କେନ୍ଦୁଝର: ଆଜି ବିଶିଷ୍ଟ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ଦେହାନ୍ତ ହୋଇଛି । ୮୯ ବର୍ଷ ବୟସରେ ତାଙ୍କ ନିଜସ୍ଵ ଘର ପୁରୁଣା ସହରର ବୈଦ୍ୟରାଜ ସାହିରେ ତାଙ୍କ ମୃତ୍ୟୁ ହୋଇଛି । ସେ କିଛି ଦିନ ହେବ ଗୁରୁତର ଥିଲେ । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ତାଙ୍କୁ ଘର ଲୋକେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କଣ୍ଢେଇ ନୃତ୍ୟକୁ ନିଜର ଅକ୍ଲାନ୍ତ ପରିଶ୍ରମ ଦ୍ଵାରା ବିଶ୍ଵ ଦରବାରରେ ପରିଚିତ କରି ଥିବାରୁ ତାଙ୍କୁ ଭାରତ ସରକାର ୨୦୨୩ ମସିହାରେ ପଦ୍ମଶ୍ରୀରେ ସମ୍ମାନିତ କରିଥିଲେ ।
ଗତ କିଛିଦିନ ତଳେ ତାଙ୍କ ବଡ ପୁଅକୁ ହରାଇଥିବା ବେଳେ କିଛି ବର୍ଷ ପୂର୍ବେ ତାଙ୍କ ସାନ ପୁଅକୁ ହରାଇ ଥିଲେ । ଏହି ସବୁ ଦୁଃଖଦ ଘଟଣାକୁ ଭାବି ଭାବି ତାଙ୍କ ଶରୀର ଅସୁସ୍ଥ ରହୁଥିଲା । ତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଭାଙ୍ଗି ପଡ଼ିଥିବା ତାଙ୍କ ଘରକୁ ଶେଷ ଦର୍ଶନ ପାଇଁ ସ୍ଥାନୀୟ ଲୋକଙ୍କ ସୁଅ ଛୁଟିଛି । ପ୍ରଶାସନ ପକ୍ଷରୁ ତାଙ୍କୁ ସସମ୍ମାନ ଶ୍ରଦ୍ଧାଞ୍ଜଳି ଦେବାର କାର୍ଯ୍ୟକ୍ରମ ଥିଲା । ଏହା ସହ ତାଙ୍କ ମର ଶରୀରକୁ ସହର ପରିକ୍ରମା କରିବା ନେଇ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯିବା ନେଇ ଘର ଲୋକଙ୍କ ସହ ଆଲୋଚନା ହୋଇଥିଲା । କିନ୍ତୁ ଦୀର୍ଘ ସମୟ ଅପେକ୍ଷା ପରେ ମଧ୍ୟ ଜିଲ୍ଲା ପ୍ରଶାସନ ଏକ ବିନା ସୁସଜ୍ଜିତ ଆମ୍ବୁଲାନ୍ସ ଘର ନିକଟକୁ ପଠାଇ ଦେଇଥିଲା । ଏହାକୁ ନେଇ ପରିବାର ଲୋକଙ୍କ ସହ ବୁଦ୍ଧିଜୀବୀ ବିରୋଧ କରିଥିଲେ । ଫଳରେ ଆମ୍ବୁଲାନ୍ସଟିକୁ ଫେରିବାକୁ ପଡ଼ିଥିଲା ।