ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ । ଏଥିପାଇଁ ସୋଲରେ ପଦ୍ମପାଖୁଡା, ହଂସ, କଦମ୍ବ ଫୁଲରେ କରପଲ୍ଲବ ପ୍ରଭୃତି ପଦ୍ମବେଶ ଶିଳ୍ପୀ ଅତି ନିଖୁଣ ଭାବେ ତିଆରି କରିଛନ୍ତି । ସିଂହାରୀ ସେବକଙ୍କ ଦ୍ୱାରା ଏହା ଶ୍ରୀଜିଉଙ୍କୁ ବିଭୂଷିତ କରାଯିବ । ମାଘ ମାସ ଅମାବାସ୍ୟା ଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ଶନିବାର ବା ମଙ୍ଗଳବାରରେ ଏହି ବେଶ ହୋଇଥାଏ । ବେଶର ସମସ୍ତ ଉପକରଣ ବଡ଼ଛତା ମଠ ପକ୍ଷରୁ ଯୋଗାଇ ଦିଆଯାଇଥାଏ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାତ୍ର ଚନ୍ଦନ ଲାଗି ପରେ ବଡ଼ସିଂହାରରେ ଏହି ବେଶ ହୁଏ ।
ବର୍ଷକରେ କେବଳ ଏହି ଗୋଟିଏ ଦିନ ମହାପ୍ରଭୁ ପଦ୍ମବେଶରେ ହିଁ ପହୁଡ଼ ଯାଆନ୍ତି । କେତେକ ଗବେଷକଙ୍କ ମତରେ ଏହି ବେଶର ପ୍ରବର୍ତ୍ତକ ହେଉଛନ୍ତି ବଡ଼ଛତା ମଠର ସନ୍ଥ ରଘୁବର ଦାସ । ଶ୍ରୀଜୀଉଙ୍କ ମୁଖପଦ୍ମ ସହିତ ପଦ୍ମ ପାଖୁଡ଼ା, ବେତ ନିର୍ମିତ ଓ ସୋଲ ପଦ୍ମ ଖଚିତ ଏକ ତ୍ରିକୋଣର ଟାହିଆ ମଧ୍ୟ ଲାଗି କରାଯାଏ । ଏହି ମଠ ଦ୍ଵାରା ପ୍ରଦତ୍ତ ଭୋଗରେ ଖିରି ଓ ଅମାଲୁ ରୋଷଘରର ଚୁଲିରେ ପ୍ରସ୍ତୁତ ହୋଇ ଭୋଗ କରାଯାଏ । ବଡ଼ସିଂହାରର ପଦ୍ମବେଶରେ ମହାପ୍ରଭୁ ସାରାରାତି ରହନ୍ତି ।
କିମ୍ବଦନ୍ତୀ ଅନୁଯାୟୀ, ଉତ୍କଳ ଠାରୁ ଶହ ଶହ ମାଇଲ ଦୂରରେ ଥିଲେ ଜଣେ ହିନ୍ଦୀ ଭାଷୀ ସାଧୁ । ତାଙ୍କର ନାମ ଥିଲା ମନୋହର ଦାସ । ଏକଦା ମହାତ୍ମା ମନୋହର ଦାସ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ଉଦ୍ଦେଶ୍ୟରେ ଶ୍ରୀକ୍ଷେତ୍ରକୁ ଆଗମନ କରିଥିଲେ । ତାଙ୍କର ପ୍ରବଳ ଆକାଂକ୍ଷା ଥିଲା ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଦର୍ଶନ । ଦୀର୍ଘ ଦିନ ପାଦରେ ଚାଲି ଚାଲି ଅନେକ ଜଙ୍ଗଲ, ପାହାଡ଼, ନଈ, ରାସ୍ତା ଅତିକ୍ରମ କରି ଶାରୀରିକ ପୀଡା ସତ୍ତ୍ୱେ ସେ ଅବିଚଳିତ ଭାବେ ଆଗେଇ ଚାଲିଥାନ୍ତି । ପଥ ମଧ୍ୟରେ ରାତ୍ରି ହୋଇଗଲେ କୌଣସି ମନ୍ଦିର, ମଠ, ଆଶ୍ରମ କିମ୍ବା ବୃକ୍ଷ ତଳେ ବିଶ୍ରାମ ନିଅନ୍ତି । ପଦବ୍ରଜରେ ଯାଉଥିବା ବେଳେ ସାଧୁଙ୍କୁ ଥରେ ଭୀଷଣ ଶୋଷ ହେଲା । ପାଖରେ କୌଣସି ଗ୍ରାମ କିମ୍ବା ଜଳାଶୟ ନଥିଲା । କିଛି ପଥ ଅତିକ୍ରମ କରିବା ପରେ ହଠାତ୍ ତାଙ୍କର ଦୃଷ୍ଟିଗୋଚର ହେଲା ଗୋଟିଏ ପୁଷ୍କରିଣୀ ମଧ୍ୟରେ ଅନେକ ପଦ୍ମ ଫୁଲ ଫୁଟିଛି । ସେ ତାହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ କାରଣ ଶୀତ ଦିନରେ ପଦ୍ମ ଫୁଲ ଫୁଟିବା ସମ୍ଭବ ନୁହେଁ । ସେ ମନେ ମନେ ଜଗନ୍ନାଥଙ୍କୁ ସୁମରଣା କରି ପାଣି ପିଇ ପ୍ରଭୁଙ୍କ ନିମନ୍ତେ ପୁଷ୍କରିଣୀରେ ଫୁଟିଥିବା ପଦ୍ମ ପୁଷ୍ପକୁ ତୋଳି ନିକଟରେ ଥିବା ଏକ ମଇଳା ଗାମୁଛାରେ ନେଇଥିଲେ ।