କଟକ: କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ । OSEPAର ମେରିଟ୍ ଲିଷ୍ଟକୁ କାଏମ ରଖିଲେ ହାଇକୋର୍ଟ । ଏହା ସହିତ ମେରିଟ୍ ସହ ପ୍ରିଫରେନ୍ସକୁ ଗୁରୁତ୍ବ ଦେଇ ନିଯୁକ୍ତି ପ୍ରଦାନ କରିବାକୁ କୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ଏହି ନିର୍ଦ୍ଦେଶକ୍ରମେ ୨୦ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତିର ବାଟ ଫିଟିଛି । ପୂର୍ବରୁ ଓପେସା ପ୍ରଥମେ ପ୍ରିଫରେନ୍ସ ପରେ ମେରିଟ୍କୁ ଆଧାର କରି ତାଲିକା ଜାରି କରିଥିଲା । ଯାହାକୁ ନେଇ ଆବେଦନକାରୀ ହାଇକୋର୍ଟରେ ରିଟ୍ ଅପିଲ କରିଥିଲେ ।
ପୂର୍ବରୁ ଓସେପାର ମେରିଟ୍ ଲିଷ୍ଟକୁ ଖାରଜ କରିଥିଲେ ହାଇକୋର୍ଟର ଜଣିକିଆ ବେଞ୍ଚ । ଜିଲ୍ଲାୱାରୀ ମେରିଟ ଲିଷ୍ଟ ବି ପୂର୍ବରୁ ଖାରଜ କରିଥିଲେ ହାଇକୋର୍ଟ । କେବଳ ସେତିକି ନୁହେଁ, ସାନି ମେରିଟ୍ ଲିଷ୍ଟ ପ୍ରସ୍ତୁତ କରିବାକୁ ପୂର୍ବରୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଜୁନିଅର ଟିଚର୍ ନିଯୁକ୍ତି ଅନିୟମିତତା ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ଓଡ଼ିଶା ହାଇକୋର୍ଟ । ଏଥିସହ ନିଯୁକ୍ତି ଉପରେ ଲାଗିଥିବା ଅଙ୍କୁଶକୁ ବଳବତ୍ତର ରଖିଥିଲେ କୋର୍ଟ । ଚୟନ ପ୍ରକ୍ରିୟା ସରିଥିଲେ ବି ନିଯୁକ୍ତି ଉପରେ ପୂର୍ବରୁ ରୋକ ଲଗାଇଥିଲେ କୋର୍ଟ । କୋର୍ଟଙ୍କ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ନିଯୁକ୍ତି ହୋଇପାରିବ ନାହିଁ ବୋଲି କୋର୍ଟ କହିଥିଲେ । ଡକ୍ୟୁମେଣ୍ଟ ଭେରିଫିକେସନ୍ ପ୍ରକ୍ରିୟା ଜାରି ରହିବ, ମାତ୍ର ଚୂଡାନ୍ତ ଚୟନ ତାଲିକା କିମ୍ବା ଉକ୍ତ ପଦରେ କାହାରିକୁ ନିଯୁକ୍ତି ଦିଆଯାଇପାରିବ ନାହିଁ ବୋଲି କୋର୍ଟ ପୂର୍ବରୁ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଥିଲେ । ତେବେ ବର୍ତ୍ତମାନ ଏହି ଜଣିକିଆ ଖଣ୍ଡପୀଠଙ୍କ ରାୟକୁ ସଂଶୋଧନ କରିଛନ୍ତି ଡିଭିଜନ ବେଞ୍ଚ ।