର ଗୋଡ଼ ଧୋଇବା ସହ ତାଙ୍କୁ ଫୁଲ ଚନ୍ଦନ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ ସମସ୍ତ ସଂଗଠନର ସଦସ୍ୟ ଓ ନିମନ୍ତ୍ରିତ ଅତିଥିମାନେ ଏକା ସଙ୍ଗେ ପଖାଳ ଖାଇ ପଖାଳ ଦିବସ ପାଳନ କରିଥିଲେ । ପଖାଳର ଅନେକ ଉପକାରିତା ରହିଛି ଓ ଏହା ମଣିଷକୁ ଅନେକ ରୋଗ ବ୍ୟାଧିରୁ ଦୂରେଇ ରଖିଥାଏ ବୋଲି କହିଛନ୍ତି ସଂଗଠନ ସଦସ୍ୟ ଓ ନିମନ୍ତ୍ରିତ ଅତିଥିମାନେ । ତେବେ ଦହି, ପୋଦିନା ପତ୍ର, ଭୃସଙ୍ଗ ପତ୍ର, ଅଦା, ଲଙ୍କା ଆଦିକୁ ଛୁଙ୍କ ଦେଇ ପ୍ରସ୍ତୁତ କରାଯାଇଥିଲା ଦହି ପଖାଳ । ଆଉ ତା' ସାଙ୍ଗକୁ ପ୍ଲେଟରେ ସ୍ୱତନ୍ତ୍ର ଭାବେ ପରସା ଯାଇଥିଲା ଓଡ଼ିଶାର ଘରେ ଘରେ ପରିଚିତ ପାରମ୍ପରିକ ଖାଦ୍ୟ ।