ନୟାଗଡ଼/ଯାଜପୁର: ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା । ଶୀତଦିନେ ଅଦିନିଆ ବର୍ଷା ଚାଷୀର ବର୍ଷକ ଯାକର ପରିଶ୍ରମକୁ ପାଣିରେ ପକାଇ ଦେଇଛି । କାରଣ ବର୍ତ୍ତମାନ ଧାନ ଅମଳ ହେବାର ସମୟ । ଧାନ କଟା ହୋଇ ବିଲରେ ପଡ଼ିଛି । ଆଉ ଏତିକି ବେଳେ ବର୍ଷା ଚାଷୀଙ୍କ ସୁନାର କ୍ଷେତକୁ ଉଜାଡ଼ି ଦେଇଛି ।
ପାଣିରେ ଭାସୁଛି ଧାନ:
2 ଦିନ ଧରି ଲଗାଣ ବର୍ଷା ପ୍ରଭାବରେ ପ୍ରଭାବିତ ହୋଇଛି ନୟାଗଡ଼ ଜିଲ୍ଲାର ଧାନ କ୍ଷେତ । ବର୍ଷା ଲାଗି ରହିଥିବାରୁ ଜମିରେ କଟା ହୋଇ ପଡ଼ି ରହିଥିବା ଧାନ ଉଠାଇବା ଚାଷୀଙ୍କ ପକ୍ଷେ ସମ୍ଭବ ହେଉନି । ଏଭଳି ସ୍ଥିତିରେ ଫସଲ ପାଇଁ ଋଣ ଆଣି ଥିବା ଚାଷୀମାନେ, ଋଣ ଭାର ପରିଶୋଧ କରିବା ସେମାନଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି କହିଛନ୍ତି । ସେପଟେ ଅମଳ ହୋଇଥିବା ପାଚିଲା ଧାନକୁ ବର୍ଷା ଦାଉରୁ ରକ୍ଷା କରିବାକୁ କିଏ ପଲିଥିନ ଢାଙ୍କୁଛି ତ ଆଉ କିଏ ବସ୍ତାରେ ଧାନକୁ ସାଇତି ରଖୁଛି । ବାକି ଧାନକୁ ସାଇତି ରଖିବା ପାଇଁ ସ୍ଥାନ ନଥିବାରୁ ଜମି ହୁଡ଼ା, ରାସ୍ତା କଡ, ଖଳାରେ ପଡ଼ି ଓଦା ହୋଇ ନଷ୍ଟ ହେଉଛି । ଧାନ ସବୁ ବର୍ଷା ପାଣିରେ ଭିଜି ଥିବାରୁ ଗଜା ହୋଇ ଆଉ ସେଥିରୁ କିଛି ଆଦାୟ ହେବ ନାହିଁ ବୋଲି ଚାଷୀମାନେ କହିଛନ୍ତି ।
ପନିପରିବା ଫସଲ ସ୍ଥିତି ସାଂଘାତିକ:
ସେପଟେ ନୟାଗଡ଼ ଜିଲ୍ଲାରେ ଧାନ ମଣ୍ଡି ଖୋଲିନଥିବାରୁ ଧାନ କିପରି ବିକ୍ରି କରିବେ ସେଥିପାଇଁ ଚାଷୀମାନେ ଚିନ୍ତାରେ ଅଛନ୍ତି । ୨ ଦିନ ହେଲା କୋହଲା ପାଗ ସହିତ ଝିପିଝିପି ବର୍ଷା ଲାଗି ରହିଥିହାରୁ ଅନେକ ସ୍ଥାନରେ ପାଚିଲା ଧାନ ଭିଜିବା ସହିତ କ୍ଷେତରେ ପାଣି ଜମିବାରେ ଲାଗିଛି । ଶହଶହ ଏକର ଚାଷ ଜମିରେ ଧାନ କଟା ହୋଇ ପଡ଼ି ରହିଥିବାରୁ ତାହା କ୍ଷେତରେ ନଷ୍ଟ ହେବାକୁ ବସିଛି । ଜମିରୁ ପାଣି ଛାଡୁନଥିବାରୁ ବିଲରେ ଧାନ ଗଜା ହେବା ଭଳି ସମସ୍ୟା ଉପୁଜିବା ଆଶଙ୍କା ଦେଖା ଦେଇଛି । କେବଳ ଧାନ ଫସଲ ନୁହେଁ ପନିପରିବା ଫସଲ ସ୍ଥିତି ସାଂଘାତିକ । ବନ୍ଧାକୋବି, ଫୁଲକୋବି, ବିନସ, ବାଇଗଣ ସହ ବିରି, ମୁଗ, ଚଣା, କାନ୍ଦୁଲ ଭଳି ରବି ଫସଲ ନଷ୍ଟ ହୋଇଥିବାରୁ ସେଥିରୁ ଆଦାୟ ଆଶା ଛାଡି ଦେଇଛନ୍ତି ଚାଷୀ । ଜିଲ୍ଲା ପ୍ରଶାସନ ତୁରନ୍ତ କ୍ଷୟକ୍ଷତି ଆକଳନ ସହ ଚାଷୀଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।
ଏହା ମଧ୍ୟ ପଢ଼ନ୍ତୁ...ଚାଷୀଙ୍କ ଚିନ୍ତା ବଢ଼ାଇଲା ଲଘୁଚାପ ବର୍ଷା, ଅମଳ ଧାନ ଗଜା ହୋଇଯିବା ଭୟ |