ଭୁବନେଶ୍ବର:ଦାଦନ ନେଉଛି ଜୀବନ । ବିଗତ କିଛି ବର୍ଷ ମଧ୍ୟରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ପ୍ରସଙ୍ଗରେ ଆଜି ଗୃହରେ ବିବୃତ୍ତି ରଖିଛନ୍ତି ଶ୍ରମମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ସେପଟେ ଗଞ୍ଜାମ ଜିଲ୍ଲରୁ ସର୍ବାଧିକ ଦାଦନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏନେଇ ଆଜି ଗୃହରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଉତ୍ତରରେ ଶ୍ରମ ମନ୍ତ୍ରୀଙ୍କ ପକ୍ଷରୁ ସୂଚନା ଆସିଛି ।
- ଗୃହରେ ଦାଦନ ଝଡ଼:
ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନ କରିଥିଲେ ରାଜ୍ୟରେ କେତେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଉତ୍ତରରେ ଶ୍ରମମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ କହିଥିଲେ," ବିଗତ ୧୦ ବର୍ଷ ମଧ୍ୟରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ୪୦୩ ଜଣ ପ୍ରାଣ ହରାଇଛନ୍ତି । ସର୍ବଧିକ ଗଞ୍ଜାମ ଜିଲ୍ଲାରୁ ୫୯ ଜଣ ପ୍ରାଣ ହରାଇଥିବା ବେଳେ କଳାହାଣ୍ଡି ଜିଲ୍ଲାରୁ ୩୯ ଜଣ ଓ ବଲାଙ୍ଗୀର ଜିଲ୍ଲାରୁ ୩୫ ଜଣ ପ୍ରାଣ ହରାଇଛନ୍ତି ।"
- ସରକାର କ'ଣ ପଦକ୍ଷେପ ନେଇଛନ୍ତି ?
ମନ୍ତ୍ରୀ ଖୁଣ୍ଟିଆ ଆହୁରି ମଧ୍ୟ କହିଛନ୍ତି,"ଓଡିଶାରେ ଲାଗି ରହିଥିବା ଦାଦନ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମ୍ପୃକ୍ତ ବିଭାଗର ସଚିବମାନଙ୍କୁ ନେଇ ଚଳିତବର୍ଷ ଅକ୍ଟୋବରରେ ଏକ ଟାସ୍କଫୋର୍ସ ଗଠନ କରିଛନ୍ତି, ଯାହାକି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମାଧ୍ୟମରେ କାର୍ଯ୍ୟ କରୁଅଛି ।"
- ଗତ ୩ ବର୍ଷରେ କେତେ ଦାଦନ ଶ୍ରମକଙ୍କ ମତ୍ୟୁ ହୋଇଛି ?
ସେ ଏହା ମଧ୍ୟ କହିଛନ୍ତି,"ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ବିଗତ ୩ ବର୍ଷ ମଧ୍ୟରେ ୨୩୩ ଜଣ ପ୍ରାଣ ହରାଇଛନ୍ତି । ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୪୩ ଜଣ ପ୍ରାଣ ହରାଇଥିବା ବେଳେ ବଲାଙ୍ଗୀରରୁ ୨୬ ଜଣ ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଛନ୍ତି । ପ୍ରାଣ ହରାଇଥିବା ୨୩୩ ଜଣଙ୍କ ମଧ୍ୟରୁ ୧୯୯ ଜଣଙ୍କ ମୃତଦେହ ଓଡିଶାକୁ ଫେରିପାରଛି ।" ସେପଟେ କଂଗ୍ରେସ ବିଧାୟକ ପବିତ୍ର ସାଉଁଟା କହିଛନ୍ତି," ସରକାର ତଥ୍ୟ ଲୁଛାଉଛନ୍ତି । ଆହୁରି ଅଧିକ ଲୋକ ମରିଛନ୍ତି । ଦାଦନ ପରିଚାଳନାରେ ସରକାର ଫେଲ୍ ମାରିଛନ୍ତି ।"